ମାନିଗଲେ ରିପୁନାଥ, ବିଜେପୁର ବାଜି ମାରିବ କି କଂଗ୍ରେସ, ଜାଣନ୍ତୁ ପୂରା ଘଟଣା

ମାନିଗଲେ ରିପୁନାଥ, ବିଜେପୁର ବାଜି ମାରିବ କି କଂଗ୍ରେସ, ଜାଣନ୍ତୁ ପୂରା ଘଟଣା
ମାନିଗଲେ ରିପୁନାଥ, ବିଜେପୁର ବାଜି ମାରିବ କି କଂଗ୍ରେସ, ଜାଣନ୍ତୁ ପୂରା ଘଟଣା

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ କଂଗ୍ରେସରୁ ଦିଲ୍ଲୀପ ପଣ୍ଡାଙ୍କ ପ୍ରାର୍ଥିତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠ ଗୁରୁବାର ସକାଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କ ଭୁବନେଶ୍ୱର ବାସଭବନରେ ଭେଟିଛନ୍ତି। ଏହି ଭେଟଘାଟ ସମୟରେ ନିରଞ୍ଜନ ରିପୁନାଥଙ୍କୁ ମନାଇବାକୁ ଯଥାସମ୍ଭବ ଉଦ୍ୟମ କରି ଆଂଶିକ ସଫଳ ହୋଇଥିବା କୁହାଯାଉଛି। କାରଣ ରିପୁନାଥ ପୂର୍ବରୁ କଂଗ୍ରେସ ପାଇଁ ପ୍ରଚାର ନ କରିବା ଏବଂ ନିର୍ବାଚନ ପ୍ରଚାର ସମୟରେ ବିଜେପୁରରେ ନ ରହି ବାହାରକୁ ପଳାଇବାକୁ ଜିଦ ଧରି ବସିଥିବାବେଳେ ଆଜି ନିରଞ୍ଜନଙ୍କୁ ଭେଟିବା ପରେ ତାଙ୍କ ମାନଭଞ୍ଜନ ହୋଇଥିବା ଏକପ୍ରକାର ଅନୁଭବ କରାଯାଇଛି। ଦିଲ୍ଲୀପ ପଣ୍ଡା ନୁହେଁ ବରଂ ଦଳ ପାଇଁ ପ୍ରଚାର କରିବି ବୋଲି ନିରଞ୍ଜନଙ୍କୁ ଭେଟିବା ପରେ ରିପୁନାଥ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ରିପୁନାଥ ମାନିଯିବା ପରେ ଗତ ବିଜେପୁର ଉପନିର୍ବାଚନ ଓ ସାଧାରଣ ନିର୍ବାଚନରେ ବିଜେଡିଠାରୁ ଧୂଳି ଚାଟିଥିବା କଂଗ୍ରେସରେ ଏବେ ବଳ ପଶିଛି। କାରଣ ରିପୁନାଥ ଉକ୍ତ ଅଞ୍ଚଳର ଜଣେ ଦୃଢ଼ ସଂଗଠକ ଭାବେ ଜଣାଶୁଣା। ପୂର୍ବରୁ ସେ ବିଜେପୁରରୁ ବିଧାୟକ ଓ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମଧ୍ୟ ପାଇସାରିଛନ୍ତି। ତେବେ ବିଜେପୁରରେ ସୁବଳ ସାହୁଙ୍କ ଦବଦବା ଆରମ୍ଭ ହେବା ପରେ ରିପୁନାଥ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଥିଲେ। ଦୀର୍ଘ ୧୫ ବର୍ଷ ପରେ ଗତ ସାଧାରଣ ନିର୍ବାଚନରେ ସେ ପୁନର୍ବାର ନିର୍ବାଚନ ଲଢ଼ିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ।

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା ହେବା ପରେ ରିପୁନାଥ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେପୁରରୁ ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ଏ ନେଇ ସେ ନିରଞ୍ଜନଙ୍କ ବିରୋଧରେ ମଧ୍ୟ ବିଷୋଦଗାର କରିଥିଲେ।

Share this story