ବର୍ଷୀୟାନ ଶିକ୍ଷାବିତ୍ ମୃତ୍ୟୁଞ୍ଜୟ ହୋତାଙ୍କୁ ଦଧୀଚି ସମ୍ମାନ
ଓଡ଼ିଆ ଗସିପ ବ୍ୟୁରୋ: ଓଡ଼ିଶାର ପବିତ୍ର ମାଟି ଭକ୍ତି, ତ୍ୟାଗ, ତପସ୍ୟା, ଦୃଢ଼ନିଷ୍ଠା ଓ ସଂକଳ୍ପ ଶକ୍ତିର ସାକ୍ଷ୍ୟ ବହନ କରି ଆସିଛି ଓ କେବଳ କଥାରେ ନୁହେଁ ଶାଶ୍ୱତ ପ୍ରେମର ଆଦର୍ଶକୁ ଜୀବନରେ ପ୍ରତିଫଳିତ କରିବାର କଳା ଶିଖେଇ ଚାଲିଛନ୍ତି ଆମ ପୂଜ୍ୟ ଗୁରୁଜନ । ସେଭଳି ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ହୋତା ।
ଶିକ୍ଷକତା ଜୀବନରେ ତାଙ୍କର ବାସଗୃହ ଥିଲା ଏକ ଗୁରୁକୁଳ । ନିଃଶୁଳ୍କ ଶିକ୍ଷା ପ୍ରଦାନ, ହୋମିଓ ପ୍ୟାଥି ଔଷଧ ବିତରଣ, ଜ୍ୟୋତିଷ ଶାସ୍ତ୍ରରେ ମାର୍ଗ ଦର୍ଶନ, ମ୍ୟାଜିକ୍ ପ୍ରଦର୍ଶନ ଆଦି ବିଭିନ୍ନ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଥିଲା । ସଦା ସର୍ବଦା ଗରିବ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ସାହାଯ୍ୟ କରିବାରେ ସେ ତତ୍ପର ଥିଲେ । ‘ଅକଲ ଗୁଡ଼ୁମ୍’ ପରି କୁହୁକ ଗଣିତ ପୁସ୍ତକ ରଚନା କରି ସେ ବେଶ୍ ଆଦୃତ ହୋଇଥିଲେ ।
ତାଙ୍କର ଛାତ୍ର ମାନେ ଆଜି ବହୁ ଉଚ୍ଚ ସ୍ଥାନରେ ଅବସ୍ଥାପିତ। ପରମହଂସ ସ୍ୱାମୀ ପ୍ରଜ୍ଞାନାନନ୍ଦ ସରସ୍ୱତୀ, ବର୍ତ୍ତମାନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀରର କୁଳପତି ପ୍ରଫେସର ବିଭୂତି ଭୂଷଣ ମଲ୍ଲିକ ଆଦି ଶ୍ରୀ ଯୁକ୍ତ ହୋତାଙ୍କୁ ତାଙ୍କ ଜୀବନର ମାର୍ଗ ଦର୍ଶକ ଭାବରେ ଯଥା ସମ୍ମାନ ପ୍ରଦର୍ଶନ କରନ୍ତି ଓ ଭଗଵାନ ଶ୍ରୀ ସତ୍ୟସାଇଙ୍କ ଆଦର୍ଶ ରେ ଅନୁପ୍ରାଣିତ ଜୀବନ ଯାତ୍ରା ରେ ଆଗେଇ ଚାଲି ଜୀବନ ସାରା ନିଃସ୍ଵାର୍ଥ ସେବାକୁ ଆଦରି ନେଇଥିବା ଶ୍ରୀହୋତା ଏବେ ୯୧ ବର୍ଷରେ ଉପନୀତ ଓ ମରଣ ଉପରାନ୍ତ ନିଜ ଶରୀର ଦାନ କରିବାର ସଂକଳ୍ପ ସେ ନେଇଛନ୍ତି ।
ଏହି ଅବସରରେ ବିଶିଷ୍ଟ ସାମ୍ବାଦିକ, ଲେଖକ ତଥା ସମାଜ ସଂସ୍କାରକ, ଶରୀର ଏବଂ ଅଙ୍ଗ ଦାନ ସମାଜ, ଭାରତର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଶ୍ରୀହୋତାଙ୍କୁ ଶ୍ରଦ୍ଧା ସୁମନ ସମର୍ପଣ କରି “ଦଧୀଚି ସମ୍ମାନ” ପରିଚୟ ପତ୍ର ପ୍ରଦାନ କରିଛନ୍ତି । ସେହି ତ୍ୟାଗପୁତ ବ୍ୟକ୍ତିତ୍ୱଙ୍କର ସୁସ୍ଥ ନିରାମୟ ସାଇ ଭକ୍ତି ରସ ବିଜଡ଼ିତ ଆନନ୍ଦମୟ ଜୀବନ ପାଇଁ ଗଭୀର ପ୍ରାର୍ଥନା । ଏ ଯୁଗର ଦଧୀଚିଙ୍କୁ ଶତ ପ୍ରଣତି ।
.png)
