ଦେବୀରଞ୍ଜନ ଛାତ୍ର ଓ ଚନ୍ଦ୍ରସାରଥୀ ହେବେ ଯୁବ ସଭାପତି !

ଦେବୀରଞ୍ଜନ ଛାତ୍ର ଓ ଚନ୍ଦ୍ରସାରଥୀ ହେବେ ଯୁବ ସଭାପତି !
ଦେବୀରଞ୍ଜନ ଛାତ୍ର ଓ ଚନ୍ଦ୍ରସାରଥୀ ହେବେ ଯୁବ ସଭାପତି !

ଖୁବଶୀଘ୍ର ବିଜୁ ଜନତା ଦଳର ସାଂଗଠନିକ ସ୍ଥରରେ ହେବ ବଡ଼ ଧରଣର ପରିବର୍ତ୍ତନ । ଛାତ୍ର, ଯୁବ ବିଜେଡିର ନେତୃତ୍ୱ ପରିବର୍ତ୍ତନ ହେବ । ଏହା ସହ ଜିଲ୍ଳାୱାରୀ ପର୍ଯ୍ୟବେକ୍ଷକ ସ୍ଥରରେ ମଧ୍ୟ ଆମୁଳଚୁଳ ପରିବର୍ତ୍ତନ କରାଯିବ । ତେବେ ଏହାରି ମଧ୍ୟରେ ଛାତ୍ର ସଭାପତି ପଦକୁ ନେଇ ଗତ କିଛି ଦିନ ଧରି ବେଶ ଉତ୍କଣ୍ଠା ଦେଖାଯାଇଛି ।

ଛାତ୍ରନେତା ମାନେ ନିଜ ଗଡ଼ଫାଦରଙ୍କ ଶରଣ ପଶିଥିବା ବେଳେ ଏକ ଭିତିରି ଖବର ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ନିକଟରେ ହସ୍ତଗତ ହୋଇଛି । ପ୍ରାପ୍ତ ଖବର ଅନୁଯାୟୀ ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ପୁଅ ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓରଫ ଟୁବୁ ହେବେ ଆଗାମୀ ଛାତ୍ର ସଭାପତି ।

ଏ ନେଇ କେବଳ ଘୋଷଣା ବାକିଥିବା ବେଳେ ମନୋନୟନ ପ୍ରାୟତଃ ଶେଷ ହୋଇଛି । ଦେବୀରଞ୍ଜନଙ୍କ ପାଇଁ ଅନେକ ନେତା ହାଇକମାଣ୍ଡଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅରୁଣ ସାହୁ ଓ ଦେବାଶିଷ ସାମନ୍ତରାୟଙ୍କ ପଟ୍ଟଶିଷ୍ୟ ଭାବେ ଜଣାଶୁଣା ଦେବୀରଞ୍ଜନଙ୍କ ପାଇଁ କିଛି ନେତା ପ୍ରବଳ ଲବି କରୁଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ୨୪ ହଜାରରୁ ଅଧିକ ଭୋଟରେ ଜିତି ନିଜ ସାଂଗଠନିକ ଦକ୍ଷତା ଦେଖାଇଥିବା ଦେବୀ ପୂର୍ବରୁ ମଧ୍ୟ କଟକ ଜିଲ୍ଲାରେ ଛାତ୍ର ସଂଗଠନ ସହ ଜଡିତ ରହିଥିଲେ । ଏଣୁ ରାଜ୍ୟ ଦାୟିତ୍ଵ ସେ ସଠିକ ଭାବେ ତୁଲାଇପାରିବେ ବୋଲି ଜନୈକ ଯୁବ ବିଧାୟକ ନିଜ ନାମ ଗୋପନ ରଖି କହିଛନ୍ତି ।

ଦେବୀରଞ୍ଜନଙ୍କ ସହ ଏହି ରେସରେ ଅନେକ ଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବା ପ୍ରାୟତଃ ଥୟ ହୋଇଛି । ହରିଶଙ୍କର ରାଉତ, କଳ୍ପତରୁ ଓଝା, ତନ୍ମୟ ସ୍ୱାଇଁ, ବିଶ୍ୱପ୍ରତାପ ଓ ଚିନ୍ମୟ ଦାସଙ୍କ ନାମ ପୂର୍ବରୁ ଚର୍ଚ୍ଚାକୁ ଆସିଥିଲେ ମଧ୍ୟ ଜଣେ ବିଧାୟକଙ୍କୁ ଏହି ଆସନରେ ବସାଇବା ପାଇଁ ସ୍ପଷ୍ଟ ସୂଚନା ହସ୍ତଗତ ହୋଇଛି । ପରିପକ୍ଵତା, ସାଂଗଠନିକ ଦକ୍ଷତା ଓ ଆର୍ଥିକ ସ୍ୱଚ୍ଛଳତା ଏହି ମନୋନୟନର ମୂଳ ମାପକାଠି ରହିଛି ।

ସେହିପରି ଯୁବ ବିଜେଡିର ନେତୃତ୍ୱ ପରିବର୍ତ୍ତନ ମଧ୍ୟ ଖୁବଶୀଘ୍ର ହେବ । ବର୍ତ୍ତମାନ ଯୁବ ସଭାପତି ଥିବା ଅମରେଶ ପତ୍ରୀଙ୍କୁ ଗତକାଲି ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ମଧ୍ୟ ଜଣେ ବିଧାୟକଙ୍କୁ ଦାୟିତ୍ୱ ଦେବାକୁ ଦଳ ଚିନ୍ତା କରୁଛି ।

କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଏହି ରେସରେ ଆଗରେ ରହିଛନ୍ତି । ପାୱାର ସେଣ୍ଟର କୁହାଯାଉଥିବା ସୂର୍ଯ୍ୟନଗରରେ ଚନ୍ଦ୍ରସାରଥୀଙ୍କୁ ଅଧିକାଂଶ ସମୟ ଦେଖିବାକୁ ମିଳୁଛି । ତାଙ୍କ ପାଇଁ ଆଉ କିଛି ମନ୍ତ୍ରୀ ଓ ବିଧାୟକ ମଧ୍ୟ ଲବି କରୁଥିବା ଜଣାପଡିଛି ।

ସୁକିନ୍ଦା ବିଧାୟକ ଡାନି ଘଡେଇ ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିବା ବେଳେ ଦଳ କିନ୍ତୁ ଚନ୍ଦ୍ରସାରଥୀଙ୍କ ନାମରେ ମୋହର ମାରିବା ନେଇ ସବୁଜ ସଙ୍କେତ ମିଳିଛି । କେବଳ ଔପଚାରିକତା ବାକି ରହିଛି ।

Share this story