ସିଏଏ ବିବାଦ: ମୋଦିଙ୍କ କାଉଣ୍ଟର ଷ୍ଟ୍ରାଇକ, କହିଲେ ଏହି ୧୯ଟି କଥା

ସିଏଏ ବିବାଦ: ମୋଦିଙ୍କ କାଉଣ୍ଟର ଷ୍ଟ୍ରାଇକ, କହିଲେ ଏହି ୧୯ଟି କଥା
ସିଏଏ ବିବାଦ: ମୋଦିଙ୍କ କାଉଣ୍ଟର ଷ୍ଟ୍ରାଇକ, କହିଲେ ଏହି ୧୯ଟି କଥା

ପୂର୍ବ ପ୍ରସ୍ତୁତି ସରିଥିଲା । ଗଣମାଧ୍ୟମରେ ପୂର୍ବରୁ ଖବର ବି ପ୍ରସାରିତ ହୋଇଥିଲା ଯେ, ଦିଲ୍ଲୀର ରାମଲୀଳା ମଇଦାନରେ ମୋଦି ନାଗରିକତା ସଂଶୋଧିତ ଆଇନ ବା ସିଏଏକୁ ନେଇ କିଛି କହିବେ । ଅବଶ୍ୟ ଅବସର ଭିନ୍ନ ଥିଲା କିନ୍ତୁ ଦେଶର ବର୍ତ୍ତମାନର ସ୍ଥିତି ନେଇ ନିଜ ମନର କଥା କହିବେ ଏବଂ ଦେଶବାସୀଙ୍କ ସିଏଏକୁ ନେଇ ବିରୋଧୀଙ୍କ ଦ୍ୱାରା ଅଭିଯୋଗ ହେଉଥିବା ଦ୍ୱନ୍ଦର ପରିସମାପ୍ତି କରିବେ ବୋଲି ଆଶା କରାଯାଉଥିଲା ।

ଅବଶ୍ୟ ମୋଦି ସେମିତି କିଛି କହିଲେ, କିନ୍ତୁ ରାଜନୀତି ଓ ବିରୋଧୀଙ୍କୁ ଟାର୍ଗେଟ ବି ସେତିକି ଥିଲା । ମୋଦିଙ୍କ ଟାର୍ଗେଟରେ ଗାନ୍ଧି ପରିବାର, ମମତା ବାନାର୍ଜୀ, ବାମଦଳ ଓ ପାକିସ୍ତାନ ରହିଥିଲା । ସବୁଠୁ ଅଧିକ ରହିଥିଲା ଦିଲ୍ଲୀ ସରକାର ଏବଂ ଆମ୍ ଆଦମୀ ପାର୍ଟି । ଏହାର କାରଣ ବି ଯୁକ୍ତିଯୁକ୍ତ କାହିଁକିନା ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଉ ଏବେଠୁ କ୍ଷେତ୍ର ପ୍ରସ୍ତୁତ କରି ବିରୋଧୀଙ୍କୁ ଚକମା ଦେବା ସହ ଦିଲ୍ଲୀର ଶାସନ ଭାରକୁ ନେବାକୁ ଆଶାବାଦୀ ପ୍ରଧାନସେବକ ନରେନ୍ଦ୍ର ମୋଦି । ଆସନ୍ତୁ ଜାଣିବା ଆରମ୍ଭରୁ କଣ କଣ ସବୁ କହିଛନ୍ତି ନିଜକୁ ପ୍ରଧାନସେବକ କହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି …

୧. ବିବିଧତା ମଧ୍ୟରେ ଏକତା-ଭାରତର ବିଶେଷତା । ପ୍ରଧାନସେବକ ନରେନ୍ଦ୍ର ମୋଦିଙ୍କ ଏହି ଉକ୍ତ ଥିଲା ନାଗରିକତା ସଂଶୋଧିତ ଆଇନକୁ ସମର୍ଥନ କରୁଥିବା ଗୋଷ୍ଠୀଙ୍କ ପାଇଁ । ବିଜେପି ପକ୍ଷରୁ ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ଏହି ଜନସଭାକୁ ସମ୍ବୋଧିତ ବେଳେ ଏହି ଦୁଇ ଧାଡ଼ି କହିଥିଲେ ମୋଦି । ଦିଲ୍ଲୀର ବିଭିନ୍ନ କଲୋନୀରେ ରହୁଥିବା ୪୦ଲକ୍ଷ ଲୋକଙ୍କୁ ବାସିନ୍ଦା ପ୍ରମାଣପତ୍ର ଦିଆଯିବ । ସରକାରଙ୍କ ଏହି ପ୍ରୟାସକୁ କିନ୍ତୁ ବିରୋଧୀ ଭିନ୍ନ ଧରଣରେ ଅବତରଣ କରାଇ ଦେଶରେ ଅରାଜକତା ସୃଷ୍ଟି କରୁଥିବା କହି ସମାଲୋଚନା କରିଛନ୍ତି ।

୨. ବିରୋଧୀଙ୍କ ବିରୋଧକୁ ନେଇ ପ୍ରବଳ ବର୍ଷିବା ସହ ସେମାନଙ୍କୁ ଜନବିରୋଧୀ ବୋଲି ଅବିହିତ କରିଥିଲେ ମୋଦି । ୨୦୨୧ ଯାଏ ମୋଦି ସରକାର କିଛି କରିପାରିବେନି ବୋଲି କହିଥିଲେ, କିନ୍ତୁ ଆମେ ସବୁ କିଛି ସମ୍ଭବ କରିପାରିଲୁ ବୋଲି ସେ କହିଛନ୍ତି । ସମସ୍ୟାକୁ ଅଟକାଇ ରଖିବା ଆରାମରେ ପ୍ରବୃତ୍ତି ନୁହେଁ, ଆମ ସଂସ୍କାର ନୁହେଁ ଅବା ରାଜନୀତିର ରାସ୍ତା ନୁହେଁ ବୋଲି କହିଛନ୍ତି ମୋଦି ।

୩. ବିରୋଧୀ ମାନେ ଦିଲ୍ଲୀର ସବୁଠୁ ମହଙ୍ଗା ଅଞ୍ଚଳରେ ୨୦୧୪ରୁ ବେଆଇନ ଭାବେ ବଙ୍ଗଳା ନିର୍ମାଣ କରାଯାଇଛି । କାହା ସ୍ବାର୍ଥରେ ଏବଂ କାହିଁକି ଏ ସବୁ କରାଯାଛି ସେ ସମ୍ପର୍କରେ କିଛି କହିନଥିଲେ ମଧ୍ୟ ପୂର୍ବ ସରକାର ଦିଲ୍ଲୀର ରହୁଥିବା ଶରଣାର୍ଥୀଙ୍କ ପାଇଁ କିଛି କରିନିଥିଲେ ବୋଲି କହିଛନ୍ତି ମୋଦି । ଆଉ ଯେତେବେଳେ ମୁଁ କଲି ସେମାନେ ମୋ ରାସ୍ତାରେ ସମସ୍ୟା ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ମୋଦି ନିଜ ଭାଷଣ ବେଳେ କହିଥିଲେ ।

୪. ସେମାନଙ୍କ ଭିଆଇପି ସେମାନଙ୍କୁ ମୁବାରକ ମୋର ଭିଆଇପି ତ ଆପଣମାନେ ବୋଲି କହି ସଭାରେ ସାମିଲ ହୋଇଥିବା ଲୋକଙ୍କୁ ଉତ୍ସାହିତ କରିଥିଲେ ପ୍ରଧାନସେବକ ।

୫. ବିଗତ ୫ ବର୍ଷରେ ଆମେ ଦିଲ୍ଲୀ ରେଲେଓ୍ୱ ନେଟଓ୍ୱର୍କକୁ ଅଧିକ ବିକଶିତ କରିଛୁ । ଦିଲ୍ଲୀରେ ସେମାନଙ୍କ ସରକାର ଥିଲା ଆଉ କେନ୍ଦ୍ରରେ ମଧ୍ୟ କିନ୍ତୁ ସ୍ଥିତି କଣ ଥିଲା ତାହା କହିବାକୁ ଆବଶ୍ୟକ ନୁହେଁ । ବର୍ତ୍ତମାନ ସମୟରେ ଦିଲ୍ଲୀ ସରକାର ସହ କେନ୍ଦ୍ରର କି ପ୍ରକାର ସମ୍ପର୍କ ଅଛି ତାହା ଆପଣମାନେ ଜାଣନ୍ତି । ତଥାପି ସବୁ ବାଧାବିଘ୍ନ ସହ ନୂଆ ରୁଟ୍ ହେଉ ଅବା ବର୍ଷକୁ ଅଧିକ କିଲୋମିଟର ହିସାବରେ ରେଳ ଲାଇନ ବିସ୍ତାର ସବୁକୁ ଗୁରୁତର ସହ ନେଇ କାର୍ଯ଼୍ୟ କରୁଥିବା କହିଛନ୍ତି ମୋଦି ।

୬. ଆପଣଙ୍କ ନାଁରେ ରାଜନୀତି କରୁଥିବା ଲୋକେ କେବେ ମଧ୍ୟ ଆପଣଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଇନାହାନ୍ତି କେବଳ କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି । ଦିଲ୍ଲୀରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ଗୁରୁତ୍ୱ ଦିଆଯାଇଛି । ପରାଳି ପ୍ରସଙ୍ଗ ଉଠାଇ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ନେଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଛନ୍ତି ମୋଦି । କେବଳ ସେତିକି ନୁହେଁ ଦିଲ୍ଲୀର ଶୁଦ୍ଧ ପାନୀୟ ଜଳ ପ୍ରସଙ୍ଗ ଉଠାଇ ଆମ୍ ଆଦମୀ ପାର୍ଟି ଓ ଦିଲ୍ଲୀ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର ଲୋକଙ୍କୁ ବିଶାକ୍ତ ପାନୀୟ ଜଳ ପାଇବାକୁ ସରକାର ଛାଡ଼ି ଦେଉଛନ୍ତି । ମିଛ ଭିଡିଓ, ମିଥ୍ୟା ଅପ୍ରଚାର କରି ଜନସାଧାରଣଙ୍କୁ ଭ୍ରମିତ କରାଯାଉଥିବା କଥା କହିଛନ୍ତି ମୋଦି ।

୭. ଗୁରୁତ୍ୱପୂର୍ଣ୍ଣ ସିଏଏ ପ୍ରସଙ୍ଗ ଉଠାଇ ମୋଦି ବାହାବା ନେବାକୁ ଚେଷ୍ଟା କରିଛନ୍ତି ଲୋକସଭା ଓ ରାଜ୍ୟସଭାରେ ସାଂସଦମାନେ ଆପଣଙ୍କ ଅଧିକାର ପାଇଁ ଆଇନ ଆଣିଛନ୍ତି ଯାହାକୁ ରାଷ୍ଟ୍ରପତି ମଞ୍ଜୁର ପ୍ରଦାନ କରିଛନ୍ତି । ଏହି ପ୍ରସଙ୍ଗରେ ଉଦବୋଧନ ଦେବା ବେଳେ ପ୍ରଧାନସେବକ ମୋଦି ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ । ନିଜେ ଅତିମାତ୍ରାରେ ଉତ୍ସାହିତ ହୋଇପଡ଼ିଥିବା ବେଳେ ଲୋକଙ୍କୁ ଉତ୍ସାହିତ କରିବାକୁ ପ୍ରୟାସ କରିଥିଲେ । ସାଂସଦ ଓ ଜନପ୍ରତିନିଧିଙ୍କୁ ଧନ୍ୟବାଦ ଦେଇଥିଲେ ଏପିରିକି ନିଜେ ମଧ୍ୟ ଜନତାଙ୍କ ସହ ସାଂସଦ ଓ ଜନପ୍ରତିନିଧିଙ୍କୁ ବିଲ୍ ପାରିତ ନେଇ କୃତଜ୍ଞତା ଜ୍ଞାପନ କରିଥିଲେ । ଏଭଳି ସମୟରେ ଜୟ ଶ୍ରୀରାମ ନାରା ଗୁଞ୍ଜରିତ ହୋଇଥିଲା ।

୮. ପୁଣି ଥରେ ସବକା ସାଥ୍-ସବକା ବିକାଶ କଥା ଉଠାଇ ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ଅଧିକାର ହନନ କରୁଥିବା ଆଇନ ଆଣୁଖଥିବା କହି ଯେଉଁମାନେ ମିଛ ପ୍ରଚାର କରୁଛନ୍ତି ସେମାନଙ୍କୁ ମୋଦି ପ୍ରଶ୍ନ କରିଛନ୍ତି । କହିଛନ୍ତି ଯେ, ପ୍ରମାଣ ଦିଅ ଯେ କେଉଁଠି ଏହା ଦର୍ଶାଉଛି ।

୯. ନିଜ ଉଦବୋଧନ ବେଳେ ସରକାରୀ ଯୋଜନାର କଥା ଉଠାଇ କଂଗ୍ରେସକୁ ପ୍ରଶ୍ନ କରିଥିଲେ ମୋଦି । କଂଗ୍ରେସ ଓ ଏହାର ସମର୍ଥକ ଦଳକୁ ବି ଟାର୍ଗେଟକରି ମୋଦି କହିଥିଲେ ଯେ, ଉଜ୍ୱଳା ଯୋଜନା ବେଳେ ଆମେ କାହାକୁ ପଚାରିଥିଲୁ କି କାହା ଧର୍ମ କଣ । ଆମେ କେବଳ ଗରୀବକୁ ଦେଖି ଯୋଜନାକୁ ଅଧିକ ଜନମୁଖି କରିଥିଲୁ ବୋଲି କହିଥିଲେ ମୋଦି । ବିରୋଧୀ କାହିଁକି ମିଛ କହୁଛନ୍ତି ବୋଲି ଜାଣିବାକୁ ବି ଚାହିଁଥିଲେ ।

୧୦. ଜାତୀୟ ସ୍ବାସ୍ଥ୍ୟ ବୀମା ଯୋଜନା: ଆୟୁଷ୍ମାନ ଯୋଜନା ଦିଲ୍ଲୀରେ କାହିଁକି ଲାଗୁ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ମିଛ ଅପପ୍ରଚାର କରି ଭାରତର ନାଁକୁ ବଦନାମ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ମୋଦି । ଏହା ସହ ଦେଶର ଅନ୍ୟ ପ୍ରାନ୍ତରେ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଅରାଜକତା ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ।

୧୧. ଦେଶର ଜନତା ମୋତେ ବାଛିଛନ୍ତି, ମୋତେ ଚାହୁଁନଥିବା ବିରୋଧୀ କେମିତି ଜିତିଲା ବୋଲି ପ୍ରଶ୍ନ ଉଠାଇଲେ । ଦ୍ୱିତୀୟ ଥର ବି କେମିତି ଆସିଗଲା ବୋଲି ଭାବି ସେମାନଙ୍କର ନିଦ ହଜିଗଲା । ଆଉ ସେହି ଦିନଠୁ ହିଁ ସେମାନେ ଦେଶରେ ଅପ୍ରତିକର ପରିସ୍ଥିତି ସୃଷ୍ଟି କରାଉଛନ୍ତି ବୋଲି ଦୋଷ ଲଦିଛନ୍ତି ମୋଦି । ଆପଣଙ୍କୁ ଯଦି ମୋଦି ପସନ୍ଦ ଆସୁନି ତେବେ ମୋଦିଙ୍କୁ ଗାଳି କର, ମୋଦିଙ୍କ କୁଶପୁତଳିକା ଦାହ କର କିନ୍ତୁ ଦେଶର ସମ୍ପତ୍ତି ନ ଜଳାଅ , ଗରିବର ଘର ନ ଜଳାଅ ବୋଲି ନିଜ ଭାଷଣରେ କହିଛନ୍ତି ପ୍ରଧାନସେବକ ନରେନ୍ଦ୍ର ମୋଦି ।

୧୨. ପୋଲିସ ଉପରରେ ପଥର ଫୋପାଡୁଥିବା ତୁଫାନି ଓ ସେମାନଙ୍କ ପୃଷ୍ଠପୋଷକ ଜାଣି ରଖିବା ଉଚିତ୍ ଯେ, ଦେଶବାସ ସବୁ ଜାଣିଛନ୍ତି ଦେଶ ସ୍ବାଧୀନ ପରଠାରୁ ୩୩ ହଜାର ପୋଲିସ ନିଜ ସେବାରେ ଉତ୍ସର୍ଗୀକୃତ ରହିଛନ୍ତି ଦିଲ୍ଲୀର ମଣ୍ଡି ଅଞ୍ଚଳରେ ଲାଗିଥିବା ନିଆଁ ବେଳେ ପୋଲିସ କାହାର ଧର୍ମ ପଚାରି ଉଦ୍ଧାର କରିନିଥିଲା ଆଉ ଆଜି ପୋଲିସ ଉପରେ ଆକ୍ରମଣ କରାଯାଉଛି ବୋଲି କହି କ୍ଷୁବ୍ଧ ହୋଇଥିଲେ ମୋଦି ସବୁଠୁ ପୁରୁଣା ପାର୍ଟି ପୋଲିସ ଆକ୍ରମଣ ଘଟଣାକୁ ନିନ୍ଦା କରୁନାହିଁ, ସେମାନଙ୍କ ନିରବତା ହିଁ ପ୍ରମାଣ କରୁଛି ଯେ, ସେମାନେ କଣ ଭାବୁଛନ୍ତି ପୋଲିସଙ୍କ ବଳିଦାନ କଥା ଉଠାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମୋଦି ଆହ୍ବାନ ବି ଦେଇଥିଲେ ।

୧୩. ଭୋଟ ବ୍ୟାଙ୍କ ରାଜନୀତି କରୁଥିବା, ଦେଶର ଭାଗ୍ୟ ବିଧାତା ଭାବୁଥିବା ଲୋକଙ୍କ ହାତରୁ କ୍ଷମତା ଚାଲିଗଲା ପରେ ସେମାନେ ବାଉଳା ହେଇଯାଇଛନ୍ତି ବୋଲି କହିଛନ୍ତି ପ୍ରଧାନସେବକ ।

୧୪. ଅର୍ବାନ ନସ୍କଲ: ଦେଶର କିଛି ଶିକ୍ଷିତ ନକ୍ସଲ ମିଥ୍ୟା ପ୍ରଚାର କରୁଛନ୍ତି । କଂଗ୍ରେସ ଓ ଅର୍ବାନ ନକ୍ସଲ ମାନଙ୍କ ଦ୍ୱାରା ଯେଉଁ ନାପାକ୍ ଲକ୍ଷ୍ୟ ରଖି ମିଛ ଅପପ୍ରଚାର କରାଯାଉଛି ତାହା କେବଳ ଦେଶରେ ହିଂସା ସୃଷ୍ଟି କରିବାକୁ ବୋଲି କହିଛନ୍ତି ମୋଦି ।

୧୫. ହିନ୍ଦ୍ ମୁସଲମାନ: ଦେଶର ମୂଳ ମୁସଲମାନଙ୍କୁ କୌଣସି ବିପଦ ନାହିଁ । ଅନଧିକୃତ କଲୋନିକୁ ଅଧିକୃତ କଲୋନିରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଆଇନ ସେମାନଙ୍କ ପାଇଁ ଲାଗୁ ହେବ, ଯେଉଁମାନେ ଭାରତରେ ବହୁ ବର୍ଷ ଧରି ରହିଆସୁଛନ୍ତି । ଯେଉଁ ଶରଣାର୍ଥୀମାନେ ଏବେ ଏବେ ଆସି ଦେଶରେ ରହିଛନ୍ତି ସେମାନଙ୍କ ପାଇଁ ଏହି ଆଇନ ଲାଗୁ ହେବ ।

୧୬. ମାନବାଧିକାର ହନନ କରୁଛି ପାକିସ୍ତାନ: ଏହି ଅବସରରେ ମାନବାଧିକାର ପ୍ରସଙ୍ଗ ଉଠାଇ ପାକିସ୍ତାନର ମୁଖା ଯେତିକି ଖୋଲିଛନ୍ତି ବିରୋଧୀଙ୍କୁ ବି ସେତିକି ସମାଲୋଚନା କରିଛନ୍ତି । ଏତେ ବର୍ଷ ପରେ ମୋଦି ସରକାର ଯଦି କିଛି କରୁଛନ୍ତି ତେବେ ରିମୋର୍ଟ ରାଜନୀତି
କରୁଥିବା ବିରୋଧୀ ସେମାନଙ୍କୁ କଷ୍ଟ କାହିଁକି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନସେବକ ।

୧୭. ସିଏଏ କାହାର ନାଗରିକତା ହନନ ପାଇଁ ନୁହେଁ ଏହା ନାଗରିକତା ଦେବା ପାଇଁ । ଆମ ତିନି ପଡ଼ୋଶୀ ଦେଶରୁ ଅଳ୍ପ ସଂଖ୍ୟକ ସେମାନଙ୍କ ଦେଶ ଛାଡ଼ି ଭାରତରେ ଶରଣ ନେଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ । ଏହା ମୋଦିଙ୍କ ରାତି ଅଧିଆ ଚିନ୍ତାଧାରା ନୁହେଁ ଗାନ୍ଧିଙ୍କ ନୀତିକୁ ଆପଣାଯାଉଛି । ଗାନ୍ଧି କହିଥିଲେ – ପାକିସ୍ତାନରେ ରହୁଥିବା ହିନ୍ଦୁ ଓ ଶିଖ୍ ଯେତେବେଳେ ଚାହିଁବେ ସେତେବେଳେ ଭାରତ ଆସିପାରିବେ । ଏକଥା କହି ଗାନ୍ଧି ପରିବାରକୁ ସମାଲୋଚନା କରିଛନ୍ତି ।

୧୮. ମନମୋହନ ପ୍ରସଙ୍ଗ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୨୦୦୩ରେ ସଂସଦରେ ଦେଇଥିବା ପ୍ରତିକ୍ରିୟା କଥା ଉଠାଇ ଥିଲେ ଏପରିକି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ କଥା ଉଠାଇ ମୋଦିଙ୍କୁ କାହିଁକି ଟାର୍ଗେଟକରାଯାଉଛି ବୋଲି କହିଛନ୍ତି ମୋଦି ।

୧୯. ମମତା ଦିଦି: ଦିଦି-ସିଧି କହି ତାତ୍ସଲ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଙ୍ଗାଲର ଜନତାଙ୍କୁ ବିଶ୍ୱାସ କାହିଁକି ତୁଟିଗଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ମମତା କାହାକୁ ସମର୍ଥନ ଓ କାହାକୁ ବିରୋଧ କରୁଛନ୍ତି ତାହା ଦେଶବାସୀ ଦେଖୁଛନ୍ତି ବୋଲି କହିଛନ୍ତି ମୋଦି କେବଳ ମମତା କାହିଁକି ବାମଦଳକୁ ବି ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Share this story