ଶୀର୍ଷ କେନ୍ଦ୍ରୀୟ ପଦବୀ ପାଇଁ ଓଡ଼ିଶା କ୍ୟାଡରର ଆଇପିଏସ୍ ଅଧିକାରୀ ଡଃ ସୁଧାଂଶୁ ଷଡ଼ଙ୍ଗୀ ପ୍ରଥମ ସ୍ଥାନ ଅକ୍ତିଆର କଲେ...
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର, ୧୩/୦୬/୨୦୨୬): ଶୀର୍ଷ କେନ୍ଦ୍ରୀୟ ପଦବୀ ପାଇଁ ଓଡ଼ିଶା କ୍ୟାଡରର ଦୁଇ ଆଇପିଏସ୍ ଅଧିକାରୀଙ୍କ ଚୟନ ହୋଇଛି । କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ‘ଆପଏଣ୍ଟମେଣ୍ଟସ୍ କମିଟି ଅଫ୍ ଦ କ୍ୟାବିନେଟ(ଏସିସି) ଦେଶର ୩୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଡାଇରେକ୍ଟର ଜେନେରାଲ୍ (ଡିଜି) ଓ ଡିଜି ସମକକ୍ଷ ପଦବୀ ପାଇଁ ଚୟନ କରିଛନ୍ତି ।
ଏଥିରେ ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଅଧିକାରୀ ସ୍ଥାନ ପାଇଛନ୍ତି । ଏମ୍ପାନେଲ୍ ହୋଇଥିବା ଅଧିକାରୀଙ୍କ ମଧ୍ୟରୁ ଓଡ଼ିଶା କ୍ୟାଡର ଅଧିକାରୀ ୧୯୯୦ ବ୍ୟାଚ୍ର ଡଃ ସୁଧାଂଶୁ ଷଡ଼ଙ୍ଗୀ ପ୍ରଥମ ସ୍ଥାନରେ ଅଛନ୍ତି । ସେହିପରି ୧୯୯୫ ବ୍ୟାଚ୍ର ପିଏସ୍. ରଣପିସେଙ୍କ ମଧ୍ୟ ଚୟନ କରାଯାଇଛି ।
ଏହି ଏମ୍ପାନେଲମେଣ୍ଟ ପରେ ଉଭୟ ଅଧିକାରୀ କେନ୍ଦ୍ର ସରକାରଙ୍କ ଅଧୀନରେ ଡିଜି ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ଏହି ଏମ୍ପାନେଲମେଣ୍ଟକୁ ଜଣେ ଆଇପିଏସ୍ ଅଧିକାରୀଙ୍କ କ୍ୟାରିୟରର ଏକ ବଡ଼ ମାଇଲଖୁଣ୍ଟ ବୋଲି ଧରାଯାଏ ।
ଏହା ମାଧ୍ୟମରେ ସିଆରପିଏଫ୍, ବିଏସଏଫ୍, ସିଆଇଏସଏଫ୍, ଆଇଟିବିପି ସମେତ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାରେ ଉଚ୍ଚପଦବୀରେ କାର୍ଯ୍ୟ କରିବାର ସୁଯୋଗ ମିଳିଥାଏ । ଓଡ଼ିଶା କ୍ୟାଡରର ଏହି ଦୁଇ ଅଧିକାରୀଙ୍କ ଚୟନ ରାଜ୍ୟ ପୁଲିସ ବ୍ୟବସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । କାରଣ ଡ. ଷଡ଼ଙ୍ଗୀ ରାଜ୍ୟର ପରବର୍ତ୍ତୀ ପୋଲିସ୍ ମହାନିର୍ଦ୍ଦେଶକ ଦୌଡରେ ଅଛନ୍ତି ବୋଲି ସୂଚନା ରହିଛି ।
.png)
