ବଣିକ ଶିକ୍ଷାନୁଷ୍ଠାନକୁ କାଞ୍ଚନ କର୍ପୋରେଟ୍ ଆୱାର୍ଡ

Vanik bags Kanchan Corporate Award

ଓଡ଼ିଆ ଗସିପ୍ ବ୍ୟୁରୋ: ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବଣିକ ଶିକ୍ଷାନୁଷ୍ଠାନକୁ ମିଳିଛି ଚତୁର୍ଥ କାଞ୍ଚନ କର୍ପୋରେଟ୍ ଆୱାର୍ଡ-୨୦୨୩ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସର୍ବଶ୍ରେଷ୍ଠ କୋଚିଂ ଅନୁଷ୍ଠାନ ଭାବେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।

ଗତ ଶନିବାର ଦିନ ଭୁବନେଶ୍ୱରରେ କାଞ୍ଚନ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବଣିକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସୁବ୍ରତ କୁମାର ଛାଟୋଇଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ । ବିଧାୟକ ଶଶୀଭୂଷଣ ବେହେରା, କୋଠା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ରଙ୍କ ସମେତ ଅନ୍ୟ ଅତିଥିମାନେ ଏଥିରେ ଉପସ୍ଥିତ ଥିଲେ ।

ବଣିକ ଶିକ୍ଷାନୁଷ୍ଠାନକୁ ଏହି ସ୍ୱୀକୃତି ଓ ସମ୍ମାନ ପାଇଁ ଶ୍ରୀ ଛାଟୋଇ ଆୟୋଜକଙ୍କୁ ଧନ୍ୟବାଦ ଜଣାଇବା ସହ ବଣିକ ପରିବାରକୁ ପୁରସ୍କାର ଉତ୍ସର୍ଗ କରିଥିଲେ । ସେ କହିଥିଲେ, ଏହା କେବଳ ମୋ ପାଇଁ ଏକ ସମ୍ମାନ ନୁହେଁ । ବଣିକ ପରିବାର, ଛାତ୍ରଛାତ୍ରୀ ଏବଂ ଶୁଭେଚ୍ଛୁମାନେ ଏହି ସମ୍ମାନର ଅଧିକାରୀ । ଆଗକୁ ବଢ଼ିବା ପାଇଁ ଏହା ଆମକୁ ଆହୁରି ପ୍ରେରଣା ଯୋଗାଇବ । ଯୁବବର୍ଗଙ୍କ ଆଶା ଓ ଭରସା ପୂରଣ ଦିଗରେ ବଣିକ ତାହାର କଠିନ ଯାତ୍ରା ଜାରି ରଖିବ ବୋଲି ଶ୍ରୀ ଛାଟୋଇ କହିଥିଲେ ।

ସୂଚନାଯୋଗ୍ୟ, ୧୦ ବର୍ଷରେ ପଦାର୍ପଣ କରିଥିବା ବଣିକ ଶିକ୍ଷାନୁଷ୍ଠାନ ସଫଳତାର ଶୀର୍ଷକୁ ଛୁଇଁଛି । ରାଜ୍ୟରେ ଏକ ବିଶ୍ୱସନୀୟ କୋଚିଂ ଅନୁଷ୍ଠାନ ଭାବେ ନିଜକୁ ଗଢ଼ି ତୋଳିଛି । ଏଠାରେ ବ୍ୟାଙ୍କିଙ୍ଗ, ଏସଏସସି ସମେତ ୟୁପିଏସସି, ଓପିଏସସି ଏବଂ ଡବ୍ଲଚବିସିଏସ୍ ଭଳି ପରୀକ୍ଷା ପାଇଁ କୋଚିଂ ପ୍ରଦାନ କରାଯାଉଛି ।

୨୦୨୦ ମସିହାର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୩୯୨ ଜଣଙ୍କ ମଧ୍ୟରୁ କେବଳ ବଣିକ ଶିକ୍ଷାନୁଷ୍ଠାନରୁ ୨୦୦ ପରୀକ୍ଷାର୍ଥୀ ଥିଲେ । ପ୍ରଥମ, ଦ୍ୱିତୀୟ ସମେତ ପ୍ରଥମ ୧୦ ମଧ୍ୟରେ ୮ ଜଣ ସ୍ଥାନ ପାଇଥିଲେ । ସେଥିରୁ ୬ ଜଣ ଥିଲେ ଝିଅ ।

ସେହିଭଳି ୨୦୨୧ ମସିହାର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ମଧ୍ୟ ବଣିକ ଶିକ୍ଷାନୁଷ୍ଠାନ ପୂର୍ବ ସଫଳତା ଦୋହରାଇଛି । ୪୩୨ ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଏହି ଅନୁଷ୍ଠାନରୁ ଥିଲେ ୨୦୦ ଛାତ୍ରଛାତ୍ରୀ । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ର ୪ ଜଣ ସ୍ଥାନ ପାଇଥିଲେ ।

Share this story