ସରିଲା ବିଜେପୁରରେ ଭୋଟ ଗ୍ରହଣ, ଇଭିଏମରେ କଏଦ ହେଲା ୫ ପ୍ରାର୍ଥୀଙ୍କ ଭାଗ୍ୟ

ସରିଲା ବିଜେପୁରରେ ଭୋଟ ଗ୍ରହଣ, ଇଭିଏମରେ କଏଦ ହେଲା ୫ ପ୍ରାର୍ଥୀଙ୍କ ଭାଗ୍ୟ
ସରିଲା ବିଜେପୁରରେ ଭୋଟ ଗ୍ରହଣ, ଇଭିଏମରେ କଏଦ ହେଲା ୫ ପ୍ରାର୍ଥୀଙ୍କ ଭାଗ୍ୟ

ବରଗଡ଼: ଇଭିଏମ୍‌ରେ ସିଲ୍ ହେଲା ବିଜେପୁର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫ ପ୍ରାର୍ଥୀଙ୍କ ଭାଗ୍ୟ । ଅପରାହ୍ନ ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଛି । ସାଧାରଣ ନିର୍ବାଚନର ୬ ମାସ ପରେ ଏଠାରେ ଉପନିର୍ବାଚନ ହୋଇଥିଲେ ମଧ୍ୟ ଭୋଟ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ କିନ୍ତୁ କମିନାହିଁ । ସୋମବାର ସକାଳେ ମତଦାନ ଆରମ୍ଭ ହୋଇଥିଲା । ମତଦାନ ସାବ୍ୟସ୍ତ କରିବା ପାଇଁ କେନ୍ଦ୍ରରେ ଭୋଟଙ୍କ ଭିଡ଼ ଲାଗି ରହିଥିଲା । ହାତରେ ପରିଚୟପତ୍ର ଧରି ଲମ୍ବା ଲାଇନ୍‌ରେ ମତଦାତା ଯୁବ, ମହିଳା ଓ ବରିଷ୍ଠ ନାଗରିକ ସମସ୍ତେ ମତଦାନ ସାବ୍ୟସ୍ତ କରିଛନ୍ତି ।

ଦେଢ଼ ବର୍ଷରେ ତୃତୀୟ ଥର ଭୋଟ୍‌ ହେଉଥିଲେ ମଧ୍ୟ ଭୋଟଙ୍କ ମଧ୍ୟରେ କିନ୍ତୁ କମି ନ ଥିଲା ଉତ୍ସାହ । ବରପାଲି ବ୍ଲକ ଆଗଲପୁରରେ ୧୦୦ ବର୍ଷର ବୃଦ୍ଧା ଲୋଚନ ନାୟକ ହ୍ୱିଲ ଚେୟାରରେ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ଅନ୍ୟପକ୍ଷରେ ମଡେଲ ବୁଥ୍‌ଗୁଡ଼ିକରେ ଭୋଟରମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏ ଚାଲିଥିଲା ।

ଗାଇସିଲେଟ୍ ବ୍ଳକର ନକ୍ସଲ ଅଞ୍ଚଳରେ ଥିବା ୬ ବୁଥ୍‌ରେ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲି ଏନ୍‌ଏସିର ୨୧ ନମ୍ବର ବୁଥ୍‌ରେ ଭୋଟ୍ ଦେଇଥିଲେ । କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ବିଜେପୁରର ମାନପୁର ବୁଥ୍ ଓ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ବିଜେପୁର ଏନ୍ଏସିର ୧୦୫ ନମ୍ବର ବୁଥ୍‌ରେ ମତଦାନ ସାବ୍ୟସ୍ତ କରିଥିଲେ । ଏଣେ ଉପନିର୍ବାଚନ ଭିତରେ ରାଜନୀତି ବେଶ୍ ସରଗରମ ରହିଛି । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଉପନିର୍ବାଚନ ପାଇଁ ପିସିସି ସଭାପତି ମାତ୍ର ୨୦ ଲକ୍ଷ ଟଙ୍କା ଦେଇଥିଲେ ।

ଏହା ତୁଳନାରେ ବିଜେପି ଓ ବିଜେଡି ଢେର୍ ଅଧିକ ଟଙ୍କା ଖର୍ଚ୍ଚ କରିଥିବାରୁ କଂଗ୍ରେସର ସ୍ଥିତି ଭଲ ନାହିଁ ବୋଲି ତାରା ସ୍ୱୀକାର କରିଛନ୍ତି । ବିଜେଡି ନିଜର ଜିତାପଟ ନେଇ ଦମ୍ଭୋକ୍ତି ପ୍ରକାଶ କରିଥିବା ବେଳେ ବିଜେପି କହିଛି, ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ଧୋକ୍କା ଦେଇଥିବାରୁ ଲୋକେ ତାର ଜବାବ ଦେବେ । ପ୍ରାର୍ଥୀମାନଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍ ହୋଇଥିବା ବେଳେ ୨୪ ତାରିଖରେ ଭୋଟ ଗଣତି ହେବ ।

Share this story