ବିଜେପିକୁ ଅଲବିଦା କଲେ ଦାମ, କହିଲେ ଏମିତି କଥା

ବିଜେପିକୁ ଅଲବିଦା କଲେ ଦାମ, କହିଲେ ଏମିତି କଥା
ବିଜେପିକୁ ଅଲବିଦା କଲେ ଦାମ, କହିଲେ ଏମିତି କଥା

ଭୁବନେଶ୍ୱର: ବରିଷ୍ଠ ନେତା ଡା. ଦାମୋଦର ରାଉତ ବୁଧବାର ସକାଳେ ବିଜେପିକୁ ଅଲବିଦା କହିଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଥିବା ଗଣମାଧ୍ୟମକୁ ଜଣାଇଛନ୍ତି । ଦଳରୁ ଇସ୍ତଫା ଦେବା ପରେ ଦାମ ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ବିଜେପିରେ ମୁଁ ଅଲୋଡ଼ା ଥିଲି । ଦଳୀୟ କାର୍ଯ୍ୟକ୍ରମରେ ମତେ କେହି ପଚାରୁନାହାନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ମତେ ଡାକିନେଇ ଦଳରେ ସାମିଲ କରିଥିଲେ । ଦିଲ୍ଲୀ ନେଇ ମତେ ଦଳରେ ମିଶାଇଥିଲେ ବରିଷ୍ଠ ନେତାମାନେ । ତେବେ ପରବର୍ତ୍ତୀ ସମୟରେ ମତେ କେହି ଗୁରୁତ୍ୱ ଦେଉନାହାନ୍ତି । ତେଣୁ ନିର୍ବାଚନୀ ମୈଦାନରେ ଘାଣ୍ଟିଚକଟି ହେବାକୁ ଚାହୁଁନି ।

ଦଳ କିମ୍ବା ନେତୃତ୍ୱ ବିରୋଧରେ ମୋର କୌଣସି ଅଭିଯୋଗ ନାହିଁ । ବୟସ ଅଧିକ ହେଲାଣି, ମୋ ପୁଅ ବିଧାୟକ ହେଲାଣି । ୩୫ ବର୍ଷ ବିଧାୟକ ହୋଇ ବି ଆଜି ମୁଁ ଅଲୋଡ଼ା । ବିଜେଡିରୁ ବହିଷ୍କାର ପରେ ଦୁର୍ନୀତି ବିରୋଧରେ ଲଢ଼ୁଥିଲି । ମୁଁ କୌଣସି ଦଳରେ ଯୋଗଦେବିନି କି ଆଉ ନିର୍ବାଚନ ଲଢ଼ିବିନି । ତେବେ ବିଜେଡିରୁ ଡାକରା ଆସିଲେ ଯିବେ କି ବୋଲି ପ୍ରଶ୍ନର ଉତ୍ତରରେ ଦାମ କହିଲେ, ସେ ବେଳ ଆସିଲେ ବିଚାର କରିବି । ତେବେ ଦାମଙ୍କ ବିଜେପି ଛାଡ଼ିବା ପରେ ତାଙ୍କ ପୁଅ ସମ୍ବିତ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ସମ୍ବିତ କହିଛନ୍ତି, ବାପା ବିଜେପିକୁ ଯାଇ ଭୁଲ କରିଥିଲେ । ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲି କିନ୍ତୁ ସେ ମାନି ନ ଥିଲେ ।

ଦୁର୍ବଳ ମୁହୂର୍ତ୍ତରେ ସେମାନେ ବାପାଙ୍କୁ ଡାକିନେଇ ଦଳରେ ମିଶାଇଥିଲେ । ବିଜେପି ଓ ବିଜେଡିର ନୀତି ଆଦର୍ଶ ସ୍ୱତନ୍ତ୍ର । ମୁଁ ସେଥିପାଇଁ ବାପାଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲି । ବାପାଙ୍କ ମନପ୍ରାଣ ବିଜୁବାବୁ । ତେଣୁ ବିଜେପିରେ ସେ ଆଡଜଷ୍ଟ କରିପାରିଲେନି । ୪୫ ବର୍ଷ ଗୋଟିଏ ଆଦର୍ଶରେ ରହିବା ପରେ ଅନ୍ୟ ଦଳରେ ଆଡଜଷ୍ଟ ହୋଇପାରିଲେନି । ସେ କେଉଁଠିକୁ ଫେରିବେ ନ ଫେରିବେ ତାହା ସମୟ କହିବ । ତେବେ ଦାମଙ୍କ ଇସ୍ତଫା ଓ ପରବର୍ତ୍ତୀ ସମୟରେ ଦଳ ପ୍ରତି ତାଙ୍କର କ୍ଷୋଭ ନେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେପି କାହାକୁ ଅଣଦେଖା କରାଯାଏ ନାହିଁ । କାହାରି ବ୍ୟକ୍ତିଗତ କାରଣକୁ ନେଇ ଦଳ କାର୍ଯ୍ୟ କରେନି । ଆମେ ଟିମକୁ ନେଇ କାମ କରୁ ବୋଲି ବସନ୍ତ କହିଛନ୍ତି ।

Share this story