ବିବାଦୀୟ ମନ୍ତ୍ରୀଙ୍କ ଉପରେ ନବୀନଙ୍କ ଖଣ୍ଡା, ଏଇମାନେ ଖୁବଶୀଘ୍ର ହେବେ ବିଦା

Cabinet reshuffle

ଓଡ଼ିଆ ଗସିପ ବ୍ୟୁରୋ: ନିକଟରେ ସମାପ୍ତ ହୋଇଛି ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ । ଉଭୟ ନିର୍ବାଚନରେ ଶାସକ ବିଜେଡି ବିପୁଳ ବିଜୟ ହାସଲ କରିଛି । ତେବେ ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ତେଣୁ ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୋଲି ଚର୍ଚ୍ଚା ଜୋର ଧରିଛି।

ଗତ ୨୦୧୯ ନିର୍ବାଚନ ପୂର୍ବରୁ ଯେପରି ନବୀନ ନିଜ କ୍ୟାବିନେଟରେ ପରିବର୍ତ୍ତନ କରିଥିଲେ, ଅନୁରୂପ ଫର୍ମୂଲ ଚଳିତ ଥର ମଧ୍ୟ ଆପ୍ଲାଏ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିଛି ଘଟଣାକୁ ନେଇ ବଡ ବଡ ମନ୍ତ୍ରୀ ବିବାଦରେ ଅଛନ୍ତି । ମାହାଙ୍ଗା ଡବଲ ମର୍ଡର ଓ ମମିତା ହତ୍ୟା ଘଟଣାକୁ ନେଇ ପ୍ରତାପ ଜେନା ଓ କ୍ୟାପଟେନ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି ।

ଏ.ସି.ଏଫ ସୌମ୍ୟ ମୃତ୍ୟୁ ମାମଲାରେ ବିବାଦ ଘେରକୁ ଆସିଥିଲେ ହେବିୱେଟ ବିକ୍ରମ କେଶରୀ ଆରୁଖ । ପ୍ରଦର୍ଶନକୁ ନେଇ ମନ୍ତ୍ରୀ ପଦ୍ମନାଭ, ତୁଷାରକାନ୍ତି ବେହେରା, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁଦାମ ମାରାଣ୍ଡି ଵ୍ୟାକଫୁଟରେ ଥିବା ଚର୍ଚ୍ଚା ହେଉଛି ।

କିଛି ପୁରୁଖା ନେତା ନୂଆ ମନ୍ତ୍ରୀମଣ୍ଡଳ ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି । ବଦ୍ରିନାରାୟଣ ପାତ୍ର, ପ୍ରତାବ ଦେବ, ଅତନୁ ସବ୍ୟସାଚୀ ନାୟକ, ସୂର୍ଯ୍ୟନାରାୟଣ ପାତ୍ର, ଅମର ଶତପଥୀଙ୍କ ଭଳି ନେତା ମନ୍ତ୍ରୀ ପାଇଁ ଲବି କରୁଥିବା ଅନୁମାନ କରାଯାଉଛି । ସେହିପରି ବ୍ୟମୋକେଶ ରାଏ, ସୁଶାନ୍ତ ରାଉତ, ରାଜକିଶୋର ଦାସଙ୍କ ଭଳି ଚେହେରା ପ୍ରଥମ ଥର ମନ୍ତ୍ରୀ ହୋଇପାରନ୍ତି ବୋଲି ଅଙ୍କ କସିଛନ୍ତି ରାଜନୈତିକ ପଣ୍ଡିତ । 

ମନ୍ତ୍ରୀମଣ୍ଡଳ ଅଦଳ ବଦଳ ଭିତରେ ସ୍ଥାନୀୟ ସାଙ୍ଗଠନିକ ସ୍ଥିତି ଅସ୍ଥିର ହୋଇପାରେ । ତେବେ ନବୀନ ଏଥର କିଛି ନୂଆ ଚେହେରାଙ୍କୁ ନିଜ ଟିମରେ ସ୍ଥାନ ଦେଇପାରନ୍ତି । ଏ କ୍ଷେତ୍ରରେ ମହିଳା, ଯୁବକଙ୍କୁ ଗୁରୁତ୍ୱ ଦିଆଯାଇପାରେ ।

ପଞ୍ଚାୟତ ଓ ପୌର ନିର୍ବାଚନରେ ଯେଉଁ ସ୍ଥାନଗୁଡ଼ିକରେ ବିଜେଡି ଦୁର୍ବଳ ରହିଥିବା ପ୍ରମାଣିତ ହୋଇଛି ଉକ୍ତ ଅଞ୍ଚଳର ନେତାଙ୍କୁ ମନ୍ତ୍ରୀପଦ ମିଳିପାରେ । କେଉଁ ନେତାଙ୍କୁ ଦାୟିତ୍ୱ ଦିଆଗଲେ ଦଳ ଫାଇଦାରେ ରହିବ ସେ ନିଷ୍ପତ୍ତି ଖୋଦ୍ ସୁପ୍ରିମୋ ଗ୍ରହଣ କରିବେ । କିନ୍ତୁ ଏଯାଏଁ କେହି ସ୍ପଷ୍ଟ କରିପାରିନାହାନ୍ତି ଯେ ପ୍ରକୃତରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେଉଛି ନା ଗୁଜବ ଚାଲିଛି।

Share this story