ଆଜି ରାହୁଲଙ୍କ ବରଗଡ଼ ଗସ୍ତ, ଫୋକସରେ ରହିବ ଚାଷୀ ସମସ୍ୟା

ଆଜି ରାହୁଲଙ୍କ ବରଗଡ଼ ଗସ୍ତ, ଫୋକସରେ ରହିବ ଚାଷୀ ସମସ୍ୟା
ଆଜି ରାହୁଲଙ୍କ ବରଗଡ଼ ଗସ୍ତ, ଫୋକସରେ ରହିବ ଚାଷୀ ସମସ୍ୟା

ଭୁବନେଶ୍ୱର: ବରଗଡ଼ ସମାବେଶରେ ଯୋଗ ଦେବା ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି । ବରଗଡ଼ ନିକଟ ସରସରା ଗାଁରେ ଥିବା ବଡ ପଡ଼ିଆରେ ଅପରାହ୍ନ ୧ଟାରେ ପହଂଚିବେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ । ରାହୁଲ ବରଗଡ଼ରେ ପାଖାପାଖି ଦେଢ ଘଣ୍ଟା ରହିବେ । ତେବେ ଗସ୍ତ ସମୟରେ ରାହୁଲଙ୍କ ଫୋକସରେ ରହିବ ଚାଷୀ ସମସ୍ୟା ।

ବରଗଡ଼ ଓଡ଼ିଶାର ଭାତହାଣ୍ଡି ହୋଇଥିବାରୁ ସେଠାରେ ରାହୁଲଙ୍କ ଗସ୍ତ ସମୟରେ ଚାଷ ଓ ଚାଷୀ ପ୍ରସଙ୍ଗ ଫୋକସରେ ରହିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ଚାଷୀଙ୍କ ଋଣ ଛାଡ ପ୍ରସଙ୍ଗରେ କ୍ଷମତାକୁ ଆସିଥିବାରୁ ଓଡ଼ିଶାରେ ମଧ୍ୟ ସମାନ ଫର୍ମୁଲା ଆପଣାଇବେ । ଚାଷୀଙ୍କ ଭୋଟକୁ ଦଳଆଡକୁ ଆଣିବାକୁ ରାହୁଲଙ୍କ ପ୍ରୟାସ ଅଧିକ ରହିବ ।

ତେବେ ସମାବେଶକୁ ଜୋରଦାର କରିବା ପାଇଁ ବୁଧବାରଠାରୁ ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡ଼ିଶା ପ୍ରଭାରୀ ଟି.ଏସ୍ ସିଂହଦେଓ ବରଗଡ଼ରେ ପହଂଚିଥିବା ବେଳେ ଗତକାଲି ଏଆଇସିସି ସମ୍ପାଦକ ମସ୍ତାନ ୱାଲି ପହଂଚିଛନ୍ତି । ଏନେଇ ମଧ୍ୟ ଏକ ମୋଟର ସାଇକେଲ ର‌୍ୟାଲି ଗତକାଲି ବରଗଡ଼ରେ କରାଯାଇଥିଲା ଯେଉଁଥିରେ ଜିଲ୍ଲାର ସମସ୍ତ ବରିଷ୍ଠ ନେତାଙ୍କ ସହ ଯୁବ ନେତା ମଧ୍ୟ ସାମିଲ ଥିଲେ ।

ରାହୁଲ ରାୟପୁର ବିମାନ ବନ୍ଦରରୁ ବରଗଡ଼ ଆସି ପହଂଚିବେ । ବରଗଡ଼ରେ ସମାବେଶ ସାରିବା ପରେ ପୁଣି ରାୟପୁର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବେ । ଇତିମଧ୍ୟରେ ସଭାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାହୁଲଙ୍କ ଏସପିଜି ଟିମ୍ ଗତକାଲି ଠାରୁ ଅଚଂଳକୁ ଆସି ଯାଞ୍ଚ କରିଛନ୍ତି । ରାହୁଲଙ୍କ ଗସ୍ତ ସମୟରେ ମଞ୍ଚରେ କେଉଁ କେଉଁ ନେତା ରହିବେ, ସେ ବାବଦରେ କଂଗ୍ରେସ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଥିଲେ ।

Share this story