ଏ ହେ! କି କଥା ଏ ଗୁଡା, ୱାର୍ଡ ମେମ୍ବର ହେଲେ ବି ହାରିବେ ଧର୍ମେନ୍ଦ୍ର
ଓଡ଼ିଆ ଗସିପ ବ୍ୟୁରୋ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନିଜ ଅଞ୍ଚଳରେ ତାଙ୍କ ଦଳର ପ୍ରାର୍ଥୀ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ଗାଁ ଜୋନ୍ରେ ବିଜେପିକୁ ଜିତାଇବାକୁ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ପ୍ରଧାନ ବହୁ କସରତ କରିଥିଲେ ବି ବିଜୁ ଜନତା ଦଳର ଲୋକପ୍ରିୟତା ଆଗରେ ସବୁ ଫିକା ପଡ଼ିଯାଇଛି। ବିଜୁ ଜନତା ଦଳ ପ୍ରାର୍ଥୀ ଏଠାରେ ଆଶାତୀତ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକର ୮ ନମ୍ବର ଜୋନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର। ଗତ ନିର୍ବାଚନରେ (୨୦୧୭) ଏହି ଜୋନ୍ରୁ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ୮ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ତେବେ ଚଳିତ ଥର ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ପ୍ରଦେଶ ନିର୍ବାଚନକୁ ଅଧିକ ଗୁରୁତ୍ବ ଦେଇ ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି।
ଅବଶ୍ୟ ନିଜ ଅଞ୍ଚଳରେ ବିଜେପିକୁ ଜିତାଇ ସମ୍ମାନ ରକ୍ଷା କରିବା ପାଇଁ ତାଙ୍କ ପତ୍ନୀ ମୃଦୁଳା ଆସି ଦଳୀୟ ପ୍ରଚାରର ନେତୃତ୍ବ ନେଇଥିଲେ। ଅନ୍ୟପଟେ ବିଜେଡି ପକ୍ଷରୁ ଦଳରେ ନୂଆ କରି ଯୋଗ ଦେଇଥିବା ସାମ୍ବାଦିକ ତଥା ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସ ଏଠାରେ ପ୍ରଚାରର ମଙ୍ଗ ଧରିଥିଲେ।
ପ୍ରଧାନ ଦମ୍ପତିଙ୍କ ପାଇଁ ଏହି ଜୋନ୍ରେ ବିଜେପିକୁ ଜିତାଇବା ସମ୍ମାନର ପ୍ରଶ୍ନ ଥିବାବେଳେ ବିଜେଡି ପାଇଁ ଏଠାରେ ବିଜୟ ହାସଲ କରିବା ଏକ ଆହ୍ବାନ ଥିଲା। ଗତ ଥର ୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ବିଜେପି ଏଥର ଅନୁଗୁଳ ୮ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ୨୯୨୯ ଭୋଟରେ ହାରି ଯାଇଛନ୍ତି।