ରାଜ୍ୟସ୍ତରୀୟ ସୂଚନା ସୁରକ୍ଷା ଟେକ୍-ବୁଟ କ୍ୟାମ୍ପ ଆୟୋଜିତ

State level Information Security Tech Bootcamp organized

 

 

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର, ୮ ସେପ୍ଟେମ୍ବର ୨୦୨୬): ସୂଚନା ସୁରକ୍ଷା ଓ ବିପଦ ପରିଚାଳନା ଉପରେ ଏକରାଜ୍ୟସ୍ତରୀୟ ଟେକ୍-ବୁଟକ୍ୟାମ୍ପ ୮ ସେପ୍ଟେମ୍ବର ୨୦୨୬ରେ ଭୁବନେଶ୍ୱର ସ୍ଥିତ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶାରେ ଆୟୋଜିତ ହୋଇଯାଇଅଛି । ଏଥିରେ ଓଡ଼ିଶା ସରକାର ଓ ଏନ୍.ଆଇ.ସି ଓଡ଼ିଶାର ପ୍ରାୟ ୧୦୦ ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ ।

ଉଦ୍‌ଘାଟନୀ ଅଭିଭାଷଣରେ ସି. ଭି. ରମଣ ଗ୍ଲୋବାଲ୍ ୟୁନିଭରସିଟିର କୁଳପତି ପ୍ରଫେସର (ଡ.) ବଂଶୀଧର ମାଝୀ ଡିଜିଟାଲ ଯୁଗରେ ସୂଚନା ସୁରକ୍ଷାର ବୃଦ୍ଧି ପାଉଥିବା ଗୁରୁତ୍ୱ ଏବଂ ସାଇବର ବିପଦର ପ୍ରଭାବଶାଳୀ ପରିଚାଳନାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ମୁଖ୍ୟ ଅଭିଭାଷଣରେ ପ୍ରତିରକ୍ଷା ସାଇବର ଏଜେନ୍ସିର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ ଏୟାର କମୋଡୋର ନିରଞ୍ଜନ କୁମାର ପାଢୀ ସାଇବର ସୁରକ୍ଷାରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଆକ୍ରମଣାତ୍ମକ ଓ ପ୍ରତିରକ୍ଷାତ୍ମକ ପ୍ରୟୋଗ ଏବଂ ଏହା ସହ ଜଡ଼ିତ ନୂତନ ଆହ୍ୱାନ ଓ ସୁଯୋଗ ସମ୍ପର୍କରେ ଅଭିଜ୍ଞତା ବାଣ୍ଟିଥିଲେ ।

ଏନ୍.ଆଇ.ସି ଓଡ଼ିଶାର ଉପ ମହାନିର୍ଦେଶକ ତଥା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ ପଦାଧିକାରୀ ଡ. ଅଶୋକ କୁମାର ହୋତା ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବା ସହ ବୁଟକ୍ୟାମ୍ପର ଉଦ୍ଦେଶ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ସାଇବର ସୁରକ୍ଷା ସଚେତନତା ପୁସ୍ତିକା ଉନ୍ମୋଚିତ ହେବା ସହ ଏନ୍.ଆଇ.ସି ଓଡ଼ିଶାର ମାସିକ ନ୍ୟୁଜ ଲେଟର The Ascenderର ସେପ୍ଟେମ୍ବର ୨୦୨୬ ସଂସ୍କରଣ ପ୍ରକାଶିତ ହୋଇଥିଲା ।

ବୁଟ କ୍ୟାମ୍ପରେ ସାଇବର ଥ୍ରେଟ୍, ସାଇବର ସୁରକ୍ଷା, ସାଇବର ଡିଫେନ୍ସ ଟୁଲକିଟ୍, ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ, ଏବଂ ମୋବାଇଲ୍ ଡିଭାଇସ୍ ହ୍ୟାକିଂଭଳି ସମସାମୟିକ ବିଷୟ ଉପରେ ପାଞ୍ଚଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସୁଶ୍ରୀ ଶିବାନୀ କୋରା, ବରିଷ୍ଠ ନିର୍ଦେଶକ (ସୂଚନା ବିଜ୍ଞାନ), ଶ୍ରୀ ଜୟନ୍ତ କୁମାର ମିଶ୍ର, ଶ୍ରୀ ନୀଳାଦ୍ରୀ ବିହାରୀ ମହାନ୍ତି, ଶ୍ରୀ ରାହୁଲ କୁମାର ସିହ୍ନା ଆଦି ବରିଷ୍ଠ ବୈଜ୍ଞାନିକ ମାନଙ୍କ ଦ୍ୱାରା ପରିଚାଳିତ ଏହି ଅଧିବେଶନ ଗୁଡ଼ିକ ଅଂଶଗ୍ରହଣକାରୀମାନଙ୍କୁ ସାଇବର ସୁରକ୍ଷାର ନୂତନ ଆହ୍ୱାନ ଓ ପ୍ରତିରକ୍ଷା କୌଶଳ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରିଥିଲା ।

Share this story