ପ୍ରବାସୀ ଭାରତୀୟ ଦିବସ ୨୦୨୫ ସମ୍ମେଳନ ଆରମ୍ଭ, ଦୁଲୁକୁଛି ଭୁବନେଶ୍ୱର ଜନତା ମଇଦାନ

Prabashi odisha divas 2025 kick started from today

ଓଡ଼ିଆ ଗସିପ ବ୍ୟୁରୋ: ସବୁ ଅପେକ୍ଷାର ଅନ୍ତ ଘଟିଛି । ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ୨୦୨୫ ସମ୍ମେଳନ । କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟ ଶଙ୍କର । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଉପସ୍ଥିତ ଅଛନ୍ତି । ଭୁବନେଶ୍ୱର ଜନତା ମଇଦାନରେ ଯୁବ ସମାବେଶରୁ ଆରମ୍ଭ ହୋଇଛି ସମ୍ମେଳନ । ୩ ଦିନ ଧରି କାର୍ଯ୍ୟକ୍ରମ ଚାଲିବ । ଆସନ୍ତାକାଲି ଏହାକୁ କାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କହିଲେ ମୁଖ୍ୟମନ୍ତ୍ରୀ । କହିଲେ, ଅଜସ୍ର ସ୍ନେହ, ଶ୍ରଦ୍ଧାର ସହ ଆପଣଙ୍କ ଅପେକ୍ଷାରେ ଥିଲୁ । ଆଜି ଅପେକ୍ଷାର ଅନ୍ତ ହେଲା, ସଂପର୍କ ଆହୁରି ସୁଦୃଢ଼ ହେବ । ପ୍ରତ୍ୟେକ ପ୍ରବାସୀଙ୍କୁ ଜଣେ ଜଣେ ସାଂସ୍କୃତିକ ଆମ୍ବାସଡର ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର । ମୁଁ ଚାହୁଁଛି ଆପଣ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ବିଷୟରେ ଜାଣନ୍ତୁ । ପୁରୀ, କୋଣାର୍କ, ଧଉଳି, ଚିଲିକା ଭଳି ପର୍ଯ୍ୟଟନସ୍ଥଳୀ ବୁଲନ୍ତୁ । ଡାଲମା, ରସଗୋଲା, ଛେନାପୋଡ଼ ଭଳି ଓଡ଼ିଆ ଖାଦ୍ୟର ମଜା ନିଅନ୍ତୁ । ଏହି ଅବସରରେ ଭୁବନେଶ୍ବରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି । ପ୍ରବାସୀଙ୍କୁ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଅନୁରୋଧ କଲେ । ଏହାଦ୍ବାରା ସମ୍ପର୍କ ଆହୁରି ମଜବୁତ ହେବ, ଅତୁଟ ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ।

କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ନିଜର ମନ୍ତବ୍ୟ ଦେଇଛନ୍ତି । ସେହିପରି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟ ଶଙ୍କର । ବିକଶିତ ଭାରତ ଅଭିମୁଖେ ଆମେ ଗତି କରୁଛେ ବୋଲି କହିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆମେ ବିକଶିତ ଭାରତ ଅଭିମୁଖେ ଯାତ୍ରା କରୁଛନ୍ତି। କୋଭିଡ ସମୟରେ ଭାରତ ନିଜସ୍ବ ଟିକା ତିଆରି କରିଥିଲା । ଚନ୍ଦ୍ରଯାନ-୩, ଗଗନଯାନ ମିଶନ ମଧ୍ୟ ଆମ ପାଇଁ ଗୋଟିଏ ଗୋଟିଏ ସଫଳତା । କେବଳ ସେତିକି ନୁହେଁ, ବହୁତ ଯୁଗାନ୍ତକାରୀ ଯୋଜନା ଲୋକଙ୍କ ଜୀବନଧାରଣ ମାନକୁ ବଦଳାଇଛି । ସ୍ବଚ୍ଛ ଭାରତ, ଆବାସ, ବେଟି ବଚାଅ ବେଟି ପଢ଼ାଅ ଏହାର ଉଦାହରଣ ବୋଲି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ।

Share this story