ଠାକରେ କ୍ଷମତାକୁ ଛଡେଇ ଆଣିବ ଦିନେ ଭାଜପା; ମହରାଜନୀତିକୁ ନେଇ ରାଜନୀତି ସରଗରମ

Maha

ଓଡ଼ିଆ ଗସିପ ବ୍ୟୁରୋ: ମହାରାଷ୍ଟ ସରକାର ଉପରେ ମହାସଙ୍କଟ । ଶିବସେନାର ବରିଷ୍ଠ ବିଧାୟକ ତଥା ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ । ୩୦ରୁ ଅଧିକ ବିଧାୟକଙ୍କୁ ନେଇ ସୁରତର ଏକ ତାରକା ହୋଟେଲରେ ରହିଛନ୍ତି ଏକନାଥ ସିନ୍ଦେ । ଯାହାକୁ ନେଇ ଏବେ ସରକାର ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଏକନାଥ ସିନ୍ଦେଙ୍କ ସହ ଶମ୍ଭୁରାଜ ଦେଶାଇ, ଚିମନରାଓ ପାଟିଲ, କିଶୋର ପାଟିଲ, ମହେନ୍ଦ୍ର ଥରେବି, ଜ୍ଞାନରାଜ ଚିଗୁଲେ, ବାଲାଜୀ କୋଣିକର୍ ଭଳି ଟାଣୁଆ ବିଧାୟକଙ୍କ ସହ ଦଳ ଯୋଗାଯୋଗ କରିପାରୁନି । ସୁରତରେ ଏମାନଙ୍କ ସହ କିଛି ସ୍ୱାଧୀନ ବିଧାୟକ ବି ରହିଛନ୍ତି ।

ଘଟଣା ପରେ ଉଦ୍ଧବ ଠାକରେଙ୍କ ଘରେ ବିଧାୟକ ଦଳ ବୈଠକ ଡକା ଯାଇଛି । ସମ୍ପୂର୍ଣ୍ଣ ପରିସ୍ଥିତିକୁ ନେଇ ତିନି ଦଳ ମଧ୍ୟରେ ଆଲୋଚନା ହୋଇଛି । ଘଟଣା ପରେ ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ଦିଲ୍ଲୀ ଯିବା ପାଇଁ ବାହାରିଛନ୍ତି । ସେହିପରି ମହାରାଷ୍ଟ୍ର ରାଜନୀତିର ଉଷ୍ମତା ଦିଲ୍ଲୀରେ ବି ଦେଖା ଦେଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ।

ବିଧାନପରିଷଦ ନିର୍ବାଚନରେ କ୍ରସ ଭୋଟିଂ ସହ ମେଣ୍ଟ ପ୍ରାର୍ଥୀ ଚନ୍ଦ୍ରକାନ୍ତ ହାଣ୍ଡୋରୀ ହାରି ଥିଲେ । ଏହାପରେ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି ।

ଏବେ ଆସନ୍ତୁ, ନଜର ପକାଇବା ମହାରାଷ୍ଟ୍ର ସରକାରରେ ମେଣ୍ଟ ଓ ସିଟ୍ ସଂଖ୍ୟା ଉପରେ । ମହାରାଷ୍ଟ୍ର ବିଧାନସଭାରେ ଏବେ ମୋଟ ଆସନ ସଂଖ୍ୟା ୨୮୮ ।  ବର୍ତ୍ତମାନ ସଦସ୍ୟ ସଂଖ୍ୟା-୨୮୭ ରହିଛି । ସଂଖ୍ୟା ଗରିଷ୍ଠତା-୧୪୪ ଥିବା ବେଳେ ମେଣ୍ଟ ପାଖରେ ରହିଛି ୧୫୨ ସିଟ୍ । ସେଥିରୁ ଶିବସେନା ପାଖରେ ୫୫, ଏନସିପି-୫୩ ଏବଂ କଂଗ୍ରେସ ପାଖରେ ୪୪ ଆସନ ରହିଛି । ସେହିଭଳି ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ପାଖରେ ରହିଛି ୧୦୬ ସିଟ୍ । ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ପାଖରେ ୨୯ ଆସନ ରହିଛି ।

Share this story