ମହାଶିବରାତ୍ରି : ଶିବ ଶବ୍ଦର ଆରମ୍ଭ କେଉଁଠି? ଜାଣନ୍ତୁ ପ୍ରଭୁ ଶିବଙ୍କ ବିସୟରେ ଜଣା ଏବଂ ଅଜଣା କଥା...

Where does the word Shiva came and know about its origin

ଓଡ଼ିଆ ଗସିପ ବ୍ୟୁରୋ: ଶିବ! ସେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ମୂଳାଧାର; ସେ କାଳ, ନିତ୍ୟ, ଅନିତ୍ୟ, ଅବ୍ୟକ୍ତ, ବ୍ୟକ୍ତ, ସର୍ବଜ୍ଞ, ଚିରନ୍ତନ, ଶାଶ୍ବତ, ସନାତନ, ସର୍ବବ୍ୟାପକ, ସର୍ବନିୟନ୍ତା, ସର୍ବଗତି, ନିରାଭାସ, ନିରାମୟ, ଶବ୍ଦାତୀତ, ପୁରୁଷ, ଗାୟତ୍ରୀ, ସାବିତ୍ରୀ, ସକଳ ବେଦ ସ୍ୱରୂପ ।

ତାଙ୍କ ଦକ୍ଷିଣରେ ସୂର୍ଯ୍ୟ, ବ୍ରହ୍ମା, ବାମରେ ଉମା, ବିଷ୍ଣୁ ଓ ସୋମ ରହିଛନ୍ତି। ଶିବ ଶବ୍ଦର ଅର୍ଥ ମଙ୍ଗଳ। ଯିଏ ପରମ ମଙ୍ଗଳମୟ, ସେ ହିଁ ଶିବ; ସେ ସତ୍ୟ ଏବଂ ସୁନ୍ଦର। ଜୀବକୁ ଯେ ସୁଖ ପ୍ରଦାନ କରନ୍ତି, ପାପତାପରୁ ଯେ ମୁକ୍ତି ପ୍ରଦାନ କରନ୍ତି, ଯେ ସକଳର କଲ୍ୟାଣ କରନ୍ତି, ସେ ହେଉଛନ୍ତି ଶିବ।

ଶ୍ରୀ-ଧାତୁରୁ ଶିବ ଶବ୍ଦର ଉତ୍ପତ୍ତି । ଏହାର ଅର୍ଥ ହେଉଛି ସବୁକିଛି। ଯାହାଙ୍କ ମଧ୍ୟରେ ଶାୟିତ ବା ଅଧିଷ୍ଠିତ ବା ଯିଏ ସମସ୍ତଙ୍କ ଆଶ୍ରୟସ୍ଥଳ, ସେ ହିଁ ହେଉଛନ୍ତି ଶିବ। ଶିବଙ୍କର ଆଉ ଏକ ନାମ ହେଉଛି ଶମ୍ଭୁ । “ଶମ୍” ଶବ୍ଦର ଅର୍ଥ କଲ୍ୟାଣ ଓ “ଭୂ” ଧାତୁର ଅର୍ଥ ହେବା। ଅତଃ ଯିଏ କଲ୍ୟାଣମୟ ସେ ହିଁ ଶମ୍ଭୁ।

ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ହିନ୍ଦୁଧର୍ମ ବିଶ୍ୱାସରେ ସୃଷ୍ଟି, ସ୍ଥିତି ଓ ସଂହାରର ନିୟନ୍ତା ଭାବେ ବିବେଚନା କରାଯାଏ। ତେବେ ଶିବ ଯେଉଁ ଭାବଧାରାର ପ୍ରତୀକ ସେଥିରେ ବିଶ୍ୱ ମଙ୍ଗଳ ହିଁ ନିହିତ। ମହେଶ୍ୱର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି। ସେ ଆଶୁବର ପ୍ରଦାନକାରୀ ଆଶୁତୋଷ, ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ ।

ସେ ସ୍ୱୟଂ ପରମେଶ୍ୱର। ଉପନିଷଦ ଅନୁସାରେ ଶିବ ଓ ଜୀବ ଅଭିନ୍ନ ଅର୍ଥାତ୍ ‘ଶିବୋହଂ, ଶିବୋହଂ’। ଶିବ ହେଉଛନ୍ତି ଗୁରୁଙ୍କର ଗୁରୁ, ମାତାଙ୍କର ମାତା, ପିତାଙ୍କର ପିତା; ତେଣୁ ସେ ପରମପିତା । ସାଗର ମନ୍ଥନରୁ ଜାତ ହଳାହଳ (କାଳକୂଟ) ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ତାହାକୁ ନିଜେ ପାନ କରିଥିବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ ଧାରଣ କରିଥିଲା। ତେଣୁ ତାଙ୍କର ନାମ ନୀଳକଣ୍ଠ, ମୃତ୍ୟୁଞ୍ଜୟ ।

ଜୀବଜଗତର ଜନ୍ମ-ମୃତ୍ୟୁର କାଳ ସ୍ୱରୂପ ଶିବ ହେଉଛନ୍ତି ମହାକାଳେଶ୍ୱର । ଶିବଙ୍କର ତେଜୋଦୀପ୍ତ ଜ୍ୟୋତିର ସ୍ୱୟଂପ୍ରକାଶ ହିଁ ଜ୍ୟୋତିର୍ଲିଙ୍ଗ । ଫାଲ୍‌ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ ଶିବ ଦିବ୍ୟଜ୍ୟୋତିସ୍ତମ୍ଭ ରୂପରେ ଆବିର୍ଭୂତ ହୋଇଥିବାରୁ ଏହି ତିଥିଟି ପବିତ୍ର ମହାଶିବରାତ୍ରି ରୂପେ କେଉଁ ଅନାଦି କାଳରୁ ପାଳିତ ହେଉଅଛି ।

ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି। ତନ୍ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ। ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଏବଂ ଅନ୍ୟାନ୍ୟ ଶୈବକ୍ଷେତ୍ରମାନଙ୍କରେ ଏହି ପର୍ବ ଅତ୍ୟନ୍ତ ଭକ୍ତି ଓ ଉଲ୍ଲାସର ସହ ପାଳିତ ହୋଇଥାଏ। ଏହିଦିନ ଶ୍ରଦ୍ଧାଳୁମାନେ ଏକାନ୍ତ ଭକ୍ତି ଓ ନିଷ୍ଠାର ସହିତ ସ୍ୱଚ୍ଛ ଓ ପବିତ୍ର ମନରେ ଉପବାସ କରି ବ୍ରତ ପାଳନ ଓ ମନ୍ତ୍ରପାଠ ସହିତ ବିଲ୍ବପତ୍ର, ଦୁଗ୍ଧ, ପୁଷ୍ପ, ଧୂପ, ଦୀପ ଆଦି ପ୍ରଦାନ ପୂର୍ବକ ସଦାଶିବଙ୍କର ପୂଜାର୍ଚ୍ଚନା କରିଥାନ୍ତି।

ଶିବରାତ୍ରିକୁ ‘ଜାଗର’ ମଧ୍ୟ କୁହାଯାଏ। ଉପବାସ ରହି ଜାଗର ଜାଳି ଉଜାଗର ରହି ଶିବ ଉପାସନା କରାଯାଉଥିବାରୁ ଏହାର ନାମ ଜାଗର। ଭକ୍ତି ଓ ନିଷ୍ଠାର ସହିତ ଏହି ବ୍ରତ ପାଳନ କଲେ ଅଶ୍ୱମେଧ ଯଜ୍ଞଠାରୁ ମଧ୍ୟ ଅଧିକ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ମହାଶିବରାତ୍ରିରେ ରାତ୍ରର ଶେଷ ପ୍ରହରର ଅୟମାରମ୍ଭରେ ମନ୍ଦିର ଉପରକୁ ‘ମହାଦୀପ’ ଉଠାଯାଇ ସମଗ୍ର ବିଶ୍ୱକୁ ଆଲୋକ ପ୍ରଦର୍ଶନ କରାଯାଏ । ମହାଦୀପର ତାତ୍ପର୍ଯ୍ୟ ହେଉଛି ଅଜ୍ଞାନ ରୂପକ ଅନ୍ଧକାରକୁ ନାଶ କରି ଜ୍ଞାନାଲୋକ ଜାଗ୍ରତ କରି ବିଶ୍ୱର ମଙ୍ଗଳଚିନ୍ତା ଅର୍ଥାତ୍ କାୟାର ଶୁଦ୍ଧତା ଆଣିବା। ସ୍ବୟଂଭୂ ଶିବଙ୍କ ମହିମା ଯେପରି ଅପାର।

ସର୍ବଦେବମୟ, ସର୍ବରୂପମୟ, ସର୍ବଜ୍ୟୋତିର୍ମୟ, ସର୍ବଭାବମୟ ଶିବଙ୍କର ସେହି ଦିବ୍ୟ ଗୁଣମାନ ସମସ୍ତଙ୍କ ବ୍ୟକ୍ତିତ୍ୱରେ ଦୃଶ୍ୟମାନ ହେଉ, ଶିବଙ୍କ ସେହି ଉଚ୍ଚାଙ୍ଗ ଦର୍ଶନରେ ଅନୁପ୍ରାଣିତ ହୋଇ ସମଗ୍ର ବିଶ୍ୱ ଶିବମୟ ହୋଇଉଠୁ, ସମଗ୍ର ସଂସାର ଦୀପ୍ତିମୟ ହୋଇଉଠୁ ଏବଂ ସମଗ୍ର ମାନବ ସମାଜ ନିଜର ସୁସୁପ୍ତ ଚେତନାକୁ ଉଜ୍ଜୀବିତ କରି ଦିବ୍ୟତ୍ୱର ସେହି ମହାନ ପଥରେ ଅଗ୍ରସର ହେଉ । ଆଜିର ଏହି ପବିତ୍ର ମହାଶିବରାତ୍ରିରେ ସଦାଶିବ ଆଶୁତୋଷଙ୍କଠାରେ ଏତିକି ବିନମ୍ର ନିବେଦନ ।

Share this story

World Odia Language Conferene