ଛାତ୍ରୀଙ୍କୁ ସୁରକ୍ଷା ଦେବ ‘ଶକ୍ତିଶ୍ରୀ ଆପ୍‌’: ଜରୁରୀକାଳୀନ ସ୍ଥିତିରେ ଗୋଟିଏ କ୍ଲିକରେ ମିଳିବ ପୋଲିସ ସହାୟତା 

Shaktishri App will protect girl students Police assistance will be available with one click in case of emergency

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’ ଆପ୍‌। ଆପ୍‌ ମୋବାଇଲରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପରାମର୍ଶ ଦେଇଛି। ଏନେଇ ସମସ୍ତ ବିଶବିଦ୍ୟାଳୟ କୁଳସଚିବ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। କୌଣସି ଖରାପ ପରିସ୍ଥିତିରେ ଥିଲେ ଏହି ଆପ୍‌ରେ ତଥ୍ୟ ଦେଇପାରିବେ ଛାତ୍ରୀ।ଉଚ୍ଚଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭାଗ ଯାଏଁ ଅଭିଯୋଗ ପହଞ୍ଚିପାରିବ। ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆପ୍‌ ଲୋକାର୍ପିତ କରିଥିଲେ।

କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଛାତ୍ରୀମାନଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ମହିଳା ଓ ଛାତ୍ରୀମାନଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ଏବଂ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଉନ୍ମୋଚିତ ହୋଇଛି ଏହି ବିଶେଷ ମୋବାଇଲ ଆପ ‘ଶକ୍ତିଶ୍ରୀ’। ଏହି ଆପ ମାଧ୍ୟମରେ ଛାତ୍ରୀମାନେ ଯେକୌଣସି ଅସୁବିଧା ସମୟରେ ସିଧାସଳଖ ପୋଲିସ ଏବଂ ନିଜ ପରିବାର ଲୋକଙ୍କ ସହ ଯୋଗାଯୋଗ କରିପାରିବେ।

ବିଶେଷ କରି ଘରୁ ବାହାରକୁ, କଲେଜ, କୋଚିଂ କିମ୍ବା ହଷ୍ଟେଲକୁ ଯାଉଥିବା ଝିଅମାନଙ୍କ ମନରେ ସୁରକ୍ଷାଭାବ ଆଣିବା ପାଇଁ ଏହି ଆପ ବେଶ ସହାୟକ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏସଓଏସ (SOS) ଆଲର୍ଟ ବଟନ: ଆପ୍‌ରେ ଏକ ସ୍ବତନ୍ତ୍ର ପ୍ୟାନିକ ବଟନ (Panic Button) ରହିଛି। ବିପଦ ସମୟରେ ଛାତ୍ରୀଜଣକ ଏହାକୁ କ୍ଲିକ କଲେ, ତୁରନ୍ତ ସ୍ଥାନୀୟ ପୋଲିସ କଣ୍ଟ୍ରୋଲ ରୁମ ଏବଂ ପୂର୍ବରୁ ସେଭ ହୋଇ ରହିଥିବା ପରିବାର ସଦସ୍ୟଙ୍କ ନମ୍ବରକୁ ଜରୁରୀକାଳୀନ ବାର୍ତ୍ତା ଚାଲିଯିବ।

ଲାଇଭ ଲୋକେସନ ଟ୍ରାକିଂ (Live Location Tracking): ବଟନ ଦବାଇବା ମାତ୍ରେ ଛାତ୍ରୀଙ୍କ ସଠିକ ଲୋକେସନ (ଜିପିଏସ ଆଧାରିତ) ପୋଲିସ ପାଖକୁ ପଠାଯିବ, ଯାହାଦ୍ୱାରା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାହାଯ୍ୟ କରିପାରିବ।

ଅଡିଓ ଏବଂ ଭିଡିଓ ରେକର୍ଡିଂ: କିଛି ବିଶେଷ ସଂସ୍କରଣରେ ବିପଦ ସମୟରେ ଆପେ ଆପେ ଆଖପାଖର ଅଡିଓ କିମ୍ବା ଭିଡିଓ ରେକର୍ଡିଂ ହୋଇ କଣ୍ଟ୍ରୋଲ ରୁମକୁ ଯିବାର ବ୍ୟବସ୍ଥା ମଧ୍ୟ ରହିଛି, ଯାହା ପରବର୍ତ୍ତୀ ସମୟରେ ପ୍ରମାଣ ସ୍ବରୂପ କାମ କରିବ।

ଅଫଲାଇନ ମୋଡ ସୁବିଧା: ଯଦି କୌଣସି ସ୍ଥାନରେ ଇଣ୍ଟରନେଟ ନଥାଏ, ତେବେ ଏହା ସାଧାରଣ ଏସଏମଏସ (SMS) ମାଧ୍ୟମରେ ମଧ୍ୟ ଆଲର୍ଟ ପଠାଇବାକୁ ସକ୍ଷମ।

କେବଳ ଆପ ପ୍ରସ୍ତୁତ କରିବା ନୁହେଁ, ବରଂ ପ୍ରତ୍ୟେକ ଛାତ୍ରୀ ଯେପରି ଏହାର ବ୍ୟବହାର ବିଷୟରେ ଜାଣିପାରିବେ, ସେଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ବତନ୍ତ୍ର ସଚେତନତା ଶିବିରର ଆୟୋଜନ କରାଯାଉଛି। କଲେଜ କର୍ତ୍ତୃପକ୍ଷ ଏବଂ ପୋଲିସ ଅଧିକାରୀମାନେ ମିଳିତ ଭାବେ ଛାତ୍ରୀମାନଙ୍କୁ ସେମାନଙ୍କ ସ୍ମାର୍ଟଫୋନରେ ‘ଶକ୍ତିଶ୍ରୀ ଆପ’ ଡାଉନଲୋଡ କରିବାକୁ ଉତ୍ସାହିତ କରୁଛନ୍ତି।

Share this story