ସି.ପି.ଆଇ.(ଏମ୍)ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ

ସି.ପି.ଆଇ.(ଏମ୍)ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ
ସି.ପି.ଆଇ.(ଏମ୍)ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ

ଭୁବନେଶ୍ୱର: ୨୦୧୯ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ ଉପଲକ୍ଷେ ଆଜି ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଉନ୍ମୋଚନ କରାଯାଇଛି । ଏହାକୁ ଉନ୍ମୋଚନ କରି ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଲେ ଯେ ୨୦୧୯ର ସାଧାରଣ ନିର୍ବାଚନ ଦେଶର ସମ୍ବିଧାନ, ଏକତା ସାର୍ବଭୌମତ୍ୱ ଓ ଧର୍ମ ନିରପେକ୍ଷତା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏହି ନିର୍ବାଚନରେ ଓଡିଶାରେ ବି.ଜେ.ପି. ଓ ତା’ର ଅଘୋଷିତ ସହଯୋଗୀ ବି.ଜେ.ଡି.କୁ ପରାସ୍ତ କରିବା, ସି.ପି.ଆଇ.(ଏମ୍) ଏବଂ ବାମପନ୍ଥୀମାନଙ୍କର ପ୍ରତିନିଧିତ୍ୱକୁ ଲୋକସଭା ଓ ରାଜ୍ୟ ବିଧାନସଭାରେ ବୃଦ୍ଧି କରିବା ତଥା କେନ୍ଦ୍ର ଓ ରାଜ୍ୟରେ ଏକ ବିକଳ୍ପ ଧର୍ମ ନିରପେକ୍ଷ ସରକାର ଗଠନକୁ ସୁନିଶ୍ଚିତ କରିବା ପାଇଁ ଏହି ଇସ୍ତାହାର ଜରିଆରେ ରାଜ୍ୟବାସୀଙ୍କୁ ନିବେଦନ କରାଯାଇଛି ।

୨୨ଦଫା ଦାବୀ ବିଶିଷ୍ଟ ଏହି ଇସ୍ତାହାରରେ କୃଷିର ବିକାଶ ପାଇଁ ଚାଷୀମାନଙ୍କ ଋଣଛାଡ ସହ ଧାନ କ୍ୱିଣ୍ଟାଲ ୩୦୦୦ ଟଙ୍କାରେ ଧାର୍ଯ୍ୟ କରିବା, କ୍ୱିଣ୍ଟାଲ ପିଛା ୭୫୦ ଟଙ୍କା ବୋନସ୍ ପ୍ରଦାନ, ଭୂସଂସ୍କାର କରି ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ଓ ସମସ୍ତ କୃଷକଙ୍କୁ ୬୦ ବର୍ଷ ପରେ ମାସକୁ ୬୦୦୦ଟଙ୍କା ପେନ୍ସନ୍, ଭୂମିହୀନଙ୍କୁ ଘରଡିହ ଓ ଚାଷୋପଯୋଗୀଜମି, ଜଳସେଚନ, ଜଳ ସମ୍ପଦର ସୁପରିଚାଳନା, ଓଡିଶାରେ ମିଳୁଥିବା ଖଣିଜ ଦ୍ରବ୍ୟଭିତ୍ତିକ ଶିଳ୍ପ କାରଖାନା ପ୍ରତିଷ୍ଠା ଜରିଆରେ ଆର୍ଥିକ ନିଯୁକ୍ତି ସୃଷ୍ଟି, ଖଣିଜ ସମ୍ପଦରେ ମୂଲ୍ୟଯୁକ୍ତ କରି ସରକାରୀ ସଂସ୍ଥା ଜରିଆରେ ବ୍ୟବସାୟିକ କାରବାର, ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ୬୦୦ଟଙ୍କା, ସମାନ କାମକୁ ସମାନ ମଜୁରୀ ଆଉଟ୍ ସୋର୍ସିଂ ବନ୍ଦ କରିବା, ଠିକା ସ୍କିମ୍ କାଜୁଆଲ ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ମାସିକ ପେନ୍ସନ୍ ୬୦୦୦ଟଙ୍କା ସୁନିଶ୍ଚିତ କରିବା, ଶିକ୍ଷା କ୍ଷେତ୍ରରେ ୬ରୁ ୧୪ ବର୍ଷ ପଯ୍ୟନ୍ତ ପିଲାମାନଙ୍କୁ ପାଇଁ ମାଗଣାରେ ଶିକ୍ଷା ପ୍ରଦାନ ବ୍ୟବସ୍ଥା, ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏକ ପ୍ରକାରର ପାଠ୍ୟକ୍ରମ, ଶିକ୍ଷାପାଇଁ ବଜେଟ୍ରେ ୩% ବ୍ୟୟ ବରାଦ, ଓଡିଆ ଭାଷାର ସୁରକ୍ଷା ଓ ପ୍ରସାର, ଶିକ୍ଷାନୁଷ୍ଠାନର ପୁନରୁଦ୍ଧାର, ସମସ୍ତଙ୍କ ପାଇଁ ମାଗଣାରେ ଚିକିତ୍ସା ବ୍ୟବସ୍ଥା, ବଜେଟ୍ର ୬% ସ୍ୱାସ୍ଥ୍ୟ ବରାଦ କରିବା, ଖାଲି ପଡିଥିବା ପଦବୀ ପୂରଣ, ଖାଦ୍ୟ ସୁରକ୍ଷା ପାଇଁ ସମସ୍ତ ପରିବାରକୁ ଚାଉଳ କିଲୋ ୧ ଟଙ୍କା ମୂଲ୍ୟରେ ମାସକୁ ୩୫ କିଲୋ ଚାଉଳ ଓ ସୁଲଭ ମୂଲ୍ୟରେ ୧୪ଟି ଅତ୍ୟାବଶ୍ୟକୀୟ ଦ୍ରବ୍ୟ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଣ, ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପାଇଁ ସରକାରୀ ବିଭାଗମାନଙ୍କରେ ଖାଲିଥିବା ସମସ୍ତ ପଦବୀ ପୂରଣ, ନିଯୁକ୍ତି ନି ମିଳିବା ପର୍ଯ୍ୟନ୍ତ ମାସକୁ ୩୦୦୦ଟଙ୍କା ଭତ୍ତା ପ୍ରଦାନ, ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପେଷା ଆଇନ୍ ୧୯୯୬, ଜଙ୍ଗଲ ଅଧିକାର ଆଇନ୍ ୨୦୦୬କୁ କଡାକଡି ଭାବେ କାର୍ଯ୍ୟକାରୀ କରିବା, ଦଳିତମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦଳିତ ନିର୍ଯ୍ୟତାନା ନିବାରଣ ଆଇନ୍- ୧୯୮୯କୁ କଡାକଡି ଲାଗୁ କରିବା, ଦଳିତ ଖ୍ରୀଷ୍ଟିଆୟ ଓ ମୁସଲିମ୍ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା ।

ଭୂମିହୀନ ଆଦିବାସୀ/ଦଳିତଙ୍କୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଓ ଚାଷ ଜମି ଯୋଗାଇଦେବା, ମହିଳାମାନଙ୍କୁ ପୁରୁଷମାନଙ୍କ ସହ ସମାନ ଅଧିକାର, ମହିଳା ବିରୋଧି ହିଂସା ବନ୍ଦ କରିବା, ସଂଖ୍ୟାଲଘୁମାନଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ସହ ୩ୟ ଲିଙ୍ଗ ବର୍ଗର ସମାନତା ପାଇଁ ନୀତି ପ୍ରଣୟନ, ଶିଶୁ ମୃତ୍ୟୁ ବନ୍ଦ କରିବା ପାଇଁ ପଦକ୍ଷେପ ନେବା, ଶିଶୁମାନଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ଦିବ୍ୟାଙ୍ଗମାନଙ୍କ ପାଇଁ ବଜେଟ୍ରେ ଅଧିକ ଅର୍ଥର ବ୍ୟବସ୍ଥା କରିବା, ମାନବିକ ଅଧିକାର ସୁରକ୍ଷା ଓ ସପ୍ରସାରଣ ପାଇଁ ପଦକ୍ଷେପ ନେବା, ସହରାଞ୍ଚଳ ଜମି ଅଧିକାର ଆଇନ୍ ୨୦୧୮କୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଭଳି ମହାନଗର ନିଗମମାନଙ୍କରେ ଲାଗୁ କରିବା ମନରେଗା ଯୋଜନା ଢାଞ୍ଚାରେ ସହରର ଯୁବକ ଯୁବତୀମାନଙ୍କ ପାଇଁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ, ବରିଷ୍ଠନାଗରିକ ପାଇଁ ମାସିକ ୬୦୦୦ଟଙ୍କା ପେନ୍ସନ୍ ବ୍ୟବସ୍ଥା, ପ୍ରାକୃତିକ ସମ୍ପଦ ଓ ପରିବେଶର ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟର ପ୍ରତିକାର ସହ ସଂଘୀୟ ବ୍ୟବସ୍ଥାରେ ଓଡିଶାର ପ୍ରାପ୍ୟ ଓଡିଶାକୁ ଦେବା ପାଇଁ ଓଡିଶାରେ ସମସ୍ତ ଋଣକୁ କେନ୍ଦ୍ର ସରକାର ଛାଡ କରିବା, ଖଣିଜ ସମ୍ପାଦର ଉତ୍ପାଦନ ନିର୍ଦ୍ଦିଷ୍ଟ ସମୟରେ ସଂଶୋଧନ କରିବା ସହ କ୍ଷମତାର ବିକେନ୍ଦ୍ରିକରଣ ପାଇଁ ଏହି ଇସ୍ତାହାରରେ କୁହାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି, ଜଗନ୍ନାଥ ମିଶ୍ର, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ ଓ ପୁଷ୍ପା ଦାଶ ପ୍ରମୁଖ ଉପସ୍ଥିତି ଥିଲେ ।

Share this story