ବିଜେପିକୁ ପାଠ ପଢ଼ାଇଲା ବିଜେଡ଼ି; ଉତ୍ତମ ପ୍ରଶାସନ କ’ଣ ଆମଠୁ ଶିଖ

ବିଜେପିକୁ ପାଠ ପଢ଼ାଇଲା ବିଜେଡ଼ି; ଉତ୍ତମ ପ୍ରଶାସନ କ’ଣ ଆମଠୁ ଶିଖ
ବିଜେପିକୁ ପାଠ ପଢ଼ାଇଲା ବିଜେଡ଼ି; ଉତ୍ତମ ପ୍ରଶାସନ କ’ଣ ଆମଠୁ ଶିଖ

ଭୁବନେଶ୍ୱର: ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଜେପିର ୨୦୧୯ ନିର୍ବାଚନୀ ଇସ୍ତାହାରରେ ଯାହାସବୁ ପ୍ରତିଶ୍ରୁତି ଦିଆଯାଇଛି, ବିଗତ ୧୯ ବର୍ଷର ବିଜୁ ଜନତା ଦଳର ଉତ୍ତମ ଶାସନ କାଳରେ ସେହି ସବୁ ଲକ୍ଷ୍ୟ ହାସଲ ହୋଇସାରିଛି । ଆଜି ବିଜୁ ଜନତା ଦଳ ପକ୍ଷରୁ ଜାରି ଏକ ପ୍ରେସ୍ ଇସ୍ତାହାରରେ ବିଜେପିକୁ ତାହା ଅବଗତ କରିବା ସହ ଉତ୍ତମ ପ୍ରଶାସନ କ’ଣ ତାହା ଆମଠୁ ଶିଖ ବୋଲି ଆହ୍ୱାନ ଦିଆଯାଇଛି । ବିଜେଡ଼ି ସରକାରଙ୍କ ସଫଳତାର ଗୋଟି ଗୋଟି କାହାଣୀ ବିଜେପିକୁ ବୁଝାଇ ଦେଇଛି ।

ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବିଜୁ ଜନତା ଦଳ କରିସାରିଛି । ବିଜେପି ଏଥିରୁ ଶିକ୍ଷାଲାଭ କରିବା ଦରକାର ।
ବିଗତ ୧୦ବର୍ଷରେ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ ହୋଇଛି । ଏହା ବିଜୁ ଜନତା ଦଳ ସରକାରଙ୍କ ଉଦ୍ୟମରେ ସମ୍ଭବ ହୋଇଛି ।

ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ କଲ୍ୟାଣ ସୁବିଧା ଦେବାରେ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବିଜେପି ଶିକ୍ଷାଲାଭ କରିବା ଉଚିତ୍ । ଏହି ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା (ହେଲଥ୍ ଆସ୍ୟୁରାନ୍ସ) ଦେବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ପ୍ରତିଶ୍ରୁତି ଦେଇଛନ୍ତି । ଦେଶରେ ଏହା ସର୍ବାଧିକ ଏକଥା ବିଜେପି ଜାଣିବା ଦରକାର ।

ଦକ୍ଷତା ବିକାଶ କ’ଣ ତାହା ବିଜେଡ଼ିଠାରୁ ବିଜେପି ଶିକ୍ଷାଲାଭ କରିବା ଦରକାର । ଗତ ୫ ବର୍ଷରେ ବିଜେଡ଼ି ସରକାର ୯ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରାଇ ଦେଶରେ ୧ ନମ୍ବର ସ୍ଥାନ ପାଇଛି । ଓଡ଼ିଶାର ଏହି ଦକ୍ଷତା ଗ୍ଲୋବାଲ୍ ବ୍ରାଣ୍ଡର ମାନ୍ୟତା ପାଇଛି । ବିଜେପି ଏଥିରୁ ଶିଖୁ ।

ରାସ୍ତା ଉନ୍ନୟନରେ ବିଜେପି ବିଜେଡ଼ିଠାରୁ ଶିକ୍ଷାଲାଭ କରୁ । ଶୋଚନୀୟ ଅବସ୍ଥାରେ ଥିବା ଜାତୀୟ ରାଜପଥର ଉନ୍ନତି ଏବଂ କୋଷ୍ଟାଲ୍ ହାଇୱେ ନିର୍ମାଣ ପାଇଁ ବିଜେପି ଇଞ୍ଚେ ବି ମାଟି ପକେଇ ନ ଥିବା ବେଳେ ବିଜେଡ଼ି ସରକାର ୪୧,୦୦୦ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ କରିଛନ୍ତି । ବିଜେପି ଏଥିରୁ ଶିକ୍ଷାଲାଭ କରିବାକୁ ଏବେ ଉପଯୁକ୍ତ ସମୟ ।

ଏସ୍ସିଏସ୍ଟି ବର୍ଗଙ୍କ କଲ୍ୟାଣ ପାଇଁ ବାହାସ୍ଫୋଟ ମାରୁଥିବା ବିଜେପି ସେମାନଙ୍କର ନ୍ୟାଯ୍ୟ ଛାତ୍ରବୃ୍ତ୍ତିକୁ ବନ୍ଦ କରିଦେଲେ । ବିଆରଜିଏଫ ଏବଂ କେବିକେ ଯୋଜନା ବନ୍ଦ କରିଦେଲେ । ଅନ୍ୟପକ୍ଷରେ ବିଜେଡ଼ି ସରକାର ଆଦିବାସୀ ଅନୁନ୍ନତ ଇଲାକାର ଉନ୍ନତି ପାଇଁ ୯ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆଦିବାସୀ ପିଲାଙ୍କ ପାଇଁ ୫ ଲକ୍ଷ ହଷ୍ଟେଲ୍ ନିର୍ମାଣ କରିଛନ୍ତି । ବିଜେପି ଏଥିରୁ ଶିକ୍ଷାଲାଭ କରିବାକୁ ବହୁତ ସମୟ ଲାଗିଯିବ ।

ଅନ୍ୟପକ୍ଷରେ, ରେଳବାଇ ବିକାଶ କଥା କହି ଡିଣ୍ଡିମ୍ ପିଟୁଥିବା ବିଜେପି ଗତ ୫ ବର୍ଷରେ କିଛି କରିନାହିଁ । ଓଡ଼ିଶାରୁ ବାର୍ଷିକ ୨୦,୦୦୦ କୋଟି ଟଙ୍କାର ରେଳବାଇ ରାଜସ୍ୱ ନେଉଥିବା ବେଳେ ମାତ୍ର ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି । ବିଜେଡ଼ି ସରକାର ମାଗଣା ଜମି ଏବଂ ନିର୍ମାଣ କାର୍ଯ୍ୟର ୫୦% ଅର୍ଥ ଦେଇଥିଲେ ମଧ୍ୟ ନବରଙ୍ଗପୁର ଏବଂ ମାଲକାନଗିରିକୁ ରେଳପଥ ସଂଯୋଗ ହୋଇପାରିଲା ନାହିଁ । ସେହି ଅଞ୍ଚଳବାସୀଙ୍କ ପ୍ରତି ବିଜେପିର ଏହାର ଚରମ ପ୍ରତାରଣା ଏବଂ କୁଠାରଘାତ ।

ଉତ୍ତମ ପ୍ରଶାସନ କ’ଣ ଏବଂ ଜନସାଧାରଣଙ୍କୁ କିଭଳି ଉତ୍ତମ ପ୍ରଶାସନ ଓ ସେବା ଯୋଗାଯାଏ ବିଜୁ ଜନତା ଦଳ ସରକାରଠାରୁ ବିଜେପି ନିହାତି ଶିଖିବା ଆବଶ୍ୟକ । ବିଜେପି ଆଗାମୀ ୫ ବର୍ଷରେ ଯାହା କରିବାକୁ ପ୍ରତିଶ୍ରୁତି ଦେଉଛି ବିଜେଡ଼ି ତାହା ହାସଲ କରିସାରିଛି । ବିଜେପି ଆଉ ଯଦି କିଛି ଅଧିକ କରିବାକୁ ଚାହୁଁଛି ତେବେ ବିଜେଡ଼ିଠାରୁ ଶିଖି ନେବା ଭଲ ବୋଲି ଦଳର ପ୍ରେସ୍ ଇସ୍ତାହାରର କୁହାଯାଇଛି ।

Share this story