ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଡବଲ ଇଞ୍ଜିନ ସରକାରଙ୍କ ରଖିବେ ରିପୋର୍ଟ କାର୍ଡ

PM Modi to attend one year completion of BJP Government in Odisha tomorrow

ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାବାସୀଙ୍କ ପାଖରେ ମୋହନ ସରକାର ଏବଂ କେନ୍ଦ୍ର ସରକାରଙ୍କ ଉପଲବ୍ଧି ରଖିବେ । ଏହାସହ ପ୍ରାୟ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ କିଛି ଯୋଜନାର ବି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ସୂଚନା ମିଳୁଛି କି ଡବଲ ଇଞ୍ଜିନ୍ ସରକାରଙ୍କ ରିପୋର୍ଟ କାର୍ଡ ରଖିବାକୁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପିଏମ୍ ମୋଦି । ଏଥି ପାଇଁ ପ୍ରସ୍ତୁତ ଜନତା ମୈଦାନ, ଉତ୍ସାହିତ ବିଜେପି କ୍ୟାମ୍ପ । ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଖୋଲିବେ ବିକାଶର ପେଡି । ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହି ଅବସରରେ ଅନେକ ସରକାରୀ କାର୍ଯ୍ୟକ୍ରମର ବି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ବୟୋବନ୍ଦନ ଯୋଜନାରେ ବରିଷ୍ଠ ନାଗରିକଙ୍କୁ ବାଣ୍ଟିବେ ଆୟୁଷ୍ମାନ କାର୍ଡ ।

ମୁଖ୍ୟମନ୍ତ୍ରୀ ଅନ୍ତୋଦ୍ୟୟ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ଦେବେ କାର୍ଯ୍ୟାଦେଶ । ବର୍ଷକରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସକ୍ଷମ ହୋଇଥିବାରୁ ରାଜ୍ୟର ଲକ୍ଷପତି ଦିଦିଙ୍କ ସହ ବି କଥା ହେବେ ପ୍ରଧାନମନ୍ତ୍ରୀ । ୧୨୩ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଭଦ୍ରକର ନୂଆ ଜିଲ୍ଲା କାରାଗାରର ଶିଳାନ୍ୟାସ କରିବେ । ୧୦୦ଟି ଇ-ବସର ମଧ୍ୟ କରିବେ ଶୁଭାରମ୍ଭ । ସବୁଠୁ ବଡ କଥା ହେଲା ମୋହନ ସରକାରଙ୍କ ଭିଜନ ଓଡିଶା ୨୦୩୬ ଡକ୍ୟୁମେଣ୍ଟର କରିବେ ଲୋକାର୍ପଣ । ଯେଉଁଥିରେ ରହିଛି ୨୦୩୬ ସୁଦ୍ଧା ଓଡିଶାକୁ ବିକଶିତ କରିବାର ନକ୍ସା ।

ଏପଟେ ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ଜନତା ମୈଦାନ । ଆଜି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ ପହଞ୍ଚି କରିଥିଲେ ପ୍ରସ୍ତୁତିର ସମୀକ୍ଷା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି ସିଏମ୍ ।

ଆସନ୍ତାକାଲି ଅପରାହ୍ଣ ୩ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରୁ ପ୍ରଥମେ ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେବେ । କଳିଙ୍ଗ ଷ୍ଟାଡିୟମଠାରୁ ଜନତା ମୈଦାନ ଯାଏଁ ବିଶାଳ ରୋଡ୍ ଶୋରେ ଆସିବେ ପିଏମ୍ । ରାସ୍ତାରେ ପ୍ରାୟ ୨୮ଟି ସ୍ଥାନରେ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମୋଦିଙ୍କୁ ସ୍ୱାଗତ କରାଯିବ । ୪ଟା ୧୫ରେ ଜନତା ମୈଦାନରେ ପହଞ୍ଚି ଶିଳାନ୍ୟାସ ଏବଂ ଲୋକର୍ପଣ ସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୧୩୩ ପ୍ଲାଟୁନ ପୋଲିସ ଫୋର୍ସ ସହ ୫୦୦ରୁ ଅଧିକ ପୋଲିସ ଅଫିସରଙ୍କ ସହ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଏବଂ ସ୍ବତନ୍ତ୍ର ଏଜେନ୍ସିମାନେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା, କ୍ରାଉଡ କଣ୍ଟ୍ରୋଲ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ମଧ୍ୟ ମୁତୟନ ଅଛନ୍ତି । ଆଜି ବିମାନବନ୍ଦରରୁ ଜନତା ମୈଦାନ ଯାଏଁ କାରକେଡ ରିହର୍ସାଲ ମଧ୍ୟ କରାଯାଇଛି ।

Share this story