ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପିକୁ ବିଜେଡିର କଡ଼ା ଜବାବ

ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପିକୁ ବିଜେଡିର କଡ଼ା ଜବାବ
ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପିକୁ ବିଜେଡିର କଡ଼ା ଜବାବ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ଚିନ୍ତାଧାରା ସମାନ । ଉଭୟ ଓଡ଼ିଶା ବିରୋଧୀ । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ବେଆଇନ ବ୍ୟାରେଜ ନିର୍ମାଣ କରୁଥିବା ବେଳେ ରାଜ୍ୟ ବିଜେପି ଯେଭଳି ଆଭିମୁଖ୍ୟ ରଖିଥିଲା ଏବେ କଂଗ୍ରେସ ସେହି ଆଭିମୁଖ୍ୟକୁ ଓହ୍ଲାଇଛି ବୋଲି ବିଜେଡି ଅଭିଯୋଗ ଆଣିଛି ।

ବିଜେଡି ମୁଖପାତ୍ର ଡଃ. ସସ୍ମିତ୍ ପାତ୍ରଙ୍କ କହିବା ଅନୁଯାୟୀ, ବେଆଇନ୍ ବ୍ୟାରେଜ୍ ନିର୍ମାଣ ବନ୍ଦ କରିବା ପରିବର୍ତ୍ତେ ଛତିଶଗଡ଼ ମନ୍ତ୍ରୀ ଟି.ଏସ୍.ସିଂହଦେଓ ଏଠି ଆଜି ପୁଣି ରାଜନୀତି ଆରମ୍ଭ କଲେଣି । ବିଜେପି ପରି ସେ ବି କହିଲେଣି ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ମହାନଦୀ ସମସ୍ୟାର ସମାଧାନ ହୋଇଯିବ । ଉଭୟ ବିଜେପି ଓ କଂଗ୍ରେସ ଓଡ଼ିଶାବାସୀଙ୍କୁ ଏମିତି ପ୍ରତାରଣା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାକୁ ନେଇ ଆଗାମୀ ନିର୍ବାଚନରେ ଓଡ଼ିଶା ଜନସାଧାରଣ ସେମାନଙ୍କୁ ଜବାବ ଦେବ ବୋଲି ଶ୍ରୀ ପାତ୍ର ମତବ୍ୟକ୍ତ ରଖିଛନ୍ତି ।

ଅନ୍ୟପକ୍ଷରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ଯେଉଁସବୁ ବିବୃତି ଦେଇଛନ୍ତି ତାହାର କଡ଼ା ଜବାବ ଦେଇଛନ୍ତି ଡ. ପାତ୍ର । ସେ କହିଛନ୍ତି ଧର୍ମେନ୍ଦ୍ର ବାବୁଙ୍କ ପାଇଁ ସେସବୁ ପ୍ରଶ୍ନ ପ୍ରଯୁର୍ଯ୍ୟ । ଜଣେ ଅଭ୍ୟାସଗତ ମିଛୁଆ ଭାବେ ଜଣାଶୁଣା ଧର୍ମେନ୍ଦ୍ର ବାବୁ ମୁହଁ ଖୋଲି କହିବେ କି, ୪ବର୍ଷ ତଳେ ତାଙ୍କ ଦଳ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ତାହା କୁଆଡ଼େ ଗଲା? ଚାଷୀମାନଙ୍କ ଆୟ ଦେଢ଼ଗୁଣ କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତି ଦେଇ ନ ଥିଲା କି? ମାତ୍ର ତାହା କୁଆଡ଼େ ଗଲା? ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ଯେଉଁ ସଂକଳ୍ପ ପାରିତ କଲା ସେଥିରେ ତାଙ୍କ ଦଳର ସମର୍ଥନ ଥିଲା । ମାତ୍ର ଦିଲ୍ଲୀରେ ସେହି ସ୍ୱର ଚପିଗଲା କାହିଁକି? ଓଡ଼ିଶାରେ ଜନ୍ମ ହୋଇଥିବା ଧର୍ମେନ୍ଦ୍ର ବାବୁ ଓଡ଼ିଶାବାସୀଙ୍କ ମହାନଦୀ ସ୍ୱାର୍ଥ ପ୍ରସଙ୍ଗରେ ନିରବ ରହିଲେ କାହିଁକି?

ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ନେଇ ପ୍ରଶ୍ନ କରିଥିବା ଧର୍ମେନ୍ଦ୍ର ବାବୁଙ୍କର ଯଦି ସତସାହାସ ଅଛି ତେବେ ସ୍ପଷ୍ଟ ଭାବେ କହନ୍ତୁ ଯେ ଗତ ୫ବର୍ଷରେ ଭାରତବର୍ଷରେ ଲୋକପାଳ କାହିଁକି ନିଯୁକ୍ତି ହୋଇପାରିଲେ ନାହିଁ? ସେ ସମ୍ବିଧାନ ବିଷୟରେ ଏତେ କଥା କହୁଛନ୍ତି ମାତ୍ର ସମ୍ବିଧାନ ବିଷୟରେ ଯଦି ସାଧାରଣ ଜ୍ଞାନ ଅଛି ତେବେ ଯେଉଁ ଲୋକପାଳକୁ ନେଇ ସେମାନେ ରାଜରାସ୍ତାରେ ଲଢ଼େଇ କରିଥିଲେ ଏବଂ କେନ୍ଦ୍ରରେ ସରକାରକୁ ଆସିଥିଲେ ସେହି ଲୋକପାଳ ଗଲା କୁଆଡେ? ଏହାର ଉତ୍ତର ଧର୍ମେନ୍ଦ୍ର ବାବୁଙ୍କ ପାଖରେ ଅଛି କି? ନା ପଳାୟନପନ୍ଥୀ ହୋଇ ଦୁଇ ଦୁଇ ମିନିଟର ବାଇଟ୍ ଦେଇ ଖସି ପଳାଇବାକୁ ଚେଷ୍ଟା କରୁଛନ୍ତି? ତାର ଉତ୍ତର ଧର୍ମେନ୍ଦ୍ର ବାବୁ ରଖିବେ କି? ଗୋଦରି ନିଜ ଗୋଡ଼କୁ ଅନା । ନିଜ ଦୋଷ ଦୁର୍ବଳତାକୁ ଘୋଡ଼ାଇବା ପାଇଁ ଧର୍ମେନ୍ଦ୍ର ବାବୁ ଆଉ ମିଛ ଭାଷଣ ଦିଅନ୍ତୁ ନାହିଁ । ଓଡ଼ିଶା ଲୋକେ ସବୁ ବୁଝିସାରିଲେଣି ବୋଲି ଡ. ପାତ୍ର କହିଛନ୍ତି ।

Share this story