ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ଜମା ଡରନ୍ତୁ ନାହିଁ, ୧୩ କିମ୍ବା ୧୪ରେ ମିଆଁମାର ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା

No cyclone fear for odisha

ଓଡ଼ିଆ ଗସିପ ବ୍ୟୁରୋ: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଶନିବାର ଦିନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟଟି ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ରହିଥିବା ବେଳେ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି ।

ଏହା ପ୍ରଭାବରେ ଆସନ୍ତାକାଲି ସକାଳ ସୁଦ୍ଧା ସେହି ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୯ ତାରିଖ ଆଡ଼କୁ ଲଘୁଚାପଟି ଅଧିକ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ହିଁ ଅବପାତର ରୂପ ନେବ ।

ଏହାପରେ ଅବପାତଟି ଆହୁରି ଘନୀଭୂତ ହେବା ସହ ବାତ୍ୟାର ରୂପ ନେବ ଓ ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି ।

ତେବେ ସୃଷ୍ଟି ହୋଇଥିବା ସିଷ୍ଟମ ଉପରେ ପାଣିପାଗ ବିଭାଗ ନିୟମିତ ନଜର ରଖିଥିବା ବେଳେ ବାତ୍ୟାର ତୀବ୍ରତା, ଗତିପଥ ଓ ଏହା କେଉଁ ଦିଗ ଦେଇ ଗତି କରିବ ତାହା ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ କହିହେବ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ବର୍ତ୍ତମାମ ସୁଦ୍ଧା ଓଡ଼ିଶା ପାଇଁ ବାତ୍ୟା ୱାର୍ଣ୍ଣିଂ ଦିଆଯାଇନାହିଁ । ବର୍ତମାନର ଆକଳନ ଅନୁସାରେ ବାତ୍ୟାର ଗତିପଥ ସେଣ୍ଟ୍ରାଲ ବାଙ୍ଗୋପ ସାଗର ଦେଇ ଗତି କରିବାର ସମ୍ଭାବନା ରହିଛି । ଓଡ଼ିଶାର ଉପକୂଳରେ ମାଛ ଧରୁଥୁବା ମତ୍ସଜୀବିଙ୍କ ପାଇଁ ମଧ୍ୟ ୱାର୍ଣ୍ଣିଂ ନାହିଁ । ଆଣ୍ଡାମାନ ନିକୋବର ପାଇଁ ୮ ରୁ ୧୨ ତାରିଖ ଯାଏଁ ୱାର୍ଣ୍ଣିଂ ରହିଛି ।

ଦକ୍ଷିଣ ଓଡ଼ିଶା ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଆସନ୍ତା ୩ ଦିନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ.ଆର ବିଶ୍ୱାସ କହିଛନ୍ତି ।

ସେପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଓଡ଼ିଶାକୁ ନାହିଁ ବାତ୍ୟା ଭୟ । ଘୂର୍ଣ୍ଣିବଳୟଟି ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ରହିଛି । ଆସନ୍ତା କାଲି ଲଘୁଚାପର ରୂପ ନେବ । ଏହା ୯ ତାରିଖ ପରେ ବାତ୍ୟାର ରୂପ ନେବ। ସମ୍ଭାବ୍ୟ ବାତ୍ୟା ଉତ୍ତର-ପୂର୍ବ ଦିଗରେ ଗତି କରିବ । ୧୩ କିମ୍ବା ୧୪ରେ ମିଆଁମାର ଉପକୂଳ ଛୁଇଁପାରେ ବୋଲି ସେ କହିଛନ୍ତି ।

Share this story