ପୁରୀରେ ମୃତଦେହ ଦାହ ପାଇଁ ବଢିଲା ଅର୍ଥରାଶି, ହରିଶ୍ଚନ୍ଦ୍ର ସହାୟତା ରାଶି ପାଇଁ ଲୋକେ ପାଇବେ ଏତିକି ଅଧିକ ଟଙ୍କା...

price of last rites of man rises at swargadara in puri

ଓଡ଼ିଆ ଗସିପ ବ୍ୟୁରୋ : ସ୍ୱର୍ଗଦ୍ୱାରକୁ ମୃତଦେହ ଦାହ ପାଇଁ ଆଣୁଥିବା ବ୍ୟକ୍ତିବିଶେଷଙ୍କୁ ଶୋଷଣ ମୁକ୍ତ ଓ ବାଧା ରହିତ ସେବା ଯୋଗାଇଦେବା ପାଇଁ ସ୍ୱର୍ଗଦ୍ୱାର ସେବା ସମିତି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ହରିଶ୍ଚନ୍ଦ୍ର ଯୋଜନା ରାଶିକୁ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ସୋମବାର ମଧ୍ୟ ରାତ୍ରରୁ ଏହା ଲାଗୁ ହୋଇଛି । ଏଥିସହିତ ସ୍ୱର୍ଗଦ୍ୱାର ସେବା କେନ୍ଦ୍ରରୁ ସେବା ନେଇଥିବା ବ୍ୟକ୍ତିଙ୍କ ରେଜିଷ୍ଟ୍ରଟେଡ ମୋବାଇଲ ନମ୍ବରକୁ ଏସ୍‌ଏମ୍‌ଏସ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏହା ଫଳରେ ଯଦି କେହି ତାଙ୍କ ରସିଦ ହଜାଇ ଦେଇଥାନ୍ତି ତେବେ ରେଜିଷ୍ଟ୍ରେଶନ ନମ୍ବର ଦେଖାଇ ପୁଣି ସହଜରେ ଡୁପ୍ଲିକେଟ ରସିଦ ପାଇ ପାରିବେ ।

ସେହିପରି ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ପାଉଥିବା ବ୍ୟକ୍ତିବିଶେଷ ଦାହ କାର୍ଯ୍ୟ ପାଇଁ ଦେଢ କୁଇଣ୍ଟାଲ କାଠ ପାଉଥିବାବେଳେ ଏବେ ଏହାକୁ ବୃଦ୍ଧି କରି ଦୁଇ କୁଇଣ୍ଟାଲ ଅଶି କେଜି କରାଯାଇଛି । ସେହିପରି ପଥଶ୍ରାଦ୍ଧ ସାମଗ୍ରୀ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ରାଶିରେ ଅନ୍ତର୍ଭୁକ୍ତ କରାଯାଇଛି ।

ଅଧିକ ପଢ଼ନ୍ତୁ : ୨ ଦିନ ପ୍ରବଳ ବର୍ଷିବ : ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ସଂସ୍କାର ସାମଗ୍ରୀରେ ଘିଅ ପରିମାଣ ବୃଦ୍ଧି କରି ୨୦୦ଗ୍ରାମରୁ ୩୦୦ ଗ୍ରାମ କରାଯାଇଛି । ସଂସ୍କାର କରିବାକୁ ଆସୁଥିବା ବ୍ୟକ୍ତି କାଠ ବୋହି ନେବା ପାଇଁ ପୂର୍ବରୁ କେବଳ ଟ୍ରଲି ବ୍ୟବସ୍ଥା ଥିଲା । ଏହି ବ୍ୟବସ୍ଥାରେ ସୁଧାର ଆଣି କାଠ ବୋହିବା ପାଇଁ ୭ଜଣ ପରିବହନ ସେବକ ମୁତୟନ କରାଯାଇଛି । ଯାହା ଫଳରେ ମୃତ ବ୍ୟକ୍ତି ଦାହ ସଂସ୍କାର ସ୍ଥାନକୁ ଏହି ସେବକମାନେ ଟ୍ରଲି ସାହାଯ୍ୟରେ କାଠ ବୋହି କି ନେଇପାରିବେ ।

ସେହିପରି ଦାହ ସଂସ୍କାର କରୁଥିବା ସେବକମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରିବା ସହିତ ସେମାନଙ୍କୁ ବିବାହ ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ସ୍ୱର୍ଗଦ୍ୱାର ସେବା ସମିତି ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତାରଣ ସାହୁ ଜଣାଇଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱର୍ଗଦ୍ୱାର ସଂସ୍କାର କାର୍ଯ୍ୟ ଜାରି ରହିଥିବାବେଳେ ଏହି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ କିଛି ନା କିଛି ନୂତନ ବ୍ୟବସ୍ଥା ଲାଗୁ କରାଯାଉଛି ।

ଅଧିକ ପଢ଼ନ୍ତୁ : କୋଟିଏ ଟଙ୍କାର ପ୍ରଶ୍ନ : ଏମିତି କେଉଁ କାମ ଅଛି, ଯାହାକୁ ମଣିଷ ମଲା ପରେ ବି କରିଥାଏ ?

ଖୁବ୍‌ଶୀଘ୍ର ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ ଆପ୍‌ ଓ ୱେବସାଇଟ ଲଞ୍ଚ ପାଇଁ ବ୍ୟବସ୍ଥା ହେଉଛି ବୋଲି ସେବା ସମିତି କାର୍ଯ୍ୟକାରୀ ସଦସ୍ୟ ସିଦ୍ଧାର୍ଥ ରାୟ କହିଛନ୍ତି । ସୂଚନାଯୋଗ୍ୟ, ସ୍ୱର୍ଗଦ୍ୱାର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପୁରୀ ପୌରସଂସ୍ଥାଠାରୁ ସ୍ୱର୍ଗଦ୍ୱାର ସେବା ସମିତି ଦାୟିତ୍ୱ ହାତକୁ ନେଇ ଏହାର ପରିଚାଳନା ଓ ବିକାଶ ପାଇଁ କାର୍ଯ୍ୟ କରି ପ୍ରଶଂସିତ ହୋଇଛି ।

Share this story