ବିଜେଡିର ପ୍ରଶ୍ନ: ସତ୍ୟବାଦୀ ବିଜେପି ପ୍ରାର୍ଥୀଙ୍କୁ ରାଜ୍ୟ ପାର୍ କରାଇଛନ୍ତି କିଏ ?

ବିଜେଡିର ପ୍ରଶ୍ନ: ସତ୍ୟବାଦୀ ବିଜେପି ପ୍ରାର୍ଥୀଙ୍କୁ ରାଜ୍ୟ ପାର୍ କରାଇଛନ୍ତି କିଏ ?
ବିଜେଡିର ପ୍ରଶ୍ନ: ସତ୍ୟବାଦୀ ବିଜେପି ପ୍ରାର୍ଥୀଙ୍କୁ ରାଜ୍ୟ ପାର୍ କରାଇଛନ୍ତି କିଏ ?

ଭୁବନେଶ୍ୱର: ଭୋଟବୁଥ୍ ରେ ପଶି ଇଭିଏମ୍ ଭଙ୍ଗାରୁଜା କରିବା ସହ ପୋଲିଂ କର୍ମଚାରୀଙ୍କୁ ଧମକାଇଥିବା ସତ୍ୟବାଦୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଓଡ଼ିଶାରୁ ଫେରାର କରାଇଥିବା ବ୍ୟକ୍ତିଜଣଙ୍କ କିଏ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପ୍ରଶ୍ନ କରିଛି ।

ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର, ଲେଲିନ୍ ମହାନ୍ତି ଏବଂ ସୁଲତା ଦେଓ କହିଛନ୍ତି, ଫେରାର୍ ଓମ୍ ପ୍ରକାଶଙ୍କୁ ଲୁକଆଉଟ୍ ନୋଟିସ୍ ଜାରି ହୋଇଛି । ମାତ୍ର ଆଇନକୁ ସହଯୋଗ ନ କରି ନିଜ ପ୍ରାର୍ଥୀଙ୍କ ଫେରାର ସମ୍ପର୍କରେ ବିଜେପିର ପାଟି ଖୋଲୁନାହିଁ । ଓମ୍ ପ୍ରକାଶଙ୍କୁ ଓଡ଼ିଶାରୁ କିଏ ଫେରାର କରାଇଛନ୍ତି ଏବଂ ତାଙ୍କ ପାଇଁ କିଏ ଟିକେଟ୍ ବୁକ୍ କରିଛନ୍ତି ? ଛତ୍ରପୁର ଲକ୍ଷ୍ମୀଦତ୍ତ ମର୍ଡର ଆସାମୀଙ୍କୁ ଉତ୍ତରାଖଣ୍ଡ ଗେଷ୍ଟ ହାଉସ୍ ରେ ଆଶ୍ରୟ ଦେଇଥିବା ବ୍ୟକ୍ତି ସିଏ ନୁହଁନ୍ତି ତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ବିଜେଡ଼ି ମୁଖପାତ୍ର କହିଛନ୍ତି, ଓଡ଼ିଶାରେ ନିର୍ବାଚନୀ ହିଂସା ବଢ଼ିଯାଇଛି । ତୃତୀୟ ପର୍ଯ୍ୟାୟ ଭୋଟ ବେଳେ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗିରୋଲଠାରେ ବିଜେଡ଼ି କର୍ମୀ ରାଜେନ୍ଦ୍ର ବେହେରାଙ୍କୁ ବିଜେପି କର୍ମୀମାନେ ପିଟାପିଟି କରିଥିଲେ । ରାଜେନ୍ଦ୍ର ଏବେ ଚିକିତ୍ସାଧୀନ ଅଛନ୍ତି ।

ସେହି ନିର୍ବାଚନମଣ୍ଡଳୀର କମା ଶାସନରେ ବିଜେପି କର୍ମୀମାନେ ଇଭିଏମ୍ ଭଙ୍ଗାରୁଜା କରିଥିଲେ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ନିଜର ପରାଜୟ ସୁନିଶ୍ଚିତ ହୋଇଥିବାରୁ ହତାଶା ହୋଇ ହିଂସାକାଣ୍ଡର ଆଶ୍ରୟ ନେଇଛି । ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ସୋରଡ଼ାର ବିଜେପି ପ୍ରାର୍ଥୀ ନୀଳମଣି ବିଶୋୟୀ ଇଭିଏମ୍ ଭାଙ୍ଗି ଦେଇଥିଲେ । ଏହି ବ୍ୟକ୍ତିଙ୍କ ବିରୋଧରେ ୩ଟି ହତ୍ୟା ମାମଲା ସମେତ ୨୮ଟି ଅପରାଧିକ ମାମଲା ଅଛି । ଏଭଳି ବ୍ୟକ୍ତିମାନଙ୍କୁ ବିଜେପି ପ୍ରାର୍ଥୀ କରି ଓଡ଼ିଶାରେ ହିଂସାକାଣ୍ଡ ଭିଆଉଛି ।

ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଏବଂ ରାଜ୍ୟର ଶାନ୍ତିପୂର୍ଣ୍ଣ ରାଜନୈତିକ ସଂସ୍କୃତି ଦେଶବ୍ୟାପୀ ପ୍ରଶଂସିତ ହୋଇଆସୁଛି । ମାତ୍ର ଏବେକାର ପରିସ୍ଥିତି ଓଡ଼ିଶାର ନିରୀହ ଓ ଶାନ୍ତିପୂର୍ଣ୍ଣ ଲୋକମାନଙ୍କୁ ଚକିତ ଓ ମର୍ମାହତ କରୁଛି । ଓଡ଼ିଶାରେ ଏହି ରାଜନୈତିକ ହିଂସାକାଣ୍ଡର ମୁଖ୍ୟ ପୃଷ୍ଠପୋଷକତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୁଛନ୍ତି ବୋଲି ବିଜେଡ଼ି ସିଧାସଳଖ ଅଭିଯୋଗ କରିଛି । ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଥିବାରୁ ସେଠାକାର ହିଂସାକାଣ୍ଡ ସଂସ୍କୃତିକୁ ଓଡ଼ିଶାରେ ସେ ଆପଣେଛନ୍ତି । ତେବେ ଓଡ଼ିଶାବାସୀ ଏଭଳି ବ୍ୟକ୍ତି ଏବଂ ତାଙ୍କ ଦଳକୁ କେବେହେଲେ କ୍ଷମା ଦେବେ ନାହିଁ । ଏହି ନିର୍ବାଚନରେ ସେମାନେ ଦୃଢ଼ ଜବାବ ପାଇଯିବେ ବୋଲି ବିଜେଡ଼ି ମୁଖପାତ୍ର କହିଛନ୍ତି ।

ଏହି ମର୍ମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବିଜେଡି ପ୍ରତିନିଧି ଦଳ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।

Share this story