ଦିଲ୍ଲୀକା ଲଡୁ ଯୋ ନେହି ଖାୟା

ଦିଲ୍ଲୀକା ଲଡୁ ଯୋ ନେହି ଖାୟା
ଦିଲ୍ଲୀକା ଲଡୁ ଯୋ ନେହି ଖାୟା

ଦିଲ୍ଲୀ: କଥାରେ ଅଛି ଦିଲ୍ଲୀକା ଲଡୁ ଯୋ ଖାୟା ବୋ ପସ୍ତାୟା ଓର ଯୋ ନେହି ଓଭି ପସ୍ତାୟା । କହିବାର କାରଣ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟମାନ୍ୟତା ଦାବି କରିଆସୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରୀୱାଲ ଆଜି ପୁଣି କେନ୍ଦ୍ର ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି ।

ଦିଲ୍ଲୀ ବିଧାନସଭାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମାର୍ଚ୍ଚ ପହିଲାରୁ ଅନିର୍ଦ୍ଧିଷ୍ଟ କାଳ ଯାଏ ଅନଶନ କରିବେ ବୋଲି ଚେତାଇ ଦେଇଛନ୍ତି । ପୂର୍ବରୁ ଅନେକ ଥର ଦିଲ୍ଲୀକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରାଯାଉ ବୋଲି ଦାବି କରିଆସୁଛନ୍ତି ଅରବିନ୍ଦ । ଯାହାକୁ ନେଇ ଦିଲ୍ଲୀ ଲିଓଟାଣ୍ଟ ଗଭର୍ଣ୍ଣର (ଏଲଜି) ଏବଂ ଆପ୍ ସରକାର ମଧ୍ୟରେ ମୂଳରୁ ହିଁ ବିବାଦ ରହିଆସିଛି ।

ନିକଟରେ ମାମଲା ସୁପ୍ରିମ କୋର୍ଟ ଯାଇଥିଲା । କିନ୍ତୁ ଫଳ ନାହିଁ ମାମୁଠୁ କଣା ମାମୁ ଭଲ ନୀତିରେ ଉଭୟ ଦିଲ୍ଲୀ ସରକାର ସୁପ୍ରିମ କୋର୍ଟ ନିର୍ଦ୍ଦେଶକୁ ସ୍ବାଗତ କରିଥିଲେ । କିଛି ଅଧିକାର ଏଲଜି ଏବଂ ଅନ୍ୟ କିଛି ଦିଲ୍ଲୀର ନିର୍ବାଚିତ ସରକାର ପାଇଁ ନୀତି ନିୟମ ବଳବତ୍ତର ରଖିଥିଲେ କୋର୍ଟ । ତଥାପି ଥମି ନାହିଁ ଦିଲ୍ଲୀ ରାଜନୀତି । ଦିଲ୍ଲୀର କିଏ ବସ୍ ଆଉ କିଏ କାମଚଳା ତାକୁ ନେଇ ଚର୍ଚ୍ଚା ହୋଇ ଆସୁଛି ।

ତେବେ ବାରମ୍ବାର ଦାବି କରି ବିଫଳ ହୋଇଥିବା ଦିଲ୍ଲୀ ସିଏମ୍ ଏଥର କିନ୍ତୁ ପଣ କରିଛନ୍ତି । କେନ୍ଦ୍ର ସରକାର ତାଙ୍କ ଦାବି ପୂରଣ ନକରିବା ଯାଏ ସେ ଅହୋରାତ୍ର ଧାରଣା ଦେବେ । ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଏବଂ ଅଧିକାର ପ୍ରଦାନ କଲେ ହିଁ ରାଜ୍ୟର ବିକାଶ ସମ୍ଭବ ବୋଲି କହିଆସୁଛନ୍ତି ଅରବୀନ୍ଦ । ପୂୂର୍ବରୁ ମଧ୍ୟ ଅନେକ ଥର ଅନଶନ କରି ଚର୍ଚ୍ଚାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦାବି ପୂରଣ ହେଉଛି ନା ଏହାକୁ ନେଇ ରାଜନୀତି ମାର୍ଚ୍ଚ ପହିଲାରେ ଜଣାପଡ଼ିବ ।

Share this story