ବିଜେପିର ହିଂସାକାଣ୍ଡ ଓ ଓଟିଭି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡ଼ି

ବିଜେପିର ହିଂସାକାଣ୍ଡ ଓ ଓଟିଭି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡ଼ି
ବିଜେପିର ହିଂସାକାଣ୍ଡ ଓ ଓଟିଭି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡ଼ି

ଭୁବନେଶ୍ୱର: ପୃଥକ୍ ଭାବେ ୪ଟି ଗୁରୁତ୍ୱ ପ୍ରସଙ୍ଗ ଧରି ଆଜି ମୁଖ୍ୟ ନିର୍ବାଚନ ଅଧିକାରଙ୍କ ପାଖରେ ଫେରାଦ ହୋଇଥିଲା ବିଜେଡ଼ି । ବିଜେପିର ଅପରାଧିକ କାର୍ଯ୍ୟକଳାପ ଏବଂ ବିଜେପିର ପ୍ରଚାରକ ସାଜିଥିବା ଓଟିଭି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଥିଲା ।

ବିଜେଡ଼ି ଦର୍ଶାଇଛି, ରାଜ୍ୟରେ ନିର୍ବାଚନ ପ୍ରକ୍ରିୟାରେ ବିଜେପି ବାଧା ସୃଷ୍ଟି କରିବା ସହ ଅପରାଧିକ କାର୍ଯ୍ୟକଳାପ ବଢ଼ାଇ ଦେଇଛି । ଗତକାଲି ସୋରଡ଼ାରେ ବିଜେପି ପ୍ରାର୍ଥୀ ନୀଳମଣି ବିଶୋୟୀ ବୁଥ୍ ଉପରେ ଆକ୍ରମଣ କରି ଇଭିଏମ୍ ଭାଙ୍ଗିବା ଘଟଣା କେବଳ ନୁହେଁ । ସାରା ରାଜ୍ୟରେ ବିଜେପିର ଅପରାଧିକ କାର୍ଯ୍ୟକଳାପ ଏବଂ ଅନେକ ଆକ୍ରମଣ ଘଟଣା ନଜରକୁ ଆସିଛି । ଏସବୁ ହୀନ କାର୍ଯ୍ୟ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଇଙ୍ଗିତ ରହିଛି । ବିହାର ଏବଂ ମଧ୍ୟପ୍ରଦେଶରୁ ସେ ରାଜ୍ୟସଭାକୁ ଯାଇଥିବାରୁ ସେଠାକାର ହିଂସା ସଂସ୍କୃତି ଓଡ଼ିଶାକୁ ଆଣିଛନ୍ତି ।

ଓଟିଭି ଚାନେଲ ବିଜେପିର ପ୍ରଚାର ଓ ପ୍ରସାର ପାଇଁ ପ୍ରମୁଖ ମାଧ୍ୟମ ପାଲଟିଛି ଏବଂ ବିଜେପିର ପେଡ ନ୍ୟୁଜ୍ ପ୍ରସାରଣ କରୁଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ନିର୍ବାଚନ କମିଶନଙ୍କ ଦ୍ୱାରା ଗଠିତ ଏକ ସ୍ୱାଧୀନ ମନିଟରିଂ ଟିମ୍ ଜରିଆରେ ଓଟିଭି କାର୍ଯ୍ୟକ୍ରମଗୁଡ଼ିକୁ ଅନୁଧ୍ୟାନ କରାଗଲେ ସତ କ’ଣ ସ୍ପଷ୍ଟ ହୋଇଯିବ ବୋଲି ବିଜେଡ଼ି ଜଣାଇଛି ।

ସେହିପରି ଗତକାଲି ଓଟିଭିର ‘ଖୋଲାକଥା’ ରେ କଟକ ଲୋକସଭା ଆସନର ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ସାକ୍ଷାତକାର ପ୍ରସାରିତ ହୋଇଥିଲା । ଓଟିଭି ବିଜେପିର କ୍ୟାମ୍ପେନ୍ ପ୍ଲାଟଫର୍ମ ହେବାରେ ନୂତନତ୍ୱ ନ ଥିଲେ ମଧ୍ୟ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ଏହି ସାକ୍ଷାତକାରଟି ତାଙ୍କ ପ୍ରଚାର ପାଇଁ ଉଦ୍ଦିଷ୍ଟ ଥିଲା । ତେଣୁ ଏହି ପ୍ରଚାର ଓ ପ୍ରମୋସନ୍ ଧର୍ମୀ କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ଯଥା- ନିର୍ମାଣ ଖର୍ଚ୍ଚ, ପ୍ରସାର ଖର୍ଚ୍ଚକୁ ଓଟିଭିର ବିଜ୍ଞାପନ ଧାର୍ଯ୍ୟମତେ ସ୍ଥିର କରାଯାଇ ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ନିର୍ବାଚନ ଖର୍ଚ୍ଚ ତାଲିକାରେ ଯୋଡାଯାଉ । ଏହା ନ ହେଲେ ନିର୍ବାଚନ ଗାଇଡଲାଇନର ବେଖାତିର ହେବ ଏବଂ ସମସ୍ତ ପ୍ରାର୍ଥୀଙ୍କ ପାଇଁ ନ୍ୟାୟ ହେବନି ।

ଭୋଟ ଗ୍ରହଣ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ପାଇଁ ପଚାର ବିରତି ସମୟରେ ବିଜେପି ପ୍ରେସ୍ ମିଟ୍ ଏବଂ ବିଜେପି ନେତାମାନେ ଟିଭିରେ ବାଇଟ୍ ଦେଉଥିଲେ ହେଁ ନିର୍ବାଚନ କମିଶନଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଗତ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସମୟରେ ଏହା ଦେଖିବାକୁ ମିଳିଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ପୁଣି ଦାବି ଜଣାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ବିଜେଡ଼ି ପ୍ରତିନିଧିଦଳରେ ମୁଖପାତ୍ର ଲେଲିନ୍ ମହାନ୍ତି, ଡ. ସସ୍ମିତ୍ ପାତ୍ର ଏବଂ ଶ୍ରୀମତୀ ସୁଲତା ଦେଓ ସାମିଲ ଥିଲେ ।

Share this story