ରାଜ୍ୟବ୍ୟାପୀ ଧାନମଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି କୃଷକ ମୋର୍ଚ୍ଚା

ରାଜ୍ୟବ୍ୟାପୀ ଧାନମଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି କୃଷକ ମୋର୍ଚ୍ଚା
ରାଜ୍ୟବ୍ୟାପୀ ଧାନମଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ଧାନମଣ୍ଡି ଖୋଲିବାରେ ବିଳମ୍ବ କରି ଚାଲିଛନ୍ତି । ଅନ୍ୟପଟେ ଚାଷୀ ପରିବାର ହତାଶ ହୋଇ ନିଜ ଧାନକୁ ଶାଗ ମାଛ ଦରରେ ଦଲାଲକୁ ବିକିବାକୁ ବାଧ୍ୟ ହୋଇଛି । ସାରା ରାଜ୍ୟରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବାବେଳେ ରାଜ୍ୟ ସରକାର ଚାଷୀ ପ୍ରସଙ୍ଗକୁ ଗୁରୁତ୍ୱ ନଦେଇ ଭୋଟବ୍ୟାଙ୍କ ରାଜନୀତି କରୁଥିବା ବିଜେପି କୃଷକ ମୋର୍ଚ୍ଚା ଅଭିଯୋଗ କରିଛନ୍ତି ।

ଦୀର୍ଘ ୧୯ ବର୍ଷ ପରେ ବି ବିଜେଡି ସରକାର ଚାଷୀଙ୍କ ପାଇଁ ଗୋଟିଏ ଯୋଜନା ଲାଗୁ ନକରି ମିଥ୍ୟା ପ୍ରତିଶୃତି ଦେଇଚାଲିଛି ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି କହିଛନ୍ତି ।

ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ମନୋଭାବ ଓ ଚାଷୀ ଶୋଷଣ କାରଣରୁ ସାରା ରାଜ୍ୟରେ ଧାନଚାଷୀ ମାନେ ଅଭାବୀ ଧାନ ବିକ୍ରିର ଶିକାର ହୋଇ ମୋଦୀ ସରକାର କୁଇଣ୍ଟାଲ ପ୍ରତି ୧୭୫୦ ଟଙ୍କା ପାଇବାରୁ ବଂଚିତ ହୋଇଛନ୍ତି । ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ ମଣ୍ଡି ଖୋଲିନାହିଁ, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ନିଜ ହକ୍ ପାଇବାର ବଂଚିତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହଲା ଜନସଭାରେ ୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ଦେବା ପାଇଁ ଘୋଷଣା କରିଥିଲେ ମଧ୍ୟ ଏଯାବତ୍ ଦେଇ ନାହାଁନ୍ତି । କୃଷକଙ୍କ ପାଇଁ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶୃତି ନରଖି ରାଜ୍ୟ ବିଜେଡ଼ି ସରକାର କୃଷକ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

କେନ୍ଦ୍ର ସରକାର ଧାନର ଉତ୍ପାଦନ ମୂଲ୍ୟରୁ ଦେଢଗୁଣ ମୂଲ୍ୟ କରି ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ହିସାବରେ ମୋଦି ସରକାର ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ସରକାର ଓ ଅସାଧୁ ବ୍ୟବସାୟିଙ୍କ ମଧୁଚନ୍ଦ୍ରିକାରେ କାହିଁକି ଚାଷୀମାନେ ୧୦୦୦/୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଯୋଗାଣ ବିଭାଗ ଚାଷୀ ସ୍ୱାର୍ଥ କଥା ପାଟିରେ କହି ଚାଷୀଙ୍କୁ ଶୋଷଣ କରୁଥିବା ଅସାଧୁ ବ୍ୟକ୍ତିମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଶ୍ରୀ ମହାନ୍ତି ଆଜି ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡି ବୁଲି ଦେଖିବା ସହ ସ୍ଥାନୀୟ ସହକାରୀ ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ମଣ୍ଡି ଖୋଲିବାରେ ବିଳମ୍ବ କରିଥିବାରୁ ପେଥାଇ ପ୍ରଭାବରେ ସମସ୍ତ ଧାନ ଗଜା ହୋଇଯାଇଛି । ସରକାର ଚାଷୀଙ୍କ ଧାନ କିଣିବା ପାଇଁ କୌଣସି ପଦକ୍ଷେପ ନେଇ ନାହଁନ୍ତି ।

ଯୋଗାଣ ବିଭାଗର ଅଫିସରମାନେ ମିଲର ବାହାନା ଦେଖାଇ ଧାନ କିଣୁନାହାଁନ୍ତି । ସେହିପରି କେନ୍ଦ୍ରସରକାର ସୁବ୍ୟବସ୍ଥିତ ଓ ସୁରକ୍ଷିତ ଭାବେ ଧାନ ରଖିବା ପାଇଁ କ୍ୱିଂଟାଲ ପିଛା ୩୫ ଟଙ୍କା ଦେଉଥିବା ସମୟରେ ରାଜ୍ୟର ବିଭିନ୍ନ ସୋସାଇଟ ମାନଙ୍କରେ କୌଣସି ବ୍ୟବସ୍ଥା କରାଯାଇନଥିବା ପରିଲକ୍ଷିତ ହୋଇଛି ।

ଏହି ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢୀଙ୍କ ସମେତ ଶହଶହ ସଂଖ୍ୟାରେ ଚାଷୀ ଯୋଗ ଦେଇଥିଲେ ।

ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ମରେଇ ଗାଁ ମଣ୍ଡିରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୟୁରଭଂଜ ଜିଲ୍ଲାର ଶୁଳିଆପଦା ବ୍ଲକର କୋଷ୍ଟା ଧାନମଣ୍ଡିରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଘେରାଉ କରାଯାଇଥିଲା । ଏଥିରେ ରାଜ୍ୟ ବିଜେପି ଉପସଭାପତି ରାଜ କିଶୋର ଦାସ ଓ ନିର୍ମଳ ମହାପାତ୍ର ଯୋଗ ଦେଇଥିଲେ । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଜିରାବାଡି ମଣ୍ଡିରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପ୍ରଦୀପ କୁମାର ସାହୁ, ବୌଦ୍ଧ ଜିଲ୍ଲାର ଟିଲେଶ୍ୱର ମଣ୍ଡିରେ କୃଷକ ମୋର୍ଚ୍ଚାର ରାଜ୍ୟ ସଂପାଦକ ସୂର୍ଯ୍ୟନାରାୟଣ ମହାପାତ୍ର, ବରଗଡ ଜିଲ୍ଲା ଅତାବିରା ମଣ୍ଡିରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଦିବ୍ୟ କିଶୋର ଭୋଇ, ବଲାଙ୍ଗିର ଜିଲ୍ଲା କଂଟାବାଝି ମଣ୍ଡିରେ ଜିଲ୍ଲା ବିଜେପି ସଂପାଦକ କାଶିରାମ ଜୈନ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କୃଷକମୋର୍ଚ୍ଚା ରାଜ୍ୟ ସଂଯୋଜକ ଦେବାଶିଷ ହୋତାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଯୁଦ୍ଧ କାଳୀନ ଭିତିରେ ମଣ୍ଡି ଖୋଲିବା ଏବଂ ଅମଳ ଧାନକୁ ତୁରନ୍ତ କ୍ରୟ କରିବା ନିମନ୍ତେ ଦାବି କରାଯାଇଥିଲା ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଳଦେବ ବେଦବାକଙ୍କ ନେତୃତ୍ୱରେ ଜିଲ୍ଲାର ଚାଷୀ ସମସ୍ୟା ଓ ପେଥାଇ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ବୌଦ୍ଧ ଜିଲ୍ଲାର ଟିଲେଶ୍ୱର ମଣ୍ଡିରେ କୃଷକ ମୋର୍ଚ୍ଚାର ରାଜ୍ୟ ସଂପାଦକ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହିପରି ଆଜି ରାଜ୍ୟର ୧୦୦ରୁ ଅଧିକ ଧାନମଣ୍ଡିରେ କୃଷକମୋର୍ଚ୍ଚା ପକ୍ଷରୁ ଧାନମଣ୍ଡି ଜଗିବା ସହ ରାଜ୍ୟସରକାରଙ୍କ ଚାଷୀମାରଣ ନୀତି ବିରୁଧରେ ବିକ୍ଷୋଭ କରାଯାଇଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Share this story