ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବ ଅନଲାଇନ୍ ଟିକେଟ୍ ବିକ୍ରୀ ସ୍କାମ୍ !

ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବ ଅନଲାଇନ୍ ଟିକେଟ୍ ବିକ୍ରୀ ସ୍କାମ୍ !
ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବ ଅନଲାଇନ୍ ଟିକେଟ୍ ବିକ୍ରୀ ସ୍କାମ୍ !

ବିଜେଡି-ବିଜେପି ନେତା, ବଡବଡିଆ ଅଫିସରଙ୍କ ପାଇଁ ସାଧାରଣ ହକିପ୍ରେମୀ ଭକୁଆ: କଂଗ୍ରେସ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ହେବାକୁ ଥିବା ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରୀକୁ ନେଇ ବିବାଦ ପିଛା ଛାଡୁନି । ପ୍ରଥମରୁ ନଭେମ୍ବର ୧୬ ତାରିଖରୁ ହକି ଉଦଘାଟନୀ ଉତ୍ସବ ଟିକେଟ୍ ବିକ୍ରୀ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ସାରା ରାତି ଟିକେଟ୍ ପାଇଁ ଅନିଦ୍ରା ହୋଇ ହକିପ୍ରେମୀ ମାନେ ନିରାଶ ହେବା ପରେ କଳିଙ୍ଗ ଷ୍ଟାଡିୟମରେ ତୁମୁଳ କାଣ୍ଡ ଘଟିଥିଲା ।

ପରବର୍ତୀ ସମୟରେ ସରକାର ଟିକେଟ୍ ଅନଲାଇନ୍ରେ ବିକ୍ରୀ ହେବ ବୋଲି ଘୋଷଣା କରିଥିଲେ । ଘୋଷଣା ଏହା ହୋଇଥିଲା କି ଯେବେଠୁ ଟିକେଟ୍ ବିକ୍ରୀ ହେବ ତା’ର ୪୮ ଘଂଟା ପୂର୍ବରୁ ଜନସାଧାରଣଙ୍କୁ ଜଣାଇ ଦିଆଯିବ । ଘୋଷଣା ଅନୁଯାୟୀ ଆଜି ଦିନ ୧୨ଟା ଠାରୁ ଟିକେଟ୍ ଅନଲାଇନରେ ବିକ୍ରୀ ଆରମ୍ଭ ହୋଇଥିଲା । କିନ୍ତୁ ଲୋକଙ୍କୁ କିଭଳି ଭକୁଆ ବନାଯାଏ ତା’ର ଏକ ଉଦାହରଣ ହେଉଛି ହକି ୱାର୍ଲଡ କପ୍ ଟିକେଟ୍ ଅନଲାଇନ୍ ବିକ୍ରୀ ବୋଲି କଂଗ୍ରେସ ମତବ୍ୟକ୍ତ କରିଛି ।

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୭ ତାରିଖ ପାଇଁ ୧୨ ହଜାର ଓ କଟକ ବାରବାଟୀ ଷ୍ଟାଡିୟମରେ ୨୮ ତାରିଖ ଉଦଘାଟନୀ ଉତ୍ସବ ପାଇଁ ୩୦ ହଜାର ଟିକେଟ୍ ବିକ୍ରୀ ହେବ ବୋଲି ଘୋଷଣା କରିଥିଲେ । ଏହି ଉଦଘାଟନୀ ଉତ୍ସବ ପାଇଁ ଟିକେଟର ମୂଲ୍ୟ ୫୦୦ ଟଙ୍କା ରଖାଯାଇଥିଲା । ପ୍ରଥମ ଟିକେଟ୍ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା । କିନ୍ତୁ ହକିପ୍ରେମୀ “www.ticketgenie.in” ସାଇଟକୁ ଯାଇ ଦେଖିଲେ ଲେଖାଯାଇଛି ବୁକ୍ ଟିକେଟ୍ସ । ବୁକ୍ ଟିକେଟ୍ସକୁ କ୍ଲିକ୍ କଲାପରେ “This site can’t be reached” ଦେଖାଇଥିଲା ।

ଏହାର କିଛି ସମୟ ପରେ ବୁକ୍ ଟିକେଟ୍ସକୁ କ୍ଲିକ କଲାପରେ ଟିକେଟ୍ ବୁକିଂ ପାଇଁ ସଂକେତ ଅନୁସାରେ ନାମ, ଫୋନ୍ ନମ୍ବର ଓ ମେଲ୍ ଆଇଡି ଲେଖିବା ପରେ Coming Soon ରେ Agree & Pay ଅଫସନ୍ ଆସିଥିଲା । Agree & Pay କୁ କ୍ଲିକ୍ କଲାପରେ You are now in line ଅଫସନ ଆସିଥିଲା । ସେଠାରେ ତଳେ ନିଜର ଲାଇନ୍ ନମ୍ବର ମୋବାଇଲରେ ଏବଂ କମ୍ପ୍ୟୁଟରରେ ବହୁତ ବ୍ୟବଧାନରେ ଆସୁଥିଲା । ଉଦାହରଣ ସ୍ୱରୂପ ଏକ ସମୟରେ ମୋବାଇଲରେ ୧୮୨୪୨ ଦେଖାଉଥିବା ବେଳେ କମ୍ପ୍ୟୁଟରରେ ୧୩୦୯୯ ଦେଖାଉଥିଲା । ହକିପ୍ରେମୀ ପ୍ରାୟ ଏକ ଘଂଟା ଧରି ଅପେକ୍ଷା କରି ଅନଲାଇନରେ ରହିବା ପରେ Rejected queue number ଲେଖି Get a new place in line ଅଫସନ ଆସୁଥିଲା । ସେହି ଅଫସନକୁ କ୍ଲିକ୍ କଲାପରେ ସଂପୂର୍ଣ୍ଣ ଟିକେଟ୍ ସରିଯାଇଛି ବୋଲି ଦେଖାଉଥିଲା ।

ଏଠାରେ ପ୍ରଶ୍ନ ଉଠୁଛି ଯେ ମାତ୍ର ଦୁଇ ଘଂଟା ଭିତରେ ଭୁବନେଶ୍ୱରର ୧୨ ହଜାର ଟିକେଟ୍ କିପରି ଅନ୍ଲାଇନ୍ରେ ବିକ୍ରୀ ହେଲା? ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଅନଲାଇନରେ ଟିକେଟ୍ ବିକିବା ଧର୍ମକୁ ଆଖିଠାର ମାରିବା ସଦୃଶ । ବିଜେଡି, ବିଜେପି ନେତା ଓ ସରକାରୀ କର୍ମଚାରୀମାନେ ଏହି ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବରେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର ତାରକୁ ଆସୁଥିବାରୁ ଏହି ଉଦଘାଟନୀ ଉତ୍ସବକୁ ଉପଭୋଗ କରିବା ପାଇଁ ସମସ୍ତ ଟିକେଟ୍ ହାତେଇଛନ୍ତି ଏବଂ ବାହାରେ ହକିପ୍ରେମୀଙ୍କୁ ଭକୁଆ ବନେଇବା ପାଇଁ ଅନଲାଇନର ଆଶ୍ରୟ ନେଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ଏହାର ବିଧିବଦ୍ଧ ତଦନ୍ତ ହେଲେ ବାସ୍ତବରେ କେତେ ଟିକେଟ୍ ବିକ୍ରୀ ହୋଇଛି, ଆୟୋଜକମାନଙ୍କ ଅସଲ ମୁଖା ଖୋଲିବ ବୋଲି ଶ୍ରୀ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଯଦି ଏତେ ପରିମାଣରେ ଅର୍ଥ ବ୍ୟୟ ହୋଇ ହକି ୱାର୍ଲଡ କପ୍ ଓଡିଶାରେ ଅନୁଷ୍ଠିତ ହେଉଛି ଏବଂ ଏହା ଏକ ଆର୍ନ୍ତଜାତୀକ ପ୍ରତିଯୋଗିତା ହୋଇଥିବା ସ୍ଥଳେ କ’ଣ ପାଇଁ ଓ କାହା ସ୍ୱାର୍ଥରେ ଆୟୋଜକ ଉନ୍ନତମାନର ସର୍ଭର ବ୍ୟବହାର କରିବା ପରିବର୍ତେ ନିମ୍ନମାନର ସର୍ଭର ବ୍ୟବହାର କଲେ ଏହା ତଦନ୍ତ ସାପେକ୍ଷ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

Share this story