୨୦୨୪ ରେ ଶରଦାଙ୍କ ପତ୍ତା କଟିବ, ବିଜେଡି ଟିକେଟରେ ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ...

Political speculations more on Dillip Ray returning to BJD party

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜନୀତିର ପଶାପାଲି ରେ କିଏ କେତେବେଳେ କେଉଁ ଦଳରେ ମୁଣ୍ଡ ପୁରାଉଛି ତାହା ସମୟ ନଜିର ରହିଛି । ସେ ଯେ କୌଣସି କାରଣ ହେଉ ନା କାହିଁକି ଯେଉଁ ନେତା ପୁରୁଣା ଦଳ ଛାଡ଼ି ନୂଆ ଦଳ ବାଛିଚି ସେ କେବେ ନା କେବେ ପୁଣି ପୁରୁଣା ଦଳ କୁ ଫେରିଛି । ଏବେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ତାଙ୍କ ପୁରୁଣା ଦଳ ବିଜେଡିକୁ ଫେରିବା ନେଇ ସମ୍ଭାବନା ଦେଖାଦେଉଛି ।

ଏବେ ରାଉରକେଲାଠାରୁ ଆରମ୍ଭ କରି ଭୁବନେଶ୍ୱର ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀପ ୨୦୨୪ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ବୋଲି ନୂଆବର୍ଷରେ ସୂଚନା ମିଳିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀପ ରାୟ ରାଜ୍ୟ ରାଜନୀତିରେ ଜଣେ ଜଣାଶୁଣା ନେତା ଭାବରେ ବେଶ ପରିଚିତ ।

କେନ୍ଦ୍ରରେ ମଧ୍ୟ ସେ ମନ୍ତ୍ରୀ ଥିଲେ, ରାଜ୍ୟରେ ବି ମନ୍ତ୍ରୀ ଥିଲେ । ବିଜୁ ପଟ୍ଟନାୟକଙ୍କର ସେ ଜଣେ ଖାସ ଅନୁଗତ ଥିଲେ ବୋଲି ସମସ୍ତେ ଜାଣନ୍ତି । ବିଜୁ ପଟ୍ଟନାୟକଙ୍କ ସହ ଜନତା ଦଳରେ କାର୍ଯ୍ୟ ଆରମ୍ଭ କରି ପରେ ବିଜେଡିରେ ଯୋଗ ଦେଇଥିଲେ, କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ ଦିଲ୍ଲୀପ । ପରେ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ମତପାର୍ଥକ୍ୟ ହେବାରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ ।

ହେଲେ ବିଜେପିରୁ ବି ସେ ଏବେ ଦୂରେଇ ଯାଇଛନ୍ତି । ବିଜେପିର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନାହିଁ । ଏପରିକି ସେ ତାଙ୍କ ଇସ୍ତଫାପତ୍ର ମଧ୍ୟ ବିଜେପିକୁ ଦେଇଥିଲେ । କିନ୍ତୁ ସେହି ଇସ୍ତଫାପତ୍ରକୁ ଗ୍ରହଣ ନ କରି ଦିଲ୍ଲୀପ ଦଳ ସହ ଯୋଡି ହୋଇ ରହିଥିବା କହିଥିଲେ ବିଜେପି ନେତା । ହେଲେ ଦିଲ୍ଲୀପ ବିଜେପିକୁ ଆଉ ଫେରି ନଥିଲେ । ରାଉରକେଲାରେ ପୋଲ ନିର୍ମାଣକୁ ନେଇ ତାଙ୍କର ଦଳ ସହ ମତପାର୍ଥକ୍ୟ ଜୋର ଧରିଥିଲା । ଏପରିକି କେନ୍ଦ୍ରମନ୍ତ୍ରୀମାନଙ୍କୁ ସେ ଏଥିନେଇ ସମାଲୋଚନା ମଧ୍ୟ କରିଥିଲେ ।

ଏହି ଘଟଣା ପରେ ଚର୍ଚ୍ଚା ହେଲା ଯେ ପୁଣି ବିଜେଡିକୁ ଫେରିବେ ଦିଲ୍ଲୀପ । ବିଶେଷ କରି ୨୦୧୯ ନିର୍ବାଚନ ବେଳେ ଏହି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସେ ନିର୍ବାଚନ ରାଜନୀତିରୁ ଏକପ୍ରକାର ନିଜକୁ ଦୂରେଇ ରଖିଲେ । ଦିଲ୍ଲୀପ ବିଜେଡିକୁ ଫେରିବେ ବୋଲି ବହୁ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଏପରିକି ଦିଲ୍ଲୀପ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ ।

କିନ୍ତୁ ଦିଲ୍ଲୀପଙ୍କ ପାଇଁ ସେଠାରେ ବିଜେଡିରେ ମୁଖ୍ୟ ପ୍ରତିବନ୍ଧକ ଆଣୁଛନ୍ତି ବିଧାୟକ ଶାରଦା ନାୟକ । ଶାରଦାଙ୍କ ସମର୍ଥକ ଚାହୁଁନାହାନ୍ତି ଯେ ଦିଲ୍ଲୀପ ବିଜେଡିକୁ ଫେରନ୍ତୁ । କିନ୍ତୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଚାହିଁଲେ ଶାରଦା ପ୍ରତିବନ୍ଧକ ଦୂର ହେବାରେ କୌଣସି ସମସ୍ୟା ରହିବ ନାହିଁ ।

ଦିଲ୍ଲୀପ ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ଏକ ଫୋର୍ସ ଭାବରେ ରହୁଥିବାରୁ ନବୀନ ବିଜେଡିକୁ ତାଙ୍କୁ ନେବା ପାଇଁ ଚାହୁଁଥିବା କୁହାଯାଉଛି । ତାଙ୍କୁ ବିଧାନସଭାରେ ପ୍ରାର୍ଥୀ କରିପାରନ୍ତି କିମ୍ବା ରାଜ୍ୟସଭାକୁ ମଧ୍ୟ ପଠାଇପାରନ୍ତି । ଏଣୁ ତାଙ୍କ ଥଇଥାନ ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ରଖିଛନ୍ତି ।

ବିଜୟ ଏବଂ ଦିଲ୍ଲୀପ ଦୁଇ ଜଣ ଦଳକୁ ଫେରିବେ ବୋଲି କଥା ବି ଉଠିଥିଲା । ବିଜୟ ମହାପାତ୍ରଙ୍କ ସହ ଦିଲ୍ଲୀପଙ୍କର ଅତି ଘନିଷ୍ଠତା ରହିଛି । କିନ୍ତୁ ନବୀନ ବିଜୟଙ୍କୁ ଦଳକୁ ନେବାକୁ ଆଗ୍ରହ ପ୍ରକାଶ କରି ନଥିବା କୁହାଗଲା । ଦିଲ୍ଲୀପ ଯେହେତୁ ବିଜୟଙ୍କ ସହ ଅତି ଘନିଷ୍ଠ ସେଥିପାଇଁ ସେ ବି ବିଜେଡିରେ ଯୋଗ ଦେଲେ ନାହିଁ ବୋଲି ଆଲୋଚନା ଜୋର ଧରିଥିଲା ।

ତେବେ ଦୀର୍ଘ ଦିନର ରାଜନୈତିକ ନୀରବତା ପରେ ୨୦୨୩ ନୂଆବର୍ଷରେ ଦିଲ୍ଲୀପଙ୍କ ସମର୍ଥକମାନେ ସୂଚନା ଦେଲେ ଯେ, ସେ ପୁଣି ନିର୍ବାଚନ ରାଜନୀତିକୁ ଫେରିବେ । ୨୦୨୪ରେ ପ୍ରାର୍ଥୀ ହୋଇପାରନ୍ତି ଦିଲ୍ଲୀପ । ଏବେ ଓଡିଶାରେ ପୁରୁଷ ହକି ବିଶ୍ୱକପ ଚାଲିଛି । ନବୀନଙ୍କ ଖାସ ଅନୁଗତ ଓ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଖେଳ ଦେଖିବାକୁ ଆସିବା ପାଇଁ ଦିଲ୍ଲୀପଙ୍କ ଘରକୁ ଯାଇ ତାଙ୍କୁ ନିମନ୍ତ୍ରଣ କଲେ ।

ନବୀନଙ୍କ ନିର୍ଦ୍ଦେଶ ନଥିଲେ ପ୍ରଣବ କେବେ ଦିଲ୍ଲୀପଙ୍କ ଘରକୁ ତାଙ୍କୁ ଡାକିବା ପାଇଁ ଯାଇ ନଥାନ୍ତେ । ଏଠାରେ କୁହାଯାଉଛି ସେହିଭଳି କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଘରକୁ ପ୍ରଣବଙ୍କୁ ପଠାଇଛନ୍ତି ନବୀନ । ନହେଲେ ଦଳର ଅନ୍ୟ ସାଧାରଣ ନେତାମାନଙ୍କୁ ବିରୋଧୀ ଶିବିରକୁ ପଠାଇଥିଲେ । ଏଥିରେ କୁହାଯାଉଛି ଏହି ପଦକ୍ଷେପ ମାଧ୍ୟମରେ ଦିଲ୍ଲୀପଙ୍କୁ ନବୀନ ଜଣାଇଦେଲେ ଯେ, ସେ ବିଜେଡି ପାଇଁ ଅଛୁଆଁ ନୁହଁନ୍ତି ।

ଇତିମଧ୍ୟରେ ବିଜୟ ମହାପାତ୍ର ମଧ୍ୟ ୨୦୨୪ ନିର୍ବାଚନରେ ତାଙ୍କ ବଦଳରେ ସେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିବେ ବୋଲି ଖୋଲାଖୋଲି ଭାବେ ସୂଚନା ଦେଇ ସାରିଲେଣି । ନିର୍ବାଚନ ରାଜନୀତିରୁ ବିଜୟ ଓହରିଯିବା ନେଇ ଏକପ୍ରକାର ଚୂଡାନ୍ତ । ଏଣୁ ଏ କ୍ଷେତ୍ରରେ ବିଜୟଙ୍କୁ ଛାଡି ଦିଲ୍ଲୀପ ବିଜେଡିକୁ ଫେରିବାରେ ଆଉ କୌଣସି ବାଧା ତାଙ୍କ ପାଇଁ ରହି ନ ପାରେ ବୋଲି କୁହାଯାଉଛି ।

ଏଣୁ ଦିଲ୍ଲୀପଙ୍କ ସମର୍ଥକମାନେ ବି ଚାହୁଁଛନ୍ତି ସେ ବିଜେଡିକୁ ଫେରି ଆସନ୍ତୁ । କାରଣ ପ୍ରଣବ ଯେଉଁ ଦିନ ଦିଲ୍ଲୀପଙ୍କୁ ଆମନ୍ତ୍ରଣ କରିବା ପାଇଁ ଯାଇଥିଲେ, ସେଦିନ ଦିଲ୍ଲୀପଙ୍କ ସମର୍ଥକମାନେ ଯେଭଳି ତାଙ୍କ ସହ ମିଶି ଫଟୋ ଉଠାଇଲେ ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସେମାନେ ଏ ଘଟଣାରେ କେତେ ଖୁସି ।

(With Political Inputs: ONA Khabar)

Share this story