ନବନିଯୁକ୍ତ ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

ନବନିଯୁକ୍ତ ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା
ନବନିଯୁକ୍ତ ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ନବ ନିଯୁକ୍ତ ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇଙ୍କୁ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଉପଲକ୍ଷେ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭା ଅନୁସୂଚିତ ଜାତି ବିଭାଗ ଉପାଧ୍ୟକ୍ଷା ଶ୍ରୀମତୀ ମମତାଞ୍ଜଳି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନବ ନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ତରାଇଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ ।

ଶ୍ରୀ ପଟ୍ଟନାୟକ କହିଲେ ଯେ ଯେପର୍ଯ୍ୟନ୍ତ ଅନୁସୂଚିତ ଜାତି ଓ ଜନଜାତି ଲୋକମାନଙ୍କର ବିକାଶ ନହୋଇଛି, ସେ ପର୍ଯ୍ୟନ୍ତ ରାଜ୍ୟର ପ୍ରଗତି ଅସମ୍ଭବ । ବର୍ତମାନ ଏକ ନିକମ୍ମା ସରକାର ବିକାଶ ନାମରେ ବିନାଶ କରିବାରେ ଲାଗିଛି । ନିଖିଳ ଭାରତ କଂଗ୍ରେସ କମିଟି ଶ୍ରୀ ତରାଇଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିବାରୁ ସେ ଆଗାମୀ ଦିନରେ ଅନୁସୂଚିତ ଜାତି ବିଭାଗକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କୁ ସେମାନଙ୍କର ଅଧିକାର ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଥିଲେ ।

ଦଳିତ, ଆଦିବାସୀ ଓ ଅନ୍ୟାନ୍ୟ ପଛୁଆବର୍ଗ କାହାର ଦୟାର ପାତ୍ର ନୁହଁନ୍ତି । ସେମାନଙ୍କର ଆର୍ଥିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ପାଇଁ କଂଗ୍ରେସ ଦଳ ସଚେତନ ରହିଛି । ସମାଜରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଉପରୋକ୍ତ ବର୍ଗର ବିକାଶ କରାନଯାଏ ତେବେ ଓଡିଶାର ପ୍ରକୃତ ବିକାଶ ଅସମ୍ଭବ । ପିସିସି ସଭାପତି ଥିବାଯାଏ ସେମାନଙ୍କୁ ନ୍ୟାୟ ଦେବା ଲାଗି ସେ ଦୃଢ଼ ପ୍ରତିଶ୍ରୁତିବଦ୍ଧ ଓ ଏହା ନିଶ୍ଚିତ ସମ୍ଭବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଉଦ୍ବୋଧନ ଦେଇ ଅଧ୍ୟକ୍ଷ ଶ୍ରୀ ବିଭୂ ପ୍ରସାଦ ତରାଇ କହିଲେ ଯେ ଆଗାମୀ ଦିନରେ ନିଖିଳ ଭାରତ କଂଗ୍ରେସ କମିଟି ଏବଂ ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଅନୁସୂଚିତ ଜାତି ବିଭାଗକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରବେ । କଂଗ୍ରେସ ନେତୃବୃନ୍ଦ ଗଣେଶ୍ୱର ବେହେରା, ସତ୍ୟପ୍ରକାଶ ନାୟକ, ଅଭିମନ୍ୟୁ ମଲ୍ଲିକ ପ୍ରମୁଖ ଅନୁସୂଚିତ ଜାତି ଓ ଜନଜାତି ଜନସାଧାରଣଙ୍କ ଉନ୍ନତି ପାଇଁ ଉପାଦେୟ ପରାମର୍ଶମାନ ଦେଇଥିଲେ । ଜୟନ୍ତ ଭୋଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ନରୋତମ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶେଷରେ ଦେବେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନେତୃବୃନ୍ଦ ବାବୁଲାଲ ଗୁରୁ, ଗଜେନ୍ଦ୍ର ତନ୍ତୀ, ନଳିନୀ ବେହେରା, ଦିନବନ୍ଧୁ ଅଧିକାରୀ, ଜାମିନୀ ମୁଖୀ, ପ୍ରତିମା ମଲ୍ଲିକ, ସର୍ବେଶ୍ୱର ସେଠୀ, ରାଜନ ବେହେରା, ସୁଦର୍ଶନ ଜେନା, ଆଶିଷ ସାମଲ, ମନୋଜ ବେହେରା, ହୃଷିକେଶ ଜେନା, ମାନସ ମଲ୍ଲିକ, ବସନ୍ତ ସେଠୀ, ତନ୍ମୟ ବିଶ୍ୱାଳ, ମନୋରଞ୍ଜନ ଦାସ, କନକଲତା ମଲିକ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ଥିଲେ ।

Share this story