ଓଡ଼ିଶାରେ ୪ଟି ପର୍ଯ୍ୟାୟ ନିର୍ବାଚନକୁ ନେଇ ପ୍ରଶ୍ନ ରଖିଲା ବିଜେଡ଼ି, ନିର୍ବାଚନ ଜିତିବା ପାଇଁ ଏହା ବିଜେପିର ଚାଲ ବୋଲି ଅଭିଯୋଗ ଆଣିଲା ବିଜେଡି

ଓଡ଼ିଶାରେ ୪ଟି ପର୍ଯ୍ୟାୟ ନିର୍ବାଚନକୁ ନେଇ ପ୍ରଶ୍ନ ରଖିଲା ବିଜେଡ଼ି, ନିର୍ବାଚନ ଜିତିବା ପାଇଁ ଏହା ବିଜେପିର ଚାଲ ବୋଲି ଅଭିଯୋଗ ଆଣିଲା ବିଜେଡି
ଓଡ଼ିଶାରେ ୪ଟି ପର୍ଯ୍ୟାୟ ନିର୍ବାଚନକୁ ନେଇ ପ୍ରଶ୍ନ ରଖିଲା ବିଜେଡ଼ି, ନିର୍ବାଚନ ଜିତିବା ପାଇଁ ଏହା ବିଜେପିର ଚାଲ ବୋଲି ଅଭିଯୋଗ ଆଣିଲା ବିଜେଡି

ବିଜେପିର ମନ୍ଦ ଉଦ୍ଦେଶ୍ୟରେ ପ୍ରଭାବିତ ହୋଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ: ବିଜେଡି

ଭୁୁବନେଶ୍ୱର: ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଧାର୍ଯ୍ୟକୁ ନେଇ ପ୍ରଶ୍ନ କରିଛି ବିଜୁ ଜନତା ଦଳ (ବିଜେଡି) । ମନ୍ଦ ଉଦ୍ଦେଶ୍ୟରେ ଏହା କରାଯାଇଛି ଏବଂ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ଦ୍ୱାରା ପ୍ରଭାବିତ ହୋଇ ଏଭଳି ସୁପାରିଶ କରିଥିବା ମନେ ହେଉଛି ବୋଲି ବିଜେଡି ଆଇଟି ୱିଙ୍ଗ୍ ମୁଖ୍ୟ ତଥା ଦଳର ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ୪ଟି ପର୍ଯ୍ୟାୟର ନିର୍ବାଚନ ଧାର୍ଯ୍ୟ ପଛରେ କୌଣସି ଯୁକ୍ତି କିମ୍ବା ଆଧାର ନାହିଁ । ଆନ୍ଧ୍ରପଦେଶ, ଗୁଜୁରାଟ ଭଳି ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ଓଡ଼ିଶାଠାରୁ ଅଧିକ ହୋଇଥିଲେ ମଧ୍ୟ ସେଠାରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଧାର୍ଯ୍ୟ କରାଯାଇଛି । କର୍ଣ୍ଣାଟକ, ରାଜସ୍ଥାନ ଭଳି ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଧାର୍ଯ୍ୟ ହୋଇଛି ।

ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ ୨୦୦୯ ଏବଂ ୨୦୧୪ ମସିହାରେ ଓଡ଼ିଶାରେ ମାଓ ସମସ୍ୟା ଅଧିକ ଥିବା ବେଳେ ଏବେ ତାହା ଆଶାତୀତ ଭାବେ ହ୍ରାସ ପାଇଛି । ଏପରିିସ୍ଥଳେ, ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନର ଆବଶ୍ୟକତା କ’ଣ ପାଇଁ ପଡ଼ିଲା ବୋଲି ବିଜେଡ଼ି ପ୍ରଶ୍ନ କରିଛି ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ଏଠାରେ ସବୁ ରାଜନୈତିକ ଦଳ ସହ ବିଚାରବିମର୍ଷ କରିବା ସମୟରେ ଏହା ତାଙ୍କୁ ଅବଗତ କରାଯାଇଥିଲା । ସେ ନିଜେ ଓଡ଼ିଶାର ସ୍ଥିତିକୁ ଭଲ ଭାବେ ହୃଦୟଙ୍ଗମ କରିଥିଲେ । ମାତ୍ର ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ କିଭଳି ଅନୁମୋଦନ କଲେ ତାହା ସନ୍ଦେହ ସୃଷ୍ଟି କରୁଛି ।

ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଯେଉଁଠି ବିଜେପିର ସ୍ଥିତି ଭଲ ନାହିଁ ସେଠାରେ ଚାରି ଏବଂ ତତୋଧିକ ପର୍ଯ୍ୟାୟର ନିର୍ବାଚନ ଧାର୍ଯ୍ୟ ହୋଇଥିବାରୁ ମନ୍ଦ ଉଦ୍ଦେଶ୍ୟ ରଖାଯାଇଥିବା ସ୍ପଷ୍ଟ ବାରି ହେଉଛି । ଓଡ଼ିଶାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିରପେକ୍ଷତା ରକ୍ଷା ନ କରି ବିଜେପି ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡୁଛି ବୋଲି ସେ କହିଛନ୍ତି ।

ବିଜେଡ଼ି କହି ରଖିବାକୁ ଚାହେଁ ଯେ ଚାରୋଟି ପର୍ଯ୍ୟାୟ ନିର୍ବାଚନ ଓଡ଼ିଶା ରାଜକୋଷ ପାଇଁ ବୋଝ ଏବଂ ଗତଥର ଠାରୁ ଖର୍ଚ୍ଚ ଦୁଇଗୁଣ ହେବ । ଦୁଇଟି ପର୍ଯ୍ୟାୟ ନିର୍ବାଚନ କରି ରାଜ୍ୟ ରାଜକୋଷର ଏହି ବୋଝକୁ କମାଯାଇ ପାରି ଥାଆନ୍ତା । ତେବେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ଓ ବିଜେପିର ଯୋଜନା ସଫଳ ହେବ ନାହିଁ । ଓଡ଼ିଶାରେ ବିଜୁ ଜନତା ଦଳ ବହୁତ ଭଲ କରିବ ଏବଂ ବିଜେପି ତାର ପୂର୍ବସ୍ଥିତିରେ ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Share this story