ଓଡ଼ିଶାକୁ ୧୯ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ପଢ଼ନ୍ତୁ କଣ ରହିଛି ଏସବୁ ଭେଟି...

PM Modi lays foundation of Rs 18700 crore projects in Odisha

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରଣ ଅବସରରେ ଓଡ଼ିଶାକୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୮ ହଜାର ୭୦୦ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପିଏମ୍ ମୋଦି । ୨ ହଜାର ୭୫୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ବୌଦ୍ଧରେ ପହଞ୍ଚିଛି ରେଳ ନେଟୱର୍କ । ୧୦୦ଟି ବ୍ୟାଟେରୀ ଚାଳିତ ବସର ଶୁଭାରମ୍ଭ କରିବା ସହ ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ ପୁସ୍ତିକା ଉନ୍ମୋଚନ କରିଛନ୍ତି ପିଏମ୍ ମୋଦି ।

ପୂରଣ ହେଲା ଦଶନ୍ଧି ପୁରୁଣା ସ୍ବପ୍ନ । ରେଳ ମାନଚିତ୍ରରେ ସାମିଲ ହେଲା ବୌଦ୍ଧ । ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାକୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିକଶିତ ଭାରତ-ବିକଶିତ ଓଡ଼ିଶା ସଂକଳ୍ପକୁ ସାକାର କରିବା ଦିଗରେ ନେଇଛନ୍ତି ଆଉ ଏକ ବଡ଼ ପଦକ୍ଷେପ । ରେଳ ନେଟୱର୍କ ସହ ସଂଯୋଗ ହୋଇଛି ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ।

ବୌଦ୍ଧରୁ ରାଜଧାନୀ ଭୁବନେଶ୍ବରକୁ ସିଧା ଗଡିଛି ଟ୍ରେନ୍। ଏହି ଅବସରରେ ପିଏମ୍ ମୋଦି ଓଡ଼ିଶାକୁ ଭେଟି ଦେଇଛନ୍ତି ଦୁଇଟି ନୂଆ ଟ୍ରେନ୍ । ବୌଦ୍ଧ- ଭୁବନେଶ୍ବର ନ୍ୟୁ ଏବଂ ବୌଦ୍ଧ-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ୍ । ଏହି ପ୍ରକଳ୍ପ ଝାରସୁଗୁଡ଼ା-ସମ୍ବଲପୁର ଭଳି ବ୍ୟସ୍ତତମ ରେଳ ସେକ୍ସନରେ ଟ୍ରାଫିକ ଭାର ହ୍ରାସ କରିବ ଏବଂ ଶିଳ୍ପ ଓ ଯାତ୍ରୀ ପରିବହନକୁ ବୃଦ୍ଧି କରିବ ।

୧୩ଶହ ୭୫ କୋଟି ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ମଧ୍ୟରେ ୭୩ କିଲୋମିଟର ଲମ୍ବା ନୂତନ ରେଳ ଲାଇନର ଉଦଘାଟନ ହୋଇଛି । ଏହି ରେଳ ଲାଇନ ୩୦୧ କିଲୋମିଟରର ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ । କେବଳ ସେତିକି ନୁହେଁ, ସରଳା ଓ ଶାସନ ମଧ୍ୟରେ ୨୫୦ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ତୃତୀୟ ଓ ଚତୁର୍ଥ ରେଳ ଲାଇନର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଟ ୨ ହଜାର ୭୫୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିବା ସହ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଭୁବନେଶ୍ବର ଜନତା ମୈଦାନର ଭବ୍ୟ ସମାରୋହରେ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ୬୦ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୪୫ ପ୍ରକଳ୍ପର ହୋଇଛି ଲୋକାର୍ପଣ । ମୋଟ୍ ୧୮ ହଜାର ୭୦୦ କୋଟି ଟଙ୍କାର ଏସବୁ ପ୍ରକଳ୍ପ ବିକଶିତ ଓଡ଼ିଶା ଗଠନକୁ ନୂଆ ରୂପ ଦେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ବରିଷ୍ଠ ନାଗରିକଙ୍କୁ କାର୍ଡ ବାଣ୍ଟିବା ସହ ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେଇଛନ୍ତି ।

ରାଜ୍ୟରେ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭' ପୁସ୍ତିକା ଉନ୍ମୋଚନ ହୋଇଛି । ଯେଉଁଥିରେ ରହିଛି ୨୦୩୬ ସୁଦ୍ଧା ଓଡିଶାକୁ ବିକଶିତ କରିବାର ନକ୍ସା । ୧୦୦ଟି ବ୍ୟାଟେରୀ ଚାଳିତ ବସର ବି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ କରିବା ସହ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପୁସ୍ତିକା ଉନ୍ମୋଚିତ ହୋଇଛି । ୧୨୩ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଭଦ୍ରକର ନୂଆ ଜିଲ୍ଲା କାରାଗାରର ମଧ୍ୟ ଶିଳାନ୍ୟାସ ହୋଇଛି । ବର୍ଷକରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସକ୍ଷମ ହୋଇଥିବାରୁ ରାଜ୍ୟର ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

Share this story