ପଞ୍ଚାୟତ ନିର୍ବାଚନରେ ବିଜେପି କାହିଁକି ମାରିଲା ଚିତ ପଟାଙ୍ଗ? ଜାଣନ୍ତୁ...

Bjp

ଓଡ଼ିଆ ଗସିପ ବ୍ୟୁରୋ: ବଦଳିଯାଇଛି ୨୦୧୭ର ସମୀକରଣ । ୫ ବର୍ଷରେ ସବୁ ଓଲଟଫେର୍ । ବିଜେପିର ଯେଉଁ ପ୍ରଦର୍ଶନକୁ ଦେଖି ସେତେବେଳେ ୟୁପି ନିର୍ବାଚନରେ ଗର୍ବର ସହ ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ ମୋଦି, ଏବେ ତାହା ସାଙ୍ଘାତିକ ତଳକୁ ଖସିଛି ।

ପଞ୍ଚାୟତ ନିର୍ବାଚନ ଫଳ ଗଣନାର ପ୍ରଥମ ଦିନରେ ଯେଉଁ ଟ୍ରେଣ୍ଡ ଆସିଛି, ତାହା ବିଜେପିର ପାଦ ତଳୁ ମାଟି ଖସାଇଦେଇଛି । ତୃଣମୂଳରେ ଦଳ ଯେ ବିଜେଡିଠାରୁ ଢେର୍ ପଛକୁ ଚାଲିଯାଇଛି, ତାହା ଦର୍ଶାଉଛି ପଞ୍ଚାୟତ ନିର୍ବାଚନ ରେଜଲ୍ଟର ପ୍ରାଥମିକ ସ୍ଥିତି । ପଞ୍ଚାୟତ ନିର୍ବାଚନକୁ ସଂସଦ ଓ ବିଧାନସଭା ନିର୍ବାଚନର ସେମିଫାଇନାଲ କୁହାଯାଏ ।

୨୦୧୭ ପଞ୍ଚାୟତ ନିର୍ବାଚନ ଫଳ ହିଁ କଂଗ୍ରେସକୁ ପଛକୁ ଠେଲି ରାଜ୍ୟରେ ବିଜେପିକୁ ୨ ନମ୍ବର ଦଳ କରିଥିଲା । ଯାହା ୨୦୧୯ ସାଧାରଣ ନିର୍ବାଚନରେ କାଏମ ରହିଥିଲା । କିନ୍ତୁ ସାଧାରଣ ନିର୍ବାଚନର ୩୨ ମାସ ପରେ ତୃଣମୂଳରେ କେବଳ ବିଜୁ ଜନତା ଦଳର ଏକଚାଟିଆ ରାଜୁତି ଦେଖିବାକୁ ମିଳିଛି ।

ବିରୋଧୀଙ୍କୁ ଭୋଟ୍ର ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବା ଭଳି ଟ୍ରେଣ୍ଡ ସାମ୍ନାକୁ ଆସିଛି । ଆସନ୍ତୁ ନଜର ପକାଇବା ୨୦୧୨ ଓ ୨୦୧୭ ନିର୍ବାଚନର ଫଳ ଉପରେ ।


୨୦୧୨ରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିଲା କଂଗ୍ରେସ । ଶାସକ ବିଜେଡିକୁ ୬୫୪ ଜିଲ୍ଲା ପରିଷଦ ଜୋନରେ ସଫଳତା ମିଳିଥିବା ବେଳେ କଂଗ୍ରେସ ମାତ୍ର ୧୨୮ ଜୋନରେ ସୀମିତ ଥିଲା । ବିଜେପି ଖାତାକୁ ଆସିଥିଲା କେବଳ ୩୬ ।


୨୦୧୭ରେ ମୁଖ୍ୟ ବିରୋଧୀ ଦଳରେ ବସିଥିଲା କଂଗ୍ରେସ । କିନ୍ତୁ କଂଗ୍ରେସକୁ ପଛକୁ ଠେଲିଥିଲା ବିଜେପି । ପଞ୍ଚାୟତ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେଇଥିଲା ବିଜେପି । ବିଜେଡି ୪୭୩ ଜୋନରେ ଜିତିଥିବା ବେଳେ ବିଜେପି ହାତେଇଥିଲା ୨୯୭ ଜୋନ୍ । କଂଗ୍ରେସ ମାତ୍ର ୬୦ରେ ସୀମିତ ରହିଥିଲା । କିଛି ଜିଲ୍ଲାରେ ବିଜେପି ଜିଲ୍ଲା ପରିଷଦ ଅଧ୍ୟ ଆସନରେ ବି ବସିଲା । କିନ୍ତୁ ଏଥର ଗଣତିର ତରିକା ବଦଳିଲା । ବୁଥରେ ଗଣା ନ ହୋଇ ଷ୍ଟ୍ରଙ୍ଗ ରୁମକୁ ଗଲା ଭୋଟ୍ ବାକ୍ସ ।

ଆଉ ଯେତେବେଳେ ଫଳ ବାହାରୁଛି ସେଥିରୁ ଏକପାଖିଆ ଭାବେ ଶଙ୍ଖ ଜିତୁଛି । ବିଜେଡି ଗତଥର ୫ ଶହ ତଳେ ଥିବା ବେଳେ ଏଥର ୬୫୦ ଟପିବ ବୋଲି ଆକଳନ କରାଯାଉଛି । ବିଜେଡିର ୨୦୧୨ ସଂଖ୍ୟା ରିପିଟ୍ ହୋଇପାରେ ।

ଏପିରିକି ୩୦ରୁ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ବିଜେଡିକୁ ଯିବାର ସମ୍ଭାବନ ତିଆରି ହୋଇଛି । ଯାହା ପୌର ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଦଳର ବଢାଇଛି ମନୋବଳ ।

ଏଭଳି ରେଜଲ୍ଟ ପାଇଁ ବିରୋଧୀ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି । କାହିଁକି ୧୭ରେ ମେଞ୍ଚେ ଆସନ ପାଇଁ ବିଜେପିକୁ ଭୋଟର ଏଥର ବିଶ୍ୱାସକୁ ନେଲେ ନାହିଁ ତାହା ବି ଦଳ ଭାବିବା ଦରକାର ।

Share this story