‘ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସ୍ମାର୍ଟ ଫୋନ୍ ନୁହେଁ ବରଂ ସୁରକ୍ଷା ଓ ଆତ୍ମସ୍ୱାଭିମାନ ଯୋଗାଇଦିଅନ୍ତୁ’

‘ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସ୍ମାର୍ଟ ଫୋନ୍ ନୁହେଁ ବରଂ ସୁରକ୍ଷା ଓ ଆତ୍ମସ୍ୱାଭିମାନ ଯୋଗାଇଦିଅନ୍ତୁ’
‘ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସ୍ମାର୍ଟ ଫୋନ୍ ନୁହେଁ ବରଂ ସୁରକ୍ଷା ଓ ଆତ୍ମସ୍ୱାଭିମାନ ଯୋଗାଇଦିଅନ୍ତୁ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ସ୍ମାର୍ଟ ଫୋନ୍ ନୁହେଁ ବରଂ ରାଜ୍ୟର ମହିଳାମାନଙ୍କୁ ସୁରକ୍ଷା ଓ ଆତ୍ମସ୍ୱାଭିମାନ ଯୋଗାଇ ଦିଅନ୍ତୁ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି ।

ରାଜ୍ୟର ମହିଳାମାନେ ସ୍ମାର୍ଟ ହେବା ପାଇଁ ସେମାନଙ୍କୁ ଫୋନ ଯୋଗାଇ ଦେବାର ଆବଶ୍ୟକତା ନାହିଁ । କାରଣ ଆଜିର ସମୟରେ ମହିଳାଙ୍କ ହାତରେ ସ୍ମାର୍ଟ ଫୋନ ଅଛି । ରାଜ୍ୟର ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆରେ ନିଜକୁ ସାମିଲ କରି ପ୍ରଗତି ପଥରେ ଆଗେଇ ଚାଲିଛନ୍ତି । ମହିଳାଙ୍କ ମୌଳିକ ଆବଶ୍ୟକତା ପୂରଣ ନକରି ଆଗାମୀ ନିର୍ବାଚନକୁ ଆଖିରେ ରଖି ସ୍ମାର୍ଟ ଫୋନ ଦେବା ପାଇଁ ଘୋଷଣା କରିବା କେବଳ ରାଜନୀତି ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

ଦାର୍ଘ ୧୮ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରିଛନ୍ତି ସତ କିନ୍ତୁ ସେହି ଗୋଷ୍ଠୀ ମଧ୍ୟରୁ ଜଣେ ବି ମହିଳା ଉଦ୍ୟୋଗୀ ହୋଇପାରି ନାହାଁନ୍ତି । ଏପରିକି ଏହି କାର୍ଯ୍ୟକ୍ରମରେ ଓଡିଶାର ଜଣେ ବି ମହିଳା ଉଦ୍ୟୋଗୀ ନଥିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଉଦ୍ୟୋଗୀ କରିବା ପାଇଁ ସ୍ମାର୍ଟଫୋନ ଗୋଟିଏ ମାଧ୍ୟମ ନୁହେଁ । ରାଜ୍ୟସରକାର ସ୍ୱୟଂସହାୟିକା ଗୋଷ୍ଠୀ ଏବଂ ସେମାନଙ୍କର ହାତ ତିଆରି ଜିନିଷରୁ ବିକ୍ରି କରିବା ଅବା ଲୋକାଭିମୁଖୀ କରିବା ପାଇଁ କଣ ସବୁ ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ । ଦେଶର ଅନ୍ୟ ରାଜ୍ୟରେ ସ୍ୱୟଂସହାୟକ ମହିଳା ଗୋଷ୍ଠୀ ଅମୂଲ, ମଦର ଡାଏରୀ, ଲିଜତ ପାମ୍ପଡ ଭଳି ବିଭିନ୍ନ କୁଟୀର ଶିଳ୍ପ ମାଧ୍ୟମରେ ଯେପରି ନିଜର ପ୍ରଡକ୍ଟକୁ ଭାରତର ବଜାରରେ ବ୍ରାଣ୍ଡିଙ୍ଗ କରିପାରିଛନ୍ତି । ସେହିପରି ରାଜ୍ୟରେ ମିଶନ ଶକ୍ତି ଥାଇ ମଧ୍ୟ ମହିଳାଙ୍କ ହୋମ ପ୍ରଡକ୍ଟ ଉପରେ କୌଣସି ବ୍ରାଣ୍ଡିଙ୍ଗ ହୋଇଛି ନା ମାକେଟିଂ କରିବା ପାଇଁ କିଛି ସୁଯୋଗ ସୃଷ୍ଟି ହୋଇଛି ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି ।

ରାଜ୍ୟସରକାର ଝିଅମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରଥମେ ଯୋଗାଇ ଦିଅନ୍ତୁ । ସ୍କୁଲରେ ପାଠପଢୁଥିବା ଝିଅକୁ ଶିକ୍ଷକ ଦରକାର । ଘରୁ ରାସ୍ତାକୁ ବାହରୁଥିବା ଝିଅ ଓ ମହିଳାମାନଙ୍କୁ ସୁରକ୍ଷା ଦରକାର । ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରୁଥିବା ଅପରାଧୀଙ୍କୁ ଧରିି ଦଣ୍ଡ ଦେବା ଦରକାର । ପୁରୁଷ ଚାଷୀଙ୍କ ପରେ ଏବେ ମହିଳା ଚାଷୀମାନେ ଆତ୍ମହତ୍ୟା କଲେଣି । ଆମ୍ବୁଲାନ୍ସ ନପହଂଚିବାରୁ ବାଟରେ ଘାଟରେ ମହିଳାମାନେ ପ୍ରସବ କରୁଛନ୍ତି । ମହିଳାମାନଙ୍କୁ ଯୋଜନା କରାଇବା ନାଁରେ ଶାସକ ବିଜେଡି ନେତା ଦଳୀୟ କାର୍ଯ୍ୟାଳୟରେ ଦୁଷ୍କର୍ମ କରୁଛନ୍ତି । ଶାସକ ବିଧାୟକଙ୍କ ସଂପର୍କୀୟମାନେ ନାବାଳିକାଙ୍କୁ ଦୁଷ୍କର୍ମ କରି ଚାଲିଛନ୍ତି । ଏହାର ସମାଧାନ କରି ରାଜ୍ୟସରକାର ମହିଳାଙ୍କୁ ସେମାନଙ୍କ ଅଧିକାର ଓ ନ୍ୟାୟ ଦିଅନ୍ତୁ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି ।

Share this story