ପରିବାରବାଦ ଗଣ୍ଡି ଭିତରୁ ବାହାରି ପାରିଲା ନାହିଁ କଂଗ୍ରେସ 

;

ଓଡ଼ିଆ ଗସିପ  ବ୍ୟୁରୋ: ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରୁ ଲଗାତାର ଭାବରେ ଆହ୍ୱାନ ଦେଇ ଚାଲିଛନ୍ତି କଂଗ୍ରେସମୁକ୍ତ ଭାରତ ପାଇଁ। କଂଗ୍ରେସ ଦଳ ମଧ୍ୟ ଏପରି କାର୍ଯ୍ୟ କରୁଛି, ଯାହା ଫଳରେ ଗୋଟିଏ ପରେ ଗୋଟିଏ ରାଜ୍ୟରୁ ଦଳ ସଫା ହେବାରେ ଲାଗିଛି। ଏ ସଂପର୍କରେ କଂଗ୍ରେସର ଲଗାମ ଧରିଥିବା ଶ୍ରୀମତୀ ସୋନିଆ ଗାନ୍ଧି, ଶ୍ରୀ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି କହୁଛନ୍ତି, ପରାଜୟର କାରଣ ନେଇ ସମୀକ୍ଷା କରାଯିବ।

କଂଗ୍ରେସ ଦଳର ଅସ୍ତିତ୍ୱ ଏବେ ଘୋର ସଂକଟରେ। କଂଗ୍ରେସ ଏପରି ଏକ ରାଜନୈତିକ ଦଳ ଯାହାର ଜଡ଼ ଭାରତର କୋଣ କୋଣରେ ରହିଛି। ୧୮୮୫ରେ ଏହି ଦଳ ପ୍ରତିଷ୍ଠା ହୋଇଥିଲା। ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଆନ୍ଦୋଳନକୁ ସଶକ୍ତ କରିବାର ଆହ୍ୱାନ ଦେଇଥିବା ଏହି ଦଳ। ସ୍ୱାଧୀନତା ସଂଗ୍ରାମ ବି ଆରମ୍ଭ କରିଥିଲା ଏହି ଦଳ। ଊନ୍ନବିଂଶ ଶତାବ୍ଦୀର ଅନ୍ତରେ ଏବଂ ବିଶେଷ ଭାବରେ ୧୯୨୦ ପରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ମଶାଲକୁ ଊର୍ଦ୍ଧ୍ୱକୁ ଟେକିଥିଲା। ଜବାହରଲାଲ୍‍ ନେହେରୁ, ଲାଲା ଲଜପତ ରାୟ, ମଦନ ମୋହନ ମାଲବ୍ୟ, ଡଃ. ମୌଲାନା ଆଜାଦ୍‍, ସରୋଜିନୀ ନାଇଡୁ, ସୁଭାଷଚନ୍ଦ୍ର ବୋଷଙ୍କ ଭଳି କଂଗ୍ରେସ ନେତା ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଯୁଦ୍ଧ ଘୋଷଣା କରି କଂଗ୍ରେସ ପାଇଁ ଐତିହ୍ୟ ତିଆରି କରିଥିଲେ।

 

 

କିନ୍ତୁ ଆଜିଦିନର ଦୁର୍ଭାଗ୍ୟ ଯେ ଆଜି ବି ବ୍ରିଟିଶ ସାମ୍ରାଜ୍ୟବାଦୀ ନିୟମ ଏବଂ ଉପନିୟମ ଦ୍ୱାରା ଶାସନ ଚାଲିଛି। ଯେଉଁ କଂଗ୍ରେସ ଦଳ ଉପନିବେଶବାଦ ବିରୋଧୀ ଆନ୍ଦୋଳନ କରିଥିଲା ଏବଂ ରାଷ୍ଟ୍ରବାଦୀ ଆନ୍ଦୋଳନକୁ ଶକ୍ତିଶାଳୀ ସ୍ୱରୂପ ଦେଇଥିଲା ସେହି ଦଳ ଭାରତରେ ବହୁବର୍ଷ ଧରି ଅର୍ଥାତ୍‍ ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ରହିଲା ପରେ ବି ବ୍ରିଟିଶ ସାମ୍ରାଜ୍ୟବାଦୀ ନିୟମକୁ ବଦଳାଇଲା ନାହିଁ। ପରିବାରବାଦ ଗଣ୍ଡି ଭିତରୁ ଦଳ ବାହାରି ପାରିଲା ନାହିଁ। ଫଳରେ ଆଜି ଦିନରେ ଜି-୨୩ ଅସନ୍ତୁଷ୍ଟ ବରିଷ୍ଠ କଂଗ୍ରେସ ନେତା ପାର୍ଟିର ପୁନରୁତ୍ଥାନ ପାଇଁ ମତ ଦେବା ସହ କଂଗ୍ରେସ ଦଳକୁ ପରିବାରବଦ ମଧ୍ୟରୁ ମୁକ୍ତ କରିବା ପାଇଁ ମତ ଦେଉଛନ୍ତି। କିନ୍ତୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଶ୍ରୀମତୀ ସୋନିଆ ଗାନ୍ଧି ଏହି ବରିଷ୍ଠ ନେତାଙ୍କ କଥାକୁ ଗୁରୁତ୍ୱ ଦେଉ ନାହାନ୍ତି। ବରଂ କହିଛନ୍ତି, ମୁଁ ହେଉଛି କଂଗ୍ରେସ ଦଳ ଅଧ୍ୟକ୍ଷ। ଜି-୨୩ ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା ଥିଲା, ସୋନିଆଙ୍କ କଥା ନିରର୍ଥକ। ନେହେରୁ-ଗାନ୍ଧି ପରିବାରର ପ୍ରଭାବ କଂଗ୍ରେସ ଦଳରେ ରହିଥିବାରୁ କଂଗ୍ରେସ ଉଧେଇ ପାରୁନାହିଁ। ଉପା ସରକାର ସମୟରେ ଡ. ମନମୋହନ ସିଂହଙ୍କ ମଡେଲ୍‍ ବିପରୀତରେ କାର୍ଯ୍ୟ କରାଯାଉଛି। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲାବେଳେ ପାର୍ଟି ଓ ସରକାର ଉପରେ ଥିଲା ସୋନିଆଙ୍କ ଆଧିପତ୍ୟ। ସୋନିଆ ଗାନ୍ଧି ନିଜ ସନ୍ତାନ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଦଳରେ ଗୁରୁତ୍ୱ ଦେଉଛନ୍ତି। ଦଳର ବରିଷ୍ଠ ନେତାଙ୍କୁ କୋଣଠେସା କରାଯାଉଛି। ଫଳତଃ ଜିତିନ ପ୍ରସାଦ, ସୁସ୍ମିତା ଦେବ, ପ୍ରିୟଙ୍କା ଚତୁର୍ବେଦୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ନେତା କଂଗ୍ରେସ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।

ଆଜି ଦିନରେ କର୍ଣ୍ଣାଟକ, ମେଘାଳୟ, ମିଜୋରାମକୁ ଛାଡ଼ି ଅଧିକାଂଶ ରାଜ୍ୟରେ କଂଗ୍ରେସ କ୍ଷମତାରୁ ବାହାରେ। ଦଳର ସାଂଗଠନିକ ନିର୍ବାଚନ ହେଉନାହିଁ। ପ୍ରଧାନମନ୍ତ୍ରୀ ମୋଦି ଚାହୁଁଛନ୍ତି, ରାହୁଲ ଗାନ୍ଧି କଂଗ୍ରେସ ଦଳର ଅଧ୍ୟକ୍ଷ ହେବା ଉଚିତ। ଏହାଦ୍ୱାରା ଭାରତ ସହଜରେ କଂଗ୍ରେସମୁକ୍ତ ହୋଇପାରିବ। କିନ୍ତୁ ଶ୍ରୀମତୀ ସୋନିଆ ଗାନ୍ଧି ପିଏମ୍‍ ମୋଦିଙ୍କ କୂଟନୀତିକୁ ବୁଝି ପାରୁନାହାନ୍ତି। ପୁତ୍ର ପାଇଁ ଦଳ ରସାତଳକୁ ଯାଉ, ଏଥିନେଇ ଚିନ୍ତା ନାହିଁ। କପିଲ ଶିବଲ୍‍, ଗୁଲାମନବୀ ଆଜାଦ୍‍, ଆନନ୍ଦ ଶର୍ମା, ପି. ଚିଦାମ୍ବରମ୍‍ଙ୍କ ଭଳି ପାର୍ଟିର ବରିଷ୍ଠ ନେତା ଦଳର ଚିନ୍ତାଜନକ ସ୍ଥିତିକୁ ନେଇ ଉଠାଇଥିବା ପ୍ରଶ୍ନ ଉପରେ ସମୀକ୍ଷା ହେଉନାହିଁ। କଂଗ୍ରେସକୁ ପୁନର୍ଜୀବିତ କରିବା ପାଇଁ ଗାନ୍ଧି ପରିବାରର ସଦସ୍ୟ ନୁହେଁ, ବରଂ ଅନ୍ୟ କେହି ବରିଷ୍ଠ ନେତାଙ୍କୁ ଅଧ୍ୟକ୍ଷ କରାଯିବା ଉପରେ ଦଳ ଭିତରୁ ମତ ଦିଆଯାଉଥିଲେ ହେଁ କଂଗ୍ରେସ ଦଳକୁ ନିୟନ୍ତ୍ରଣରେ ରଖିଥିବା ସୋନିଆ ଗାନ୍ଧି ଏହି କଥାର ଗମ୍ଭୀରତା ଉପରେ ଗୁରୁତ୍ୱ ଦେଉନାହାନ୍ତି। କେବଳ କଂଗ୍ରେସ ଦଳ ବ୍ୟକ୍ତିକୈନ୍ଦ୍ରିକ ବୋଲି କହିବା ଭୁଲ ହେବ। କାରଣ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଟିଏମ୍‍ସିକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଏହିପରି ନୀତୀଶ କୁମାର ଜେଡିୟୁକୁ, ନବୀନ ପଟ୍ଟନାୟକ ବିଜୁ ଜନତା ଦଳକୁ, ଆସଦ୍ଦୁନ ଓବେସୀଙ୍କ ନିୟନ୍ତ୍ରଣରେ ଏମ୍‍ଆଇଏମ୍‍, ସୁଶ୍ରୀ ମାୟାବତୀଙ୍କ ନିୟନ୍ତ୍ରଣରେ ବିଏସ୍‍ପି, ଷ୍ଟାଲିନ୍‍ଙ୍କ ନିୟନ୍ତ୍ରଣରେ ଡିଏମ୍‍କେ ଭଳି ଅନେକ ଦଳ ରହିଛି, ଯେଉଁ ଦଳ ବ୍ୟକ୍ତିକୈନ୍ଦ୍ରିକ। କଂଗ୍ରେସ ଦଳ ଜଣେ ବ୍ୟକ୍ତିଙ୍କ ଦ୍ୱାରା ନିୟନ୍ତ୍ରଣ ହେବା ଦୋଷାବହ ନୁହେଁ। କିନ୍ତୁ ପରିବାରବାଦରୁ ମୁକ୍ତ ହେବା ଦରକାର। ତା’ ନହେଲେ କଂଗ୍ରେସ ଦଳ ଯେଉଁ ଅସ୍ତିତ୍ୱ ସଂକଟର ସମ୍ମୁଖୀନ ହୋଇଛି, ସେଥିରୁ ମୁକ୍ତି ପାଇବା ସମ୍ଭବ ନୁହେଁ। ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ‘କଂଗ୍ରେସମୁକ୍ତ ଭାରତ’ ଆହୁରି ସଫଳ ହେବ।

Share this story