ବିଶିଷ୍ଟ ଶଲ୍ୟଚିକିତ୍ସକ ଡ଼. ଅଶ୍ୱିନୀ ପୂଜାହାରୀ କଂଗ୍ରେସରେ ଯୋଗଦେଲେ

ବିଶିଷ୍ଟ ଶଲ୍ୟଚିକିତ୍ସକ ଡ଼. ଅଶ୍ୱିନୀ ପୂଜାହାରୀ କଂଗ୍ରେସରେ ଯୋଗଦେଲେ
ବିଶିଷ୍ଟ ଶଲ୍ୟଚିକିତ୍ସକ ଡ଼. ଅଶ୍ୱିନୀ ପୂଜାହାରୀ କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର: ବିଶିଷ୍ଟ ଶଲ୍ୟଚିକିତ୍ସକ, ସମ୍ବଲପୁର ଲୋକପ୍ରିୟ ଡାକ୍ତର ତଥା ଭୀମସାର ପୂର୍ବତନ ନିର୍ଦ୍ଦେଶକ ଡ. ଅଶ୍ୱିନୀ ପୂଜାହାରୀ ଆଜି କଂଗ୍ରେସ ଦଳରେ ଯୋଗଦେଇ କହିଲେ ଯେ, କଂଗ୍ରେସ ଦଳ ହେଉଛି ଏକମାତ୍ର ଦଳ ଯେ ଭାରତବର୍ଷରେ ଗଣତନ୍ତ୍ରକୁ ସୁରକ୍ଷାଦେବା ସହ ତଳେ ପଡ଼ିଥିବା ମଣିଷର ଉନ୍ନତି କଥା ଚିନ୍ତାକରିଥାଏ । ଜୀବନର ୩୩ବର୍ଷ କାଳ ସେନାବାହିନୀରେ କାର୍ଯ୍ୟକରି ଭାରତବର୍ଷର ଜନଗଣଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ପୁଣି ସେହି କାର୍ଯ୍ୟ କରିବା ପାଇଁ ମୁଁ କଂଗ୍ରେସ ଦଳରେ ଯୋଗ ଦେଇଛି ।

କଂଗ୍ରେସ ଦଳ ପ୍ରଭାରୀ ତଥା ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍.ସିଂହଦେଓଙ୍କ ଉପସ୍ଥିତିରେ ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହାମିଶ୍ରଣ ପର୍ବରେ ଉଦବୋଧନ ଦେଇ ପ୍ରଭାରୀ ଶ୍ରୀ ସିଂହଦେଓ କହିଲେ ଯେ, ଚଳିତ ନିର୍ବାଚନରେ କଂଗ୍ରେସ ଦଳ ବିଜେଡ଼ି ଓ ବିଜେପି ସହ ତ୍ରିମୁଖ ଲଢ଼େଇରେ ରହିବ । ଛତିଶଗଡ଼ର ଯେଉଁ ମୁଦାକୁ ନେଇ କଂଗ୍ରେସ ଦଳ ଲଢ଼ିଥିଲା ଓଡ଼ିଶାରେ କୃଷି ଓ କୃଷକ, ମିହିଳା ଓ ଯୁବକମାନଙ୍କର ନିଯୁକ୍ତି ତଥା ଉନ୍ନତି ପାଇଁ କଂଗ୍ରେସ ଦଳ ସଂକଳ୍ପ ବଦ୍ଧ । ଏହି ମୁଦ୍ଦାରେ କଂଗ୍ରେସ ଦଳ ଓଡ଼ିଶାରେ ଶାସନ କ୍ଷମତାକୁ ଆସିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଲେ ଯେ ଏଥର କଂଗ୍ରେସ ଦଳ ବରିଷ୍ଠ, ମହିଳା, ଯୁବକ ଓ ସମାଜର ହିତ ପାଇଁ କାର୍ଯ୍ୟକରୁଥିବା ବୁଦ୍ଧିଜୀବିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦଳୀୟ ଟିକେଟ ପ୍ରଦାନ କରିଛି । ତେଣୁ ରାଜ୍ୟରେ ଚଳିତ ନିର୍ବାଚନରେ କଂଗ୍ରେସ ଦଳ ଭଲ ପ୍ରଦର୍ଶନ କରି ସରକାର ଗଠନ କରିବାକୁ ସକ୍ଷମ ହେବ ବୋଲି କହିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପରିଚାଳନା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଉପସଭାପତି ଶିବାନନ୍ଦ ରାୟ, ସମ୍ବଲପୁର ଜିଲ୍ଲା ସଭାପତି ଅଶ୍ୱିନୀ ଗୁରୁ, ଭୁବନେଶ୍ୱର ଜିଲ୍ଲା ସଭାପତି ମାନସ ଚୌଧୁରୀ, ପ୍ରବକ୍ତା ପଦ୍ମାକର ଗୁରୁ, ମିଡ଼ିଆ ସଂଯୋଜକ ଦୀପକ୍ ମହାପାତ୍ର, ଜ୍ଞାନରଞ୍ଜନ ପଟ୍ଟନାୟକ, ଦେବପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ମହାମିଶ୍ରଣ ପର୍ବରେ ଡ. ପୂଜାହାରୀଙ୍କ ସହ ଶତାଧିକ ଯୁବ ସମର୍ଥକ ଓ ବିଜେପିର ଯୁବ ନେତା ରୁବେନ୍ ଛତ୍ରିଆ କଂଗ୍ରେସ ଦଳରେ ସାମିଲ ହୋଇଥିଲେ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।

Share this story