ଶ୍ରୀବାଣୀକ୍ଷେତ୍ରରେ ଘୋଷଯାତ୍ରା; କିଟ୍ ମନ୍ଦିର ଟ୍ରଷ୍ଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଛେରା ପହଁରା ନୀତି ସଂପନ୍ନ
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ଵର, ୧୬।୭): ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି। ଆଜି ସକାଳୁ ବର୍ଷା ଲାଗି ରହିଥିଲେ ମଧ୍ୟ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ପୂର୍ବାହ୍ନରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ସଂପନ୍ନ ହେବା ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ତିନିରଥରେ ରଥାରୁଢ କରାଯାଇଥିଲା । ପରେ କିଟ୍ ମନ୍ଦିର ଟ୍ରଷ୍ଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟାରେ ଛେରା ପହଁରା ନୀତି ସଂପନ୍ନ ହୋଇଥିଲା ।
ଅପରାହ୍ନ ୪ଟା ସମୟରେ ଭକ୍ତମାନେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ । ଘଣ୍ଟଘଣ୍ଟା, ମୃଦଙ୍ଗ, ଖୋଳ କରତାଳ ନିନାଦ ସହ ଜୟ ଜଗନ୍ନାଥ ଧ୍ଵନୀରେ ରଥଦାଣ୍ଡ ପ୍ରକମ୍ପିତ ହୋଇଥିଲା। ଶ୍ରୀବାଣୀକ୍ଷେତ୍ର ରଥ ଯାତ୍ରାର ଏକ ବିଶେଷତ୍ୱ ହେଉଛି ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି। ରଥାଟଣା ବେଳକୁ ବର୍ଷା ଛାଡ଼ି ଯାଇଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାକୁ ଲାଗିଥିଲା। ଘୋଷଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ୩୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା । ସୁସଜ୍ଜିତ ନନ୍ଦିଘୋଷ, ତାଳଧ୍ଵଜ ଓ ଦେବଦଳନ ରଥକୁ ଟାଣିବା ସହ ଭକ୍ତମାନେ ଦୈବୀକୃପା ଲାଭ କରିଥିଲେ ।
ସୂଚନାଯୋଗ୍ୟ, ପୁରୀ ଜଗନ୍ନାଥ ମନ୍ଦିରର ପରମ୍ପରାକୁ ଆଧାର କରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ପୁରୀ ରଥଯାତ୍ରାର ସମସ୍ତ ନୀତି ନିୟମକୁ ଅନୁସରଣ କରାଯାଇ ଏଠାରେ ମଧ୍ୟ ରଥଯାତ୍ରା ଆୟୋଜନ କରାଯାଇଥାଏ। ରଥ ନିର୍ମାଣ ପାଇଁ ପୁରୀରୁ ସ୍ୱତନ୍ତ୍ର ବିନ୍ଧାଣୀ, ମହାରଣା ଓ ଚିତ୍ରକର ନିଯୁକ୍ତ ହୋଇଥାନ୍ତି ।
ଶ୍ରୀବାଣୀ କ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣଠାରୁ ଆରମ୍ଭ କରି ଏଠାରେ ସମସ୍ତ ପୂଜାର୍ଚ୍ଚନା ଓ ରଥଯାତ୍ରା ପୁରୀ ଗଜପତି ମହାରାଜ ଶ୍ରୀଦିବ୍ୟସିଂହଦେବଙ୍କ ପରାମର୍ଶ ଅନୁସାରେ ସଂପନ୍ନ କରାଯାଇଥାଏI ଶ୍ରୀକ୍ଷେତ୍ର ଘୋଷଯାତ୍ରାର ଅବିକଳ ଢ଼ାଞ୍ଚାରେ ଏଠାରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ଯଥାକ୍ରମେ ୧୬, ୧୪ ଓ ୧ ୨ଚକ ବିଶିଷ୍ଟ ତିନୋଟି ରଥ ନିର୍ମାଣ କରାଯାଇଥାଏ । ନବଦିନ ବ୍ୟାପୀ ମହାପ୍ରଭୁଙ୍କ ଏହି ଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ପ୍ରତି ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେବା ସହ ମୀନାବଜାରର ବ୍ୟବସ୍ଥା କରାଯାଇଛି। ଏହି ନବଦିନ ବ୍ୟାପୀ ଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜୀଉଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ଗହଳି ଲାଗି ରହିଥାଏ।
.png)
