ଟ୍ରେନ ଦୁର୍ଘଟଣାର ପ୍ରାୟ ୩୬ ଘଣ୍ଟା ପରେ ପ୍ରକୃତ କାରଣ କହିଲା ରେଲୱେ ବୋର୍ଡ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

the real reason behind train tragedy is ascertained

ଓଡ଼ିଆ ଗସିପ ବ୍ୟୁରୋ : ସିଗନାଲରେ ତ୍ରୁଟି ଯୋଗୁଁ ବାହାନଗାରେ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ରେଲୱେ ଜାଣିବାକୁ ପାଇଛି । ଦୁର୍ଘଟଣା କେମିତି ଘଟିଗଲା ଏବଂ ଏତେ ଭୟାନକ ହେବା ପଛର କାରଣ ବି ସ୍ପଷ୍ଟ କରିଛି ରେଲୱେ ବୋର୍ଡ । ଦୁର୍ଘଟଣା ଦିନ ଦୁଇ ଲୁପ୍ ଲାଇନରେ ଦୁଇଟି ମାଲ୍ ଗାଡ଼ି ଛିଡ଼ା ହୋଇଥିଲା, ଏବଂ ପ୍ରଥମେ କରମଣ୍ଡଳ ଏକସପ୍ରେସ୍ ହିଁ ମାଲଗାଡ଼ିକୁ ଧକ୍କା ଦେଇଥିଲା ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସେପଟ ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଇଲେକଟ୍ରୋନିକ୍ ଇଣ୍ଟର ଲକିଂ ବଦଳିଯିବା ଫଳରେ ଦୁର୍ଘଟଣା ଘଟିଥିଛି । ଏହାରି ଭିତରେ ରେଲ୍ ସେଫ୍ଟି କମିଶନରଙ୍କ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

କେମିତି ଘଟିଲା ବାହାନଗା ଟ୍ରେନ୍ ଟ୍ରାଜେଡି ? କେଉଁ କାରଣ ପାଇଁ ଗଲା ଏତେ ଲୋକଙ୍କ ଜୀବନ ? କାହାର ଅବହେଳା ପାଇଁ ଏ ଅଘଟଣ ଘଟିଲାନି ତ ? ଏସବୁ ଘଣ୍ଟାଚକଟା ଭିତରେ ଆଜି ଆସିଛି ଉତ୍ତର । ଏ ଭୟାନକ ଦୁର୍ଘଟଣାର ପ୍ରାୟ ୩୬ ଘଣ୍ଟା ପରେ ଏହା ପଛର କାରଣ ସମ୍ପର୍କରେ ପ୍ରଥମ ଥର ମୁହଁ ଖୋଲିଛି ରେଲୱେ ବୋର୍ଡ ।

ଅଧିକ ପଢ଼ନ୍ତୁ : କରମଣ୍ଡଳକୁ କାଳ ଶୁକ୍ରବାର: ୧୪ ବର୍ଷ ତଳର କାଳ ଶୁକ୍ରବାର ପରି କରମଣ୍ଡଳ ସହ ପୁଣି ଘଟିଛି ଏହି ଭୟଙ୍କର ଦୁର୍ଘଟଣା

ବୋର୍ଡର ସଦସ୍ୟା ଜୟା ବର୍ମା ସିହ୍ନା ଏକ ସାମ୍ବାଦିକ ସମ୍ମିଳନୀରେ ଦୁର୍ଘଟଣା ପଛର ପ୍ରାଥମିକ କାରଣ ଏବଂ କେଉଁ ପରିସ୍ଥିତିରେ ଏତେ ଲୋକଙ୍କ ଜୀବନହାନି ହେଲା ତାହା ବିସ୍ତୃତ ଭାବେ ଦର୍ଶାଇଛନ୍ତି ।

ରେଲୱେ ପକ୍ଷରୁ କୁହାଯାଇଛି ଯେ :

- ବାହାନଗା ବଜାର ଷ୍ଟେସନ ନିକଟରେ ଥିବା ୪ଟି ଲାଇନ୍ ଭିତରୁ ଦୁଇଟି ମୁଖ୍ୟ ଲାଇନରେ ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍ ଛାଡ଼ିବାକୁ ଦୁଇ ପାଖର ଦୁଇ ଲୁପ୍ ଲାଇନରେ ଦୁଇଟି ମାଲବାହୀ ଟ୍ରେନକୁ ଅଟକା ଯାଇଥିଲା । ଏହି ସମୟରେ ଅପ୍ ଲାଇନରେ କରମଣ୍ଡଳ ଏକ୍ସପ୍ରେସ୍ ଓ ଡାଉନ୍ ଲାଇନରେ ପାସ୍ କରୁଥିଲା ଯଶୱନ୍ତପୁର-ହାୱଡା଼ ଏକ୍ସପ୍ରେସ୍ । ଠିକ୍ ସେତିକି ବେଳେ କରମଣ୍ଡଳ, ଲୁପ୍ ଲାଇନକୁ ମାଡ଼ି ଯାଇ ମାଲଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ କରମଣ୍ଡଳର ଏକ୍ସପ୍ରେସ ଓଲଟି ପଡ଼ିବା ସହ ଏହାର ଦୁଇଟି ବିଚ୍ଛିନ୍ନ ବଗି, ଯଶୱନ୍ତପୁର ଏକ୍ସପ୍ରେସର ଶେଷ ଦୁଇଟି ଡବା ସହ ଧକ୍କା ଖାଇଥିଲା ।

- ତେବେ କରମଣ୍ଡଳ ଏକ୍ସପ୍ରେସ୍ ଅନୁମୋଦିତ ବେଗଠୁ ଅଧିକ ବେଗରେ ଯାଉଥିବା କଥାକୁ ଖଣ୍ଡନ କରିଛି ରେଳ ମନ୍ତ୍ରଣାଳୟ । ଉଭୟ କରମଣ୍ଡଳ ଓ ଯଶୱନ୍ତପୁର-ହାୱଡା ଏକ୍ସପ୍ରେସ ପାଇଁ ସର୍ବାଧିକ ଘଣ୍ଟାପ୍ରତି ବେଗ ୧୩୦ କିଲୋମିଟର ଧାର୍ଯ୍ୟ ଥିବା ବେଳେ କରମଣ୍ଡଳ ୧୨୮ କିମି ଓ ଯଶୱନ୍ତପୁର ଏକ୍ସପ୍ରେସ୍ ୧୨୬ କିମି ବେଗରେ ଗତି କରୁଥିଲା ।

ଅଧିକ ପଢ଼ନ୍ତୁ : କବଚ ନଥିବାରୁ ଘଟିଲା କି ରେଳ ଦୁର୍ଘଟଣା ? ଜାଣନ୍ତୁ କ'ଣ ଏହି କବଚ

- ଦୁର୍ଘଟଣାରେ ଏତେ ସଂଖ୍ୟକ ମୃତାହତ ପଛରେ ରେଲୱେର ଯୁକ୍ତି ଯେ, କରମଣ୍ଡଳ ସର୍ବାଧିକ ବେଗରେ ଥିବା ବେଳେ ଧକ୍କା ଦେଇଥିବା ମାଲଗାଡ଼ିରେ ଲୁହାପଥର ବୋଝେଇ ହୋଇଥିଲା । ଯାହାକି ଅତ୍ୟଧିକ ଓଜନ ହୋଇଥିବାରୁ ଧକ୍କା ପରବର୍ତ୍ତୀ ପ୍ରଭାବ କେବଳ କରମଣ୍ଡଳ ଉପରେ ହିଁ ପଡ଼ିଥିଲା । ଫଳରେ ଟ୍ରେନର ଇଂଜିନ ଓ କିଛି ବଗି ମାଲ୍ ଗାଡ଼ି ଉପରେ ଚଢ଼ି ଯାଇଥିଲା ।

ସେପଟେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଇଲେକଟ୍ରୋନିକ୍ସ ଇଣ୍ଟରଲକିଂ ସିଷ୍ଟମ୍ ବଦଳିଯିବାରୁ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏ ସଂପର୍କରେ ସବିଶେଷ ତଦନ୍ତ ଚାଲିଥିବା ମନ୍ତ୍ରୀ କହିଛନ୍ତି ।

ତେବେ ଏସବୁ ଭିତରେ ଏ କଥା ସ୍ପଷ୍ଟ ଯେ, ଦୁର୍ଘଟଣା ପଛରେ କୌଣସି ରେଳ କର୍ମଚାରୀଙ୍କ ତ୍ରୁଟି ରହିଛି । ପ୍ରଧାନମନ୍ତ୍ରୀ ଗତକାଲି ଘଟଣାସ୍ଥଳକୁ ଗସ୍ତ ପରେ କହିଥିଲେ ଦୋଷୀଙ୍କୁ ଆଦୌ ଛଡ଼ା ଯିବନି । ତେଣୁ ଏବେ ଅପେକ୍ଷା ରେଲୱେ ସେଫଟୀ କମିଶନଙ୍କ ତଦନ୍ତରୁ ନିର୍ଦ୍ଦିଷ୍ଟ ଭାବେ କେଉଁ କର୍ମଚାରୀଙ୍କ ତ୍ରୁଟି ସାମ୍ନାକୁ ଆସୁଛି ଓ ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Share this story