ବିଜେପି ନିର୍ବାଚନୀ ଇସ୍ତାହାର ଅବାସ୍ତବ, ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ, କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କ ପାଖରେ ବିଜେଡ଼ିର ଫେରାଦ

ବିଜେପି ନିର୍ବାଚନୀ ଇସ୍ତାହାର ଅବାସ୍ତବ, ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ, କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କ ପାଖରେ ବିଜେଡ଼ିର ଫେରାଦ
ବିଜେପି ନିର୍ବାଚନୀ ଇସ୍ତାହାର ଅବାସ୍ତବ, ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ, କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କ ପାଖରେ ବିଜେଡ଼ିର ଫେରାଦ

ଭୁବନେଶ୍ୱର: ବିଜେପିର ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକ ଯୁକ୍ତିସଙ୍ଗତ ନୁହେଁ ଏବଂ ଅବାସ୍ତବ । ଏହା ଆଦର୍ଶ ଆଚରଣ ବିଧି, ୨୦୧୯ର ଧାରା ୧୮.୩.୨ ଅନୁଯାୟୀ ପର୍ଯ୍ୟବେସିତ ନୁହେଁ । ଏହି ଅଭିଯୋଗ ଧରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଆଜି ଫେରାଦ ହୋଇଛି ବିଜୁ ଜନତା ଦଳ । ବିଜେପି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ଆଦର୍ଶ ଆଚରଣ ବିଧି କହୁଛି, ରାଜନୈତିକ ଦଳର ଇସ୍ତାହାରରେ ପ୍ରତିଶ୍ରୁତିର ବାସ୍ତବତା ରହିବ । ଅର୍ଥନୈତିକ ପ୍ରାସଙ୍ଗିକତା ରହିବ । ବାସ୍ତବତା ଉପରେ ପର୍ଯ୍ୟବେସିତ ହୋଇ ଭୋଟରଙ୍କ ବିଶ୍ୱାସଭାଜନ ହେବ । ମାତ୍ର ବିଜେପି ଇସ୍ତାହାରରେ ଏସବୁ ନାହିଁ ବୋଲି ବିଜେଡ଼ି ଦର୍ଶାଇଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗରେ ବିଜେପି ୨୦୧୪ର ପ୍ରତିଶ୍ରୁତି ପାଳନ କଲାନି । ଏଥର ଇସ୍ତାହାରରେ ଏହାକୁ ବାଦ ଦେଇ ପ୍ରତିଶ୍ରୁତି ପାଳନ କରିପାରିବ ନାହିଁ ବୋଲି ଜଣାଇ ଦେଇଛି । ଏହାଦ୍ୱାରା ବିଜେପି ଭୋଟରଙ୍କ ବିଶ୍ୱାସ ଭାଙ୍ଗିଛି ।

ଏମ୍ଏସ୍ପି ଦୁଇଗୁଣା ବୃଦ୍ଧି ପାଇଁ ୨୦୧୪ରେ ପ୍ରତିଶ୍ରୁତି ଦେଇଥିଲା । ତାହା ପାଳନ ନକରି ୨୦୧୯ ଇସ୍ତାହାରରେ ପୁଣି ଏହାକୁ ସ୍ଥାନିତ କରିଛି । ଏହା ମଧ୍ୟ ଭୋଟରଙ୍କ ପ୍ରତି ବିଶ୍ୱାସଘାତକତା । ଓଡ଼ିଶାର ବଜେଟ୍ ଆକାର ୧.୨ ଲକ୍ଷ କୋଟି ଥିବା ବେଳେ ବିଜେପି ତାର ଇସ୍ତାହାରରେ ଜଳସେଚନ ପାଇଁ ୧ ଲକ୍ଷ କୋଟି ବଜେଟ୍ ର ପ୍ରତିଶ୍ରୁତି ଦେଇ ଅର୍ଥନୀତିକୁ ଆଖିଠାର ମାରିଛି । ୫ ବର୍ଷରେ ୧୫ଟି ବନ୍ଦର ପ୍ରତିଷ୍ଠାର ପ୍ରତିଶ୍ରୁତି ଡାହା ମିଛ । କ୍ଷମତାରେ ଥାଇ ବିଜେପି ଗତ ୫ ବର୍ଷରେ ୫ଟି ବନ୍ଦର ବି ପ୍ରତିଷ୍ଠା କରିପାରିନି । ବାର୍ଷିକ ୨ କୋଟି ଚାକିରି ଓ କର୍ମନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ଜୁମଲାବାଜି ଥିଲା । ପୁଣି ଏଥର ଇସ୍ତାହାରରେ ରାଜ୍ୟର ସବୁ ପରିବାରକୁ କର୍ମନିଯୁକ୍ତିର ପ୍ରତିଶ୍ରୁତି ଡାହା ମିଛ ଛଡ଼ା କିଛି ନୁହେଁ । ସେହିଭଳି ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ପ୍ରତିଶ୍ରୁତି ମଧ୍ୟ ମିଥ୍ୟା ଏବଂ ଅଯୁକ୍ତିକର ବୋଲି ବିଜେଡ଼ି ଦର୍ଶାଇଛି ।

୨୦୧୯ ବିଜେପିର ଏହି ଇସ୍ତାହାର ଆଦର୍ଶ ଆଚରଣ ବିଧିର ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ବିଜେଡ଼ି ପ୍ରତିନିଧି ଦଳରେ ମୁଖପାତ୍ର ଡ. ଲେଲିନ୍ ମହାନ୍ତି, ଡ. ସସ୍ମିତ୍ ପାତ୍ର ଏବଂ ଶ୍ରୀମତୀ ସୁଲତା ଦେଓ ସାମିଲ ଥିଲେ ।

Share this story