ଓଡ଼ିଶାରେ ବିଜେପିର ୧୨୦ ମିଶନକୁ ନେଇ ବର୍ଷିଲା ବିଜେଡ଼ି

ଓଡ଼ିଶାରେ ବିଜେପିର ୧୨୦ ମିଶନକୁ ନେଇ ବର୍ଷିଲା ବିଜେଡ଼ି
ଓଡ଼ିଶାରେ ବିଜେପିର ୧୨୦ ମିଶନକୁ ନେଇ ବର୍ଷିଲା ବିଜେଡ଼ି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)୨୦୧୪ରେ ୫ବର୍ଷ ଭାରତବର୍ଷର ଜନସାଧାରଣଙ୍କୁ ମାଗିଥିଲା, ସେମାନଙ୍କ ଜୀବନରେ ଅଚ୍ଛେଦିନ ଆଣିବା ପାଇଁ । କିନ୍ତୁ ସାଢ଼େ ୪ବର୍ଷ ପରେ ମଧ୍ୟ ସେ ‘ଅଚ୍ଛେଦିନ୍‍’ର ସ୍ୱରଶବ୍ଦ ଶୁଣାଯାଉନାହିଁ । ପେଟ୍ରୋଲ ଦର ପ୍ରତି ଲିଟର ୯୦ ଟଙ୍କା ଛୁଇଁଲାଣି, ଭାରତୀୟ ମୁଦ୍ରା ୧ ଡଲାର ମୁକାବିଲାରେ ୧୦୦ ଟଙ୍କା ଛୁଇଁଲା ଭଳି ଅନୁମାନ କରାଯାଉଛି ।

ଜଣାପଡୁଛି, ବିଜେପି ତୈଳ ଦର ପ୍ରତି ଲିଟର ୧୨୦ ଟଙ୍କାରେ ପହଞ୍ଚାଇ ଓ ଭାରତୀୟ ମୁଦ୍ରାର ମୂଲ୍ୟ ୧ ଡଲାର ପିଛା ୧୨୦ ଟଙ୍କାରେ ପହଞ୍ଚାଇ ତାଙ୍କର ମିଶନ ୧୨୦ ସଫଳ କରିବେ । ଏହାହିଁ ମିଶନ ୧୨୦ର ରହସ୍ୟ, ଯାହାକି ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକାରୀ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ବିଜେପି ୫ବର୍ଷରେ ଓଡ଼ିଶାକୁ ୧ନମ୍ବର ରାଜ୍ୟରେ ପରିଣତ କରିବାର ଦୃଢ଼ୋକ୍ତି ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଆଜି ବିଜୁ ଜନତା ଦଳ ( ବିଜେଡ଼ି) ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ସାଧାରଣ ସଂପାଦକ ଡ. ଅରୁଣ କୁମାର ସାହୁ ବିଜେପିର ୧୨୦ ମିଶନକୁ ନେଇ ବର୍ଷିଥିଲେ ।

ଓଡ଼ିଶାରେ ବିଜେପିର ୧୨୦ ମିଶନକୁ ନେଇ ବର୍ଷିଲା ବିଜେଡ଼ି

ବିଜେପି ଶାସିତ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ମହିଳାମାନେ ଅଧିକ ସୁରକ୍ଷିତ ଅଛନ୍ତି ଏବଂ ମହିଳାମାନଙ୍କ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ମମତା, ମିଶନ ଶକ୍ତି ଏବଂ ଅନେକ ପ୍ରକାର ଯୋଜନା ଦ୍ୱାରା ମହିଳାମାନଙ୍କର ବିକାଶ କରି ଆସୁଛନ୍ତି । ଶ୍ରୀ ଅମିତ ଶାହା ଆଜି ଅପରାଧ ବିଷୟରେ ଉଲ୍ଳେଖ କରି ପରୋକ୍ଷରେ ବିଜେପିକୁ ଲୋକଙ୍କର ପ୍ରଶ୍ନ ଘେର ମଧ୍ୟକୁ ଟାଣି ଆଣିଛନ୍ତି । ଅତୀତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସକୁ କଟକର ବାଇମୁଣ୍ଡି ଆଖ୍ୟା ଦେଇ ବିଜେପିର ଅପରାଧୀଙ୍କ ପ୍ରତି ଆସକ୍ତିକୁ ସ୍ପଷ୍ଟ ଭାବରେ ଜାହିର କରିଛନ୍ତି ।

ଛତ୍ରପୁରର ବିଜେଡି କାଉନ୍‍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡରେ ବିଜେପିର ନେତାମାନଙ୍କର ସଂପୃକ୍ତି ଏବଂ ସେହି ନେତାମାନେ କେଉଁ ନେତାଙ୍କର ଛତ୍ରଛାୟାରେ ଉତ୍ତରାଖଣ୍ଡର ଏକ ଗେଷ୍ଟହାଉସ୍‍ରେ ଲୁଚିଥିଲେ, ତାହା ଆଜି ମଧ୍ୟ ଜନସାଧାରଣଙ୍କୁ ଆନ୍ଦୋଳିତ କରୁଛି । ବିଜେପୁର ଉପ-ନିର୍ବାଚନରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରେ ବିଜେପିର ନେତା ଓ କର୍ମୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ଏବଂ ଏହି ଘଟଣାରେ ବିଜେଡିର କର୍ମୀ ଦିଲେଶ୍ୱର ସାହୁଙ୍କୁ ହତ୍ୟା କରାଯାଇଥିବା ବିଜେପିର ଅପରାଧପ୍ରବଣତାକୁ ଦର୍ଶାଉଛି ।

ତୈଳମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅହେତୁକ ଅନୁକମ୍ପା ଗ୍ୟାଙ୍ଗଷ୍ଟର ଟିଟୋଙ୍କ ପ୍ରତି ଜଣାପଡିଲା, ଯେତେବେଳେ ଏସ୍‍ଟିଏଫ୍‍ ଦ୍ୱାରା ଟିଟୋକୁ ଦୁଇଟି ପେଟ୍ରୋଲ ପମ୍ପ ଆବଣ୍ଟନ କରାଯାଇଛି ବୋଲି ମାମଲା ସମ୍ମୁଖକୁ ଆସିଲା । ଏକ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପାଇଁ ଦୁଇଟି ପେଟ୍ରୋଲ ପମ୍ପ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆବଣ୍ଟନ କରାଯାଇଥିଲା ଏବଂ ଏହାଦ୍ୱାରା ଧର୍ମେନ୍ଦ୍ର ଓ ଟିଟୋଙ୍କ ସଂପର୍କ ସ୍ପଷ୍ଟ ହୋଇଯାଇଛି । ଅମିତ ଶାହାଙ୍କ ଗସ୍ତ ତାଙ୍କର କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବାରେ ସୀମିତ ଏବଂ ଏହାର କୌଣସି ପ୍ରଭାବ ଓଡ଼ିଶାର ଜନସାଧାରଣଙ୍କ ଉପରେ ପଡିବ ନାହିଁ ।

୧୮ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଘଟିବା ସହିତ ମହିଳାମାନଙ୍କ ପାଇଁ ସଶକ୍ତିକରଣ ଓ ପ୍ରଗତିର ଅନେକ ଦ୍ୱାର ଫିଟାଇଛନ୍ତି । ୨୦୧୯ ନିର୍ବାଚନ ଆଉ କିଛିମାସ ଥିଲା ବେଳେ ଶ୍ରୀ ଶାହା ତାଙ୍କର ଚିରାଚରିତ ଭାବରେ ରାଜନୈତିକ ଉଦ୍‍ବୋଧନ ଦେଇ ନିଜର ଦଳୀୟ କାର୍ଯ୍ୟ କେବଳ କରିଛନ୍ତି । ଓଡ଼ିଶାର ବିକାଶ ଏବଂ ପ୍ରଗତି ଠାରୁ ବିଜେପି ଅନେକ ଦୂରରେ ଅଛି ଏବଂ ମହାନଦୀ, ପୋଲାଭରମ୍‍, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଏମ୍‍ଏସ୍‍ପିର ପ୍ରସଂଗ ଏବଂ କେନ୍ଦ୍ରୀୟ ଅନୁଦାନ କାଟ୍‍ ଭଳି ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ପ୍ରସଂଗଗୁଡିକରେ ନିରବଦ୍ରଷ୍ଟା ପାଲଟିଛନ୍ତି ବୋଲି ଆଜି ବିଜେଡ଼ି ଦଳ ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ଏବଂ ମୁଖପାତ୍ର ଡ. ସସ୍ମିତ ପାତ୍ର ମତ ରଖିଛନ୍ତି ।

Share this story