ପ୍ରଚାର ବନ୍ଦ ବେଳେ ବିଜେପିର ପ୍ରେସମିଟ୍, ସିଇଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

ପ୍ରଚାର ବନ୍ଦ ବେଳେ ବିଜେପିର ପ୍ରେସମିଟ୍, ସିଇଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି
ପ୍ରଚାର ବନ୍ଦ ବେଳେ ବିଜେପିର ପ୍ରେସମିଟ୍, ସିଇଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

ଭୁବନେଶ୍ୱର: ନିର୍ବାଚନ ଆଦର୍ଶ ଆଚରଣ ବିଧିର ବାରମ୍ବାର ଉଲ୍ଲଂଘନ କରି ଚାଲିଥିବା ବିଜେପି ଶେଷରେ ନିର୍ବାଚନ କମିଶନଙ୍କ ଆଦେଶକୁ ବି ଦଳିଚକଟି ଦେଇଛି । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ନିର୍ବାଚନ କମିଶନଙ୍କ ବାରଣ ସତ୍ତ୍ୱେ ଆଜି ବିଜେପି ଏକ ପ୍ରେସମିଟ୍ କରି ନିର୍ବାଚନ ନୀତିନିୟମକୁ ଜଳାଞ୍ଜଳି ଦେଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ବିଜେଡ଼ି ।

ମତଦାନର ୪୮ ଘଣ୍ଟା ପୂର୍ବ ସମୟରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଉପରେ ପ୍ରଚାର କଟକଣା ରହିଛି । ଚଳିତବର୍ଷ ନିର୍ବାଚନ କମିଶନ ଏଥିରେ ଆଉ ଏକ କଟକଣା ଲଗାଇଛନ୍ତି । ଏହି ସମୟରେ (ସାଇଲେନ୍ସ ପିରିୟର୍ଡ) ଷ୍ଟାର ପ୍ରଚାରକ ଏବଂ ଅନ୍ୟ ନେତାମାନେ କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା ନିର୍ବାଚନ ସମ୍ପର୍କରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇପାରିବେ ନାହିଁ ବୋଲି କଡ଼ା କଟକଣା ଜାରି ହୋଇଛି । ଗତ ମାର୍ଚ୍ଚ ୧୫ ତାରିଖରେ ନିର୍ବାଚନ କମିଶନଙ୍କ ପକ୍ଷରୁ ସଚିବ ଏନ.ଟି.ଭୂତିଆ ଚିଠି ନମ୍ବର ୩/ଇଆର/୨୦୧୮/ଏସଡିଆର/ଭଲ୍ୟୁମ୍-୧ ରେ ସବୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଏହାର ଆଦେଶନାମା ପଠାଇଛନ୍ତି ।

ମାତ୍ର ଚକିତର ବିଷୟ, ଉକ୍ତ ଆଦେଶକୁ ବିଜେପି ବେଖାତିର କରି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ନିର୍ବାଚନ କମିଶନଙ୍କ ଆଦେଶ ଏବଂ ନିର୍ବାଚନ ଗାଇଡଲାଇନର ଏହା ସାଘାଂତିକ ଉଲ୍ଲଂଘନ ବୋଲି ବିଜେଡ଼ି ପକ୍ଷରୁ ଦର୍ଶାଯିବା ସହ ବିଜେପି ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର, ଲେଲିନ୍ ମହାନ୍ତି, ଶ୍ରୀମତୀ ସୁଲତା ଦେଓ ଏବଂ ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଦାବି ଜଣାଇଥିଲେ ।

Share this story