ସମୀର ସମ୍ଭାଳିବେ ରାଜ୍ୟ ବିଜେପି ମଙ୍ଗୁଆଳ; ସହମତିରେ ନାଁକୁ ମୋହର

ସମୀର ସମ୍ଭାଳିବେ ରାଜ୍ୟ ବିଜେପି ମଙ୍ଗୁଆଳ; ସହମତିରେ ନାଁକୁ ମୋହର
ସମୀର ସମ୍ଭାଳିବେ ରାଜ୍ୟ ବିଜେପି ମଙ୍ଗୁଆଳ; ସହମତିରେ ନାଁକୁ ମୋହର

ଭୁବନେଶ୍ୱର: ସହମତି ଭିତ୍ତିରେ ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି । ୨୦୧୬ରୁ ବିଜେପିର ରାଜ୍ୟ-ଉପସଭାପତି ରହିଥିବା ସମୀରଙ୍କୁ ସର୍ବସହମତିରେ ଚୟନ କରାଯାଇଛି । ବସନ୍ତ ପଣ୍ଡାଙ୍କ ପରେ ସଭାପତି ଦାୟିତ୍ୱ ସମ୍ଭାଳିବେ ସମୀର ବୋଲି ଚର୍ଚ୍ଚା କରାଯାଉଥିଲା ଯାହା ରୂପ ନେଇଛି ।

ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ସହ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କ ଆଲୋଚନା ଓ ପରେ ଏ ସଂକ୍ରାନ୍ତୀୟ ପ୍ରକ୍ରୀୟା ଶେଷ ହେବା ପରେ ସମୀରଙ୍କ ନାଁକୁ ମୋହର ଲାଗିଛି । ଆଜି ନାମାଙ୍କନ ପୁର୍ବରୁ ରାଜ୍ୟ ପରିଷଦ ଓ ଜିଲ୍ଲା ସଭାପତି, ବିଧାୟକ, ରାଜ୍ୟ ପଦାଧିକାରୀ ବୈଠକରେ ସହମତି ମିଳିଥିଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ଏକମାତ୍ର ପ୍ରାଥୀ ଭାବେ ନାମାଙ୍କନ ଭରିଥିଲେ ସମୀର ।

ତେବେ ନୂଆବର୍ଷରେ କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ । ନୂଆବର୍ଷରେ ବିଜେପି ନୂଆ ମୁଖିଆ ଦେଖିବ ବୋଲି ଗତ କିଛି ଦିନ ହେବ ଜୋରଦାର ଚର୍ଚ୍ଚା ଲାଗି ରହିଥିଲା । ତେବେ ରେସରେ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାମ ପ୍ରଥମେ ଥିବା ବେଳେ ସହମତି ଭିତ୍ତିରେ ସମୀରଙ୍କ ନାଁରେ ମୋହର ମରାଯାଇଛି । ତେବେ ଆସନ୍ତାକାଲି ସଭାପତି ପାଇଁ ପରୀକ୍ଷା ହେବାକୁ ଥିବା ବେଳେ ଆଜି ସହମତିରେ ସମୀରଙ୍କୁ ମୁଖିଆ ମୁକୁଟ ପିନ୍ଧାଇଛନ୍ତି ବିଜେପି କର୍ମୀ ।

୨୦୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ଉପସଭାପତି ଥିବା ସମୀର ମହାନ୍ତି ୧୯୭୭ରେ ଏବିଭିପିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୮୦ରେ ଏବିଭିପିର ରାଜ୍ୟ ଉପସଭାପତି ହୋଇଥିଲେ । ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ହୋଇଥିଲେ ୧୯୮୪ ମସିହାରେ । ୧୯୮୫ରେ ସରକାରୀ ଚାକିରୀରେ ଯୋଗଦାନ କରି ବିଡ଼ିଏର ଉପ ସୂଚନା ଅଧିକାରୀ ଭାବରେ ଦାୟିତ୍ଵ ତୁଲାଇଥିଲେ । ୧୯୯୫ରେ ଚାକିରି ଛାଡ଼ି ବିଜେପି ଭୁବନେଶ୍ୱର ଜିଲ୍ଲା ଉପସଭାପତି ରହିଥିଲେ । ୨୦୦୦ରେ ରାଜ୍ୟ ବିଜେପିର ସମ୍ପାଦକ ମଧ୍ୟ ହୋଇଥିଲେ । ୨୦୦୯ରେ ଏକାମ୍ର ଭୁବନେଶ୍ୱର ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ ସମୀର ।

ଏହା ପୂର୍ବରୁ ବିଜେପିର ରାଜ୍ୟ ସଭାପତି ପଦ କିଏ ସମ୍ଭାଳିବେ ସେନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ରେସରେ ସବୁଠୁ ଆଗରେ ପୃଥ୍ୱୀରାଜ ହରିଚନ୍ଦନ ଓ ସମୀର ମହାନ୍ତି ରହିଥିଲେ । ହେଲେ ଶେଷରେ ସମୀର ହିଁ ବିକଳ୍ପ ଭାବେ ଉଭାହୋଇଛନ୍ତି । ସମୀର ମହାନ୍ତି ଭୁବନେଶ୍ୱରରେ ବିଜେପିର ସଂଗଠନ ସମ୍ଭାଳିବା ସହ ସକ୍ରିୟ ରାଜନୀତିରେ ଅଛନ୍ତି ।

Share this story