ଉତ୍କଳିକା – କୋଚିନ ଓଡ଼ିଆ ସଂଘ ଦ୍ୱାରା ୧୬ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ୨୦୨୬ ପାଳିତ

Utkalika Cochin Odia Sangh celebrates 16th foundation day and Utkal Day 2026

ଓଡ଼ିଆ ଗସିପ ବ୍ୟୁରୋ: ଉତ୍କଳିକା – କୋଚିନ ଓଡ଼ିଆ ସଂଘ ପକ୍ଷରୁ ୧୬ତମ ପ୍ରତିଷ୍ଠା ଦିବସ ସହିତ ଉତ୍କଳ ଦିବସ ୨୦୨୬କୁ କୋଚିର କୁଣ୍ଡାନୂର ସ୍ଥିତ ପେଟ୍ରୋ ହାଉସ୍‌ରେ ଭବ୍ୟ ଓ ଆନନ୍ଦମୟ ପରିବେଶରେ ତାରିଖ ୦୫ ଏପ୍ରିଲ ୨୦୨୬ ରେ ପାଳନ କରାଯାଇଥିଲା । ଏହି ଅବସରରେ ସଂଘର ସଦସ୍ୟମାନେ ଓ ଅତିଥିମାନଙ୍କର ଉଲ୍ଲେଖନୀୟ ଉପସ୍ଥିତି ଦେଖାଯାଇଥିଲା ।

କାର୍ଯ୍ୟକ୍ରମଟି ଯୁଦ୍ଧରେ ପ୍ରାଣ ହାରାଇଥିବା ନିର୍ଦ୍ଦୋଷ ଲୋକଙ୍କ ସ୍ମୃତିରେ ଏକ ମିନିଟ୍ ନୀରବତା ପାଳନ ସହ ଆରମ୍ଭ ହୋଇଥିଲା । ପରବର୍ତ୍ତୀକାଳରେ ପରମ୍ପରାଗତ ଭାବରେ ଦୀପ ପ୍ରଜ୍ୱଳନ ଓ ଭଗବାନ ଜଗନ୍ନାଥ, ଭଳଭଦ୍ର ଓ ସୁଭଦ୍ରାଙ୍କ ପାଦପଦ୍ମରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଉତ୍କଳିକାର ମହିଳା ଦଳଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ର ଭାବପୂର୍ଣ୍ଣ ପାଠ ଉପସ୍ଥିତ ସମସ୍ତଙ୍କ ମନକୁ ଓଡ଼ିଆ ଗୌରବରେ ଭରିଦେଇଥିଲା ।

ଆନୁଷ୍ଠାନିକ ଅଧିବେଶନରେ ଉପାଧ୍ୟକ୍ଷା ଶ୍ରୀମତୀ ରୁବିତା ସାମନ୍ତ ଅଧ୍ୟକ୍ଷୀୟ ଉଦବୋଧନ ରଖି ସଂଘର କାର୍ଯ୍ୟକଳାପ ଓ ସଫଳତା ବିଷୟରେ ଆଲୋକ ପାତ କରିଥିଲେ । ସମ୍ପାଦକ ଡ଼ଃ ଅଶୁତୋଷ ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ କୋଷାଧକ୍ଷ ଶ୍ରୀ ଜ୍ଞାନ ରଞ୍ଜନ ସାମନ୍ତ ଆର୍ଥିକ ହିସାବ ଓ ବ୍ୟାଲାନ୍ସ ସିଟ୍ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ସଂଘର ବାର୍ଷିକ ସ୍ମରଣିକା ପୁସ୍ତିକା ‘ଚନ୍ଦ୍ରଭାଗା ୨୦୨୬’ର ଅଷ୍ଟମ ସଂସ୍କରଣ ଉଦ୍‌ଘାଟନ କରାଯାଇଥିଲା । ବିଶିଷ୍ଟ ଅତିଥି ଶ୍ରୀ ଉମେଶ ଚନ୍ଦ୍ର ମହାପାତ୍ର, (ପୂର୍ବତନ ଉପ-ନିର୍ଦ୍ଦେଶକ, ମେରିନ ପ୍ରୋଡକ୍ଟ୍ସ ଡେଭଲପମେଣ୍ଟ ଅଥୋରିଟି) ଉଦ୍‌ବୋଧନ ରଖିଥିବାବେଳେ, ମୁଖ୍ୟ ଅତିଥି ଶ୍ରୀ ଲୋକନାଥ ବେହେରା (ମ୍ୟାନେଜିଂ ଡାଇରେକ୍ଟର, କୋଚି ମେଟ୍ରୋ ରେଲ୍ ଲିମିଟେଡ୍), ଅତିଥି ସମ୍ମାନୀତ ଶ୍ରୀ ସଂଗ୍ରାମ କୁମାର  ମିଶ୍ର (ସିଏମ୍ଡି, ହିନ୍ଦୁସ୍ତାନ ଓର୍ଗାନିକ କେମିକାଲ୍ସ ଲିମିଟେଡ୍) ଓ ମୁଖ୍ୟ ବକ୍ତା ଶ୍ରୀ ଅନମୟ ମିଶ୍ର (ଡିଜିଏମ୍, ବ୍ୟାଙ୍କ ଅଫ୍ ବରୋଦା) ଉତ୍ସାହବର୍ଦ୍ଧକ ଉଦ୍‌ବୋଧନଦେଇଥିଲେ ।

Utkalika Cochin Odia Sangh celebrates 16th foundation day and Utkal Day 2026
Utkalika Cochin Odia Sangh celebrates 16th foundation day and Utkal Day 2026

ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରାୟୋଜିତ ନଟରାଜ ଡାନ୍ସ ଏକାଡେମୀ, ଭଜନ ଭକ୍ତି ପ୍ରାର୍ଥନା, କୃଷ୍ଣମ୍ ଡାନ୍ସ, ସାଇ ଭକ୍ତି ସାଗର ଓ ଡାର୍କ ନାଇଟ୍ ବ୍ୟାଣ୍ଡର କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନୋମୁଗ୍ଧ କରିଥିଲା । ଉତ୍କଳିକାର ସଦସ୍ୟମାନେ ମଧ୍ୟ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ ।

ବିଶେଷ ଆକର୍ଷଣ ଥିଲା ଶ୍ରୀମତୀ ରୁବିତା ସାମନ୍ତ ଓ ଶ୍ରୀମତୀ ଶ୍ୱେତା ଚୌଧୁରୀଙ୍କ ସମ୍ବର୍ଦ୍ଧନା । ସେମାନେ ୧୨ ଅଗଷ୍ଟ ୨୦୨୩ରୁ ପ୍ରବାସୀ ଶ୍ରମିକଙ୍କ ଶିଶୁମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେଇ ଆସୁଛନ୍ତି । ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ପାଇଁ ସେମାନଙ୍କର ଏହି ପ୍ରୟାସକୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ଓଡ଼ିଆ ଭାଷା ଶିଖିବା ଓ ଅଭ୍ୟାସ ପାଇଁ ପ୍ରମାଣପତ୍ର ଦିଆଯାଇଥିଲା ।

କାର୍ଯ୍ୟକ୍ରମଟିକୁ ଶ୍ରୀ ରଣଜିତ କୁମାର ପଣ୍ଡା ଓ ଶ୍ରୀ ସୌଭାଗ୍ୟ ମିଶ୍ର ସୁନ୍ଦର ଭାବରେ ସଂଚାଳନ କରିଥିଲେ । ଶେଷରେ ଶ୍ରୀ ଜ୍ଞାନରଞ୍ଜନ ସାମନ୍ତ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ସମାପନ କରିଥିଲେ । ଏହି ଉତ୍ସବ ଉତ୍କଳିକା ସଂଘର ସାମୂହିକ ଏକତା, ସଂସ୍କୃତି ପ୍ରତି ନିଷ୍ଠା ଓ ପ୍ରବାସରେ ଓଡ଼ିଆ ପରିଚୟକୁ ସଜାଗ ରଖିବାର ଦୃଢ଼ ସଙ୍କଳ୍ପକୁ ପୁନର୍ବ୍ୟକ୍ତ କରିଥିଲା ।

Share this story