ନିର୍ବାଚନ ଆଚରଣ ବିଧିର ଖୋଲା ଉଲଂଘନ କରି ଚାଲିଛି ବିଜେପି, ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡ଼ି
![ନିର୍ବାଚନ ଆଚରଣ ବିଧିର ଖୋଲା ଉଲଂଘନ କରି ଚାଲିଛି ବିଜେପି, ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡ଼ି](https://odiagossip.com/static/c1e/client/83534/migrated/37199afc50ca45850e8978a947cfa0f7.jpg)
![ନିର୍ବାଚନ ଆଚରଣ ବିଧିର ଖୋଲା ଉଲଂଘନ କରି ଚାଲିଛି ବିଜେପି, ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡ଼ି](https://odiagossip.com/static/c1e/client/83534/migrated/37199afc50ca45850e8978a947cfa0f7.jpg)
ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ଆଚରଣ ବିଧିକୁ ବିଜେପି ଖୋଲାଖୋଲି ଉଲ୍ଲଂଘନ କରି ଚାଲିଛି । ସରକାରଙ୍କୁ ଏବଂ ନିର୍ବାଚନ ସହିତ ଜଡ଼ିତ ଅଧିକାରୀମାନଙ୍କ ଭାଷା ଓ ଅଞ୍ଚଳକୁ ନେଇ ଆକ୍ଷେପ ଓ ଧମକ ଚମକ ଦିଆଯାଉଛି । ଭାଷା ଓ ଧର୍ମକୁ ନେଇ ଭୋଟ ଭିକ୍ଷା କରାଯାଉଛି । ଓଡ଼ିଶାରେ ବିଜେପିର ଏଭଳି ଖୁଲମ୍ ଖୋଲା କାର୍ଯ୍ୟକଳାପରୁ ୮ଟି ଘଟଣାକୁ ନମୁନା ଭାବେ ନେଇ ତଥ୍ୟ ପ୍ରମାଣ ସହ ଆଜି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଅବଗତ କରିଛି ବିଜୁ ଜନତା ଦଳ ।
ଘଟଣା ନଂ-୧: ହିଂଜିଳି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ଗାଡ଼ିକୁ ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚ ପାଇଁ ଅଟକାଇବାରୁ ସେ କିଭଳି ଉତକ୍ଷିପ୍ତ ହୋଇଥିଲେ ଏବଂ ସଂପୃକ୍ତ ଅଧିକାରୀଙ୍କୁ ଧମକଚମକ ଦେଇ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ତାହାର ଭିଡ଼ିଓ ନିଜେ ଶ୍ରୀ ଆଚାର୍ଯ୍ୟ ତାଙ୍କ ଫେସବୁକ୍ ରେ ଅପଲୋଡ଼ କରିଛନ୍ତି । ଏହି ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲେ ମଧ୍ୟ ନିଜେ ଶ୍ରୀ ଆଚାର୍ଯ୍ୟ ତାଙ୍କ ଫେସବୁକ୍ ଆକାଉଣ୍ଟରେ ପକାଇଥିବାରୁ ତାହାର ବୈଧତା ନେଇ ସନ୍ଦେହ କରିବାର ନାହିଁ । କାରଣ ଶ୍ରୀ ଆଚାର୍ଯ୍ୟ ଜଣେ ଜଣାଶୁଣା ଓକିଲ ହୋଇଥିବାରୁ ଜାଲ୍ ଭିଡ଼ିଓ ପ୍ରତି ନିଶ୍ଚିତ ସଚେତନ ଥିବେ ।
ଘଟଣା ନଂ-୨: କିଛି ଦିନ ତଳେ ସୋସିଆଲ୍ ମିଡ଼ିଆରେ ଆଉ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା । ଏକ ସଭାରେ ଜଣେ ପୁଲିସ କର୍ମଚାରୀ ତାଙ୍କ ମୋବାଇଲ୍ ରେ ଧର୍ମେନ୍ଦ୍ରଙ୍କ ଫଟୋ ଉଠାଉଥିବା ବେଳେ ସେ ତାଙ୍କୁ ଧମକାଇବା ସହ ତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ଉକ୍ତ ଭିଡ଼ିଓକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଅଣାଯାଇଥିଲା । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ।
ଘଟଣା ନଂ-୩: ବିଜେପିର ଅଫିସିଆଲ୍ ଫେସବୁକ୍ ପେଜ୍ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରାଯାଇ ଅନେକ ତାତ୍ସଲ୍ୟପୂର୍ଣ୍ଣ ଭିଡ଼ିଓ ପୋଷ୍ଟ କରାଯାଉଛି । କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତିର ବାକ୍ ସ୍ୱାଧୀନତା ଉପରେ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ବିଶ୍ୱାସ କରେ । ଗୋଟିଏ ରାଜ୍ୟର ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ସୀମା ସରହଦ ଭୁଲି କୁତ୍ସିତ ଢ଼ଙ୍ଗରେ ସମାଲୋଚନା କରିବାରେ ଯଦି ଖୁସି ହେଉଛି, ତାହା ସେମାନଙ୍କର ସଂସ୍କୃତି । ତେଣୁ ବିଜେଡ଼ିର ସେଥିରେ କୌଣସି ଆପତ୍ତି ନାହିଁ । ମାତ୍ର ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଏଭଳି ରାଜନୈତିକ ବିଷୟବସ୍ତୁ ସମ୍ବଳିତ ବିଜ୍ଞାପନକୁ ନିର୍ବାଚନ ପ୍ରଚାର ଆୟୁଧ କରି ଟିଭି, ଇଲେକଟ୍ରୋନିକ୍ସ ମିଡ଼ିଆ ଏବଂ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଛାଡ଼ିବାକୁ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମିଡ଼ିଆ ସାର୍ଟିଫିକେଟ୍ କମ୍ ମନିଟରିଂ ସେଲର ପୂର୍ବ ଅନୁମତି ଦରକାର । ମାତ୍ର ବିଜେପି କ୍ଷେତ୍ରରେ ତାହାର ଉଲ୍ଲଂଘନ ହୋଇଛି ।
ଘଟଣା ନଂ-୪: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ଅଡ଼ିଓ କ୍ଲିପ୍ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଛି । ସେଥିରେ ଧର୍ମେନ୍ଦ୍ର କହୁଛନ୍ତି ଯେ ରାଜ୍ୟର ଜଣେ ଅଣ ଓଡ଼ିଆ ଆଇପିଏସ୍ ଅଫିସର କିଛି ଅଣଓଡ଼ିଆ ଆଇଏଏସ୍ ଙ୍କ ସହ ମିଶି ଲୁଟ୍ କରୁଛନ୍ତି ଏବଂ ଓଡ଼ିଶାର ପୁଲିସ ଅଫିସରଙ୍କ ଉପରେ ରାଜ୍ କରୁଛନ୍ତି । ଉକ୍ତ ଅଡ଼ିଓରେ କେନ୍ଦ୍ରମନ୍ତ୍ରୀ ସଂପୃକ୍ତ ଅଫିସରମାନଙ୍କ ବିରୋଧରେ ସମ୍ମାନହାନୀ ଓ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଛନ୍ତି । ତେବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶପଥ ନେବା ବେଳେ ସମ୍ବିଧାନର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ଏବଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତୀୟଙ୍କ ମଧ୍ୟରେ ଏକତାର ଶପଥ ନେଇଛନ୍ତି । ମାତ୍ର ଶ୍ରୀ ପ୍ରଧାନ ସମ୍ବିଧାନର ଏହି ମୌଳିକ କର୍ତ୍ତବ୍ୟକୁ ଭୁଲିଯାଇଛନ୍ତି ଏବଂ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ଆଇନକୁ ବି ଆଖି ବୁଜି ଦେଇଛନ୍ତି । ଲୋକପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୫ ଏବଂ ଆଇପିସର ଧାରା ୧୫୩ ଏ ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଜୁଯ୍ୟ । ନିର୍ବାଚନ କମିଶନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଇ ଅନୁଷ୍ଠାନ ଓ ସମ୍ବିଧାନର ମର୍ଯ୍ୟାଦା ରଖିବା ଆବଶ୍ୟକ ।
ଘଟଣା ନଂ-୫: ହିଜିଂଳି ବିଧାନସଭା ଆସନର ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ଫେସବୁକ୍ ପେଜ୍ ରେ ପୋଷ୍ଟ ହୋଇଥିବା ଏକ ଭିଡ଼ିଓରେ ସେ ଶେରଗଡ଼ ଥାନାକୁ ଯାଇ ପୁଲିସ ଅଧିକାରୀମାନଙ୍କୁ ଧମକାଉଥିବା ଦେଖିବାକୁ ମିଳିଛି । ଏହି ଭିଡ଼ିଓଟି କିଛି ଗଣମାଧ୍ୟମ ପ୍ରତିନିଧି ଏବଂ ଶ୍ରୀ ଆଚାର୍ଯ୍ୟଙ୍କ ସମର୍ଥକମାନଙ୍କ ଦ୍ୱାରା ସୁଟ୍ ହୋଇଥିବା ଜଣାପଡିଛି । ଶ୍ରୀ ଆଚାର୍ଯ୍ୟ ଥାନା ଭିତରେ ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ହାଜତକୁ ଜୋରଜବରଦସ୍ତ ଖୋଲୁଥିବା ଦେଖିବାକୁ ମିଳୁଛି । ଗୋଟିଏ ଥାନାରେ ପଶି ଜଣେ ବିଧାୟକ ପ୍ରାର୍ଥୀ ଯିଏ ପୁଣି ଜଣେ ଓକିଲ ଏଭଳି ଆଇନକୁ ନିଜ ହାତରେ ନେବା ଦୃଶ୍ୟର ଭିଡ଼ିଓକୁ ଶ୍ରୀ ଆଚାର୍ଯ୍ୟ ନିଜ ଫେସବୁକ୍ ପେଜ୍ ରେ ପୋଷ୍ଟ କରିଛନ୍ତି ।
ଘଟଣା ନଂ-୬: ବିଜେପି ଉପସଭାପତି ସମୀର ମହାନ୍ତି ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ ୫୦ ଜଣ ସମର୍ଥକଙ୍କୁ ଧରି ଧସେଇ ପଶିବା ସହ ବିଜେଡ଼ି ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ କରି ତାହା ନାକଚ କରିବାକୁ ଦାବି କରିଥିଲେ । ମନୋନୟନପତ୍ର ଯାଞ୍ଚ ବେଳେ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ, ତାଙ୍କ ଓକିଲ, ଏଜେଣ୍ଟ ଏବଂ ପ୍ରାର୍ଥୀଙ୍କ ଦ୍ୱାରା ସ୍ୱୀକୃତପ୍ରାପ୍ତ ଆଉ ଜଣେ ବ୍ୟକ୍ତି କେବଳ ଉପସ୍ଥିତ ରହିପାରିବେ । ମାତ୍ର ସମୀର ମହାନ୍ତି ଏଥିରୁ କୌଣସି ଗୋଟିଏ ବି ହୋଇ ନ ଥିଲା ବେଳେ ସେଠାକୁ ୫୦ ଜଣ ସମର୍ଥକଙ୍କୁ ଧରି ଜୋରଜବରଦସ୍ତ ପଶି ଧାରଣାରେ ବସିଥିଲେ । ଅଫିସକୁ ଜାଳିଦେବେ ବୋଲି ଧମକାଇଥିଲେ । ପ୍ରମାଣ ଭାବେ ଅଫିସ ସିଟିଟିଭିରେ ସେସବୁ ଦୃଶ୍ୟ କଏଦ ରହିଥିବା ବିଜେଡି ଉଲ୍ଲେଖ କରିଛି ।
ଘଟଣା ନଂ-୭: କେନ୍ଦ୍ରାପଡ଼ାର ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଯେଉଁ ହେଲିକପ୍ଟର ଧରି ନିର୍ବାଚନ ପ୍ରଚାର କରୁଛନ୍ତି ତାହାର ବ୍ୟବସାୟିକ ଉଡ଼ାଣ ଲାଇସେନ୍ସ ନାହିଁ । କମର୍ସିଆଲ୍ ଚାର୍ଟର ନ ଥିବା ହେଲିକପ୍ଟରକୁ ଭଡ଼ାରେ ବି ନିଆଯାଇପାରିବ ନାହିଁ । ଇମ୍ଫା ଖଣି କମ୍ପାନୀର ମାଲିକାନାରେ ରହିଛି ଏହି ହେଲିକପ୍ଟର । ବୈଜୟନ୍ତ ଏହି କମ୍ପାନୀର ଉପାଧ୍ୟକ୍ଷ ଏବଂ ସହମାଲିକ ହୋଇଥିବାରୁ ହେଲିକପ୍ଟର ବାବଦ ଖର୍ଚ୍ଚ ତାଙ୍କର ନିର୍ବାଚନୀ ଖର୍ଚ୍ଚ ତାଲିକାରେ ପ୍ରତିଫଳନ ହେଉନାହିଁ । ଏହା ନିର୍ବାଚନୀ ଖର୍ଚ୍ଚ ଆଇନର ଉଲ୍ଲଂଘନ କରୁଛି ।
ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ବିଜେଡ଼ି ଦର୍ଶାଇଛି, ଓଡ଼ିଶାରେ ଏହିଭଳି ଅନେକ ଘଟଣାରୁ ହାତଗଣତି ଘଟଣାର ଉଦାହରଣ ଦିଆଯାଇଛି । ବିଜେପି ପ୍ରାର୍ଥୀ, ନେତା ଏବଂ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଆଇନକାନୁନ କି ନିର୍ବାଚନ ଆଚରଣ ବିଧି ମାନେ ରଖୁନାହିଁ । ଅଫିସରମାନଙ୍କୁ ଧମକାଇବା ସେମାନଙ୍କର ଅଭ୍ୟାସ ହୋଇଯାଇଛି । ଖାସ୍ କରି ପୂର୍ବରୁ ବିହାର ଏବଂ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଉଗ୍ର କାର୍ଯ୍ୟକଳାପ ଜରିଆରେ ଶାନ୍ତ ଓଡ଼ିଶାକୁ ଅଶାନ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ସଂପୃକ୍ତ ପୁଲିସ ଓ ଅଫିସରମାନଙ୍କୁ ଖୋଲାଖୋଲି ଧମକ ଦିଆଯାଉଛି । ଏଭଳିସ୍ଥିତିରେ ଓଡ଼ିଶାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ନେଇ ବିଜୁ ଜନତା ଦଳର ଆଶଙ୍କା ରହିଛି । ନିର୍ବାଚନ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରିବାକୁ ନିର୍ବାଚନ କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡ଼ି ପକ୍ଷରୁ ନିବେଦନ କରାଯାଇଛି ।
ବିଜେଡ଼ି ଆଇଟି ସେଲ୍ ଅଧ୍ୟକ୍ଷ ଅମର ପଟ୍ଟନାୟକ, ମୁଖପାତ୍ର ଡ. ସସ୍ମିତ୍ ପାତ୍ର, ଲେଲିନ୍ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ସୁଲତା ଦେଓ ଏବଂ ଛାତ୍ର ବିଜେଡ଼ି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖଙ୍କ ଦସ୍ତଖତରେ ଏହି ସ୍ମାରକପତ୍ର ଦିଆଯାଇଛି ।