‘ନିର୍ବାଚନ ଆଇନ ଉଲ୍ଲଂଘନକାରୀ ବିଜେପି ନେତାଙ୍କୁ ନିର୍ବାଚନ କମିଶନଙ୍କ ସୁରକ୍ଷା’

‘ନିର୍ବାଚନ ଆଇନ ଉଲ୍ଲଂଘନକାରୀ ବିଜେପି ନେତାଙ୍କୁ ନିର୍ବାଚନ କମିଶନଙ୍କ ସୁରକ୍ଷା’
‘ନିର୍ବାଚନ ଆଇନ ଉଲ୍ଲଂଘନକାରୀ ବିଜେପି ନେତାଙ୍କୁ ନିର୍ବାଚନ କମିଶନଙ୍କ ସୁରକ୍ଷା’

ଭୁବନେଶ୍ୱର: ନିର୍ବାଚନ ଆଚରଣ ବିଧିକୁ ବିଜେପି ଖୋଲାଖୋଲି ଉଲ୍ଲଂଘନ କରି ଚାଲିଛି ଏବଂ ବିଜେଡ଼ି ଏହାର ସଦ୍ୟ ତଥ୍ୟପ୍ରମାଣ ଦେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରି ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଆଜି ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ଉପରେ ଆପତ୍ତି ଉଠାଯାଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ପରିପ୍ରେକ୍ଷୀରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ପୁନର୍ବାର ଦାବି କରାଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଡ. ସସ୍ମିତ ପାତ୍ର, ଲେଲିନ୍ ମହାନ୍ତି ଏବଂ ଶ୍ରୀମତୀ ସୁଲତା ଦେଓ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ ।

ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍ ର କାର୍ଯ୍ୟରେ ବାଧା ଦେବା ସହ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଲି ଆଖି ଦେଖାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସମାନ ଘଟଣାରେ ବିଜେଡ଼ିର ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଗିରଫ ହୋଇନାହାନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଆଇନ ଅଲଗା ବାଟରେ କାହିଁକି ? ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ ।

ଭୁବନେଶ୍ୱର(ମଧ୍ୟ) ଆସନର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଖାଲି ଗାଡ଼ି ଉପରେ ବୋମାମାଡ଼ ଘଟଣାର ଷଡ଼ଯନ୍ତ୍ରକାରୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଓ ତାଙ୍କର ସହଯୋଗୀମାନଙ୍କର ଲାଏ ଡିଟେକ୍ଟର ଏବଂ ନାର୍କୋ-ଆନାଲିସସ୍ ପରୀକ୍ଷା କରାଯାଉ ।

ଆଜି ଭୋଟ ଦେବାକୁ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ବୁଥ୍ ବାହାରେ ଦଳୀୟ ପ୍ରଚାର କରିଥିଲେ । ନିର୍ବାଚନ ଆଚରଣ ବିଧିର ଏଭଳି ଖୋଲା ଉଲ୍ଲଂଘନକାରୀ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ।

ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ନିଜର ୨୦-୨୫ ଜଣ ସମର୍ଥକଙ୍କୁ ଧରି ଆଇଆର୍ସି ଭିଲେଜ, ରେଣ୍ଟାଲ୍ କଲୋନୀ ଏବଂ ୪୪ ନମ୍ବର ୱାର୍ଡର ଯୋଗୀନାଥ ୟୁପି ସ୍କୁଲ ବୁଥ୍ ଭିତରକୁ ପଶିଥିଲେ । ଭୋଟ ଗ୍ରହଣ ବେଳେ ଶ୍ରୀମତୀ ଷଡ଼ଙ୍ଗୀଙ୍କର ଏଭଳି ପ୍ରବେଶକୁ ପୁଲିଂ କର୍ମଚାରୀମାନେ ବିରୋଧ କରିନଥିଲେ ।

ପ୍ରଚାର ନିରବ ଅବଧି ନିୟମକୁ ଭାଙ୍ଗିବାରେ ବିଜେପି ଅଭ୍ୟସ୍ତ ହୋଇଯାଇଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ବ୍ୟାପକ ଭାବେ ଏହି ନିୟମ ଉଲ୍ଲଂଘନ କରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟରେ ଅନୁରୂପ ଦେଖିବାକୁ ମିଳିଛି । ସିଇଓଙ୍କୁ ଏହା ପୂର୍ବରୁ ବାରମ୍ବାର ଅବଗତ କରାଯାଇଛି ।

ପ୍ରଚାର ବ୍ୟାନ୍ ଥିବା (ନିରବ ଅବଧି) ବେଳେ ୨୨ ତାରିଖରେ ବିଜେପି ଏକ ପ୍ରେସମିଟ୍ କରିଥିଲା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲେ ମଧ୍ୟ ସିଇଓ ପଦକ୍ଷେପ ନେଇନାହାନ୍ତି ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଚାର ବ୍ୟାନ୍ ନିୟମକୁ ଓଟିଭି ଉଲ୍ଲଂଘନ କରିବା ବେଳେ ସିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମାତ୍ର କାର୍ଯ୍ୟାନୁଷ୍ଠାନ ନ ହେବାରୁ ତୃତୀୟ ପର୍ଯ୍ୟାୟରେ ଓଟିଭି ସେହି ନିୟମର ପୁଣି ଉଲ୍ଲଂଘନ କରିଛି । ସ୍କ୍ରଲିଂ ନ୍ୟୁଜ୍ ଏବଂ ନେତାଙ୍କ ବାଇଟ୍ ପ୍ରସାର କରିଛି ।
ପ୍ରଚାର ବ୍ୟାନ୍ ସମୟରେ ଓଟିଭି ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ୍ ପାତ୍ରଙ୍କ ବାଇଟ୍ ଏବଂ ସ୍କ୍ରଲିଂ ନ୍ୟୁଜ୍ ପ୍ରସାର କରିଥିଲା । ଏ ସମ୍ପର୍କରେ ସିଇଓଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ମାତ୍ର କିଛି ହେଲାନି ।

ଘଷିପୁରା ନିର୍ବାଚନମଣ୍ଡଳୀର ରାମଚନ୍ଦ୍ରପୁରଠାରେ ବିଜେଡ଼ି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ଜଣାଶୁଣା ଅପରାଧୀ ରମେଶ ଜେନା ଧମକଚମକ ଦେଇ ହିଂସାକାଣ୍ଡ କରିଥିଲେ । ଏ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ହେଉ । ଭୁବନେଶ୍ୱର(ମଧ୍ୟ) ଆସନର ବିଜେଡ଼ି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ।

Share this story