Odisha Politics: ବିଧାନସଭା ବଜେଟ ଅଧିବେଶନ, ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଲେ ବିରୋଧୀ
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରତିନିଧି): ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ । ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ଗୋଟିଏ ଲକ୍ଷରେ ଏକ ହୋଇଥିବା ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସ ଏକାଠି ହୋଇ ବିଧାନସଭାର ବଜେଟ ଅଧିବେଶନରେ ସରକାରଙ୍କ ବିରୋଧରେ କଡା ଆଭିମୁଖ୍ୟ ପୋଷଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଯାହା ଉପରେ ପୂରା ରାଜ୍ୟର ନଜର ରହିଛି ।
ଆଜି ବିଭାଗୀୟ ଅନୁଦାନ ପାଇଁ ବଜେଟ୍ ଦାବି ଏବଂ କମିଟି ରିପୋର୍ଟ ଉପରେ ବିସ୍ତୃତ ଆଲୋଚନା ହେବ । ପ୍ରଥମ ଅଧିବେଶନରେ ବିରୋଧୀ ଗୃହ ଅଚଳ କରିଥିଲେ । ବିରୋଧୀଙ୍କ କଡା ଆଭିମୁଖ୍ୟ ଯୋଗୁ ବାରମ୍ବାର ଗୃହ ମୁଲତବୀ ଘୋଷଣା କରାଯାଇଥିଲା ।
ରାଜ୍ୟର ଅନେକ ସମସ୍ୟା ରହିଛି । ହେଲେ ଚାଷୀ, ଧାନ ଅଭାବୀ ବିକ୍ରି ପାଇଁ ବିରୋଧୀ ବିଜୁ ଜନତା ଦଳ ଏବଂ କଂଗ୍ରେସ ବାରମ୍ବାର ଗୃହ ଭିତରେ ଏବଂ ଗୃହ ବାହାରେ ପ୍ରତିବାଦ କରିବାରୁ ଆଲୋଚନା ହୋଇପାରି ନଥିଲା। ଏପରିକି ରାଜ୍ୟପାଳଙ୍କ ଅଭିଭାଷଣ ଅଧାରୁ ହିଁ ଉଠି ଚାଲିଯାଇଥିଲେ ବିରୋଧୀ ।
ଏହାସହ ଆଜି ଯେଉଁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିବାକୁ ଅଛି ତାହା ସୁରୁଖୁରୁରେ ଚାଲିବ ନା ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । ଆପଣ ଜାଣିଥିବେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଏବଂ ବିଜେଡି ଏକ ହୋଇ ବିଜେପି ବିରୋଧରେ ମିଳିତ ପ୍ରାର୍ଥୀ ଦେଇଛନ୍ତି । ତେବେ ବିରୋଧୀଙ୍କ ମେଳି ସରକାରଙ୍କ ପାଇଁ ବିପଦ ହୋଇପାରେ ବୋଲି ଆଶା କରାଯାଉଛି ।
ସୂଚନାମୁତାବକ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜି ଅର୍ଥାତ୍ (ମାର୍ଚ୍ଚ ୯ ତାରିଖ)ରୁ ଆରମ୍ଭ ହୋଇ ୮ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର କରାଯାଇଛି । ହେଲେ ବାରମ୍ବାର ହଙ୍ଗାମା ନକରାଯାଇ ରାଜ୍ୟର ସମସ୍ୟା, ସ୍ବାର୍ଥକୁ ନେଇ ଆଲୋଚନା କରାଯିବ ବୋଲି ରାଜ୍ୟବାସୀ ଆଶା ପ୍ରକଟ କରିଛନ୍ତି ।
.png)
