ମୋହନ ସରକାରକୁ ପୂରିଲା ୧୦୦ ଦିନ, ବିଜେପି ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ

Mohan Majhis government in Odisha completes 100 days

ଭୁବନେଶ୍ୱର (ଓଡ଼ିଆ ଗସିପ ବ୍ୟୁରୋ) : ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୁରୁଛି । ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀରେ ବଡ଼ ଆୟୋଜନ କରିଛି ବିଜେପି । ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟକ୍ରମରେ ରାଜ୍ୟ କ୍ୟାବିନେଟ, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ ଏବଂ ସାଂସଦ ସାମିଲ ହେବେ ।

ସରକାରର ଶହେ ଦିନ ଭିତରେ ଶ୍ରୀମନ୍ଦିର ଚାରି ଦ୍ବାର ସହ ରତ୍ନଭଣ୍ଡାର ବି ଖୋଲାଯାଇଛି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ସହାୟତାର ପ୍ରଥମ କିସ୍ତି ବି ମିଳିଛି । ଏହାରି ଭିତରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଥିପାଇଁ କମିଟି ଗଠନ ହୋଇ ଆଇନଗତ ଦିଗକୁ ତର୍ଜମା କରୁଛି । ଏସବୁ ଉପଲବଧିକୁ ନେଇ ପ୍ରସ୍ତୁତ ରିପୋର୍ଟ କାର୍ଡକୁ ରାଜ୍ୟବାସୀଙ୍କୁ ଦେବେ ମୋହନ ସରକାର । ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରେ ୨୦ରୁ ୨୨ ତାରିଖ ଯାଏଁ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ତେଣେ ଜିଲ୍ଳା ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସୂଚନା ଅନୁସାରେ ଶହେ ଦିନ ଭିତରେ ସମସ୍ତ ପ୍ରତିଶ୍ରୁତି ତଥା ନିର୍ବାଚନୀ ଇସ୍ତାହାର ପୂରଣ କରାଯାଇଥିବାରୁ ଏନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ । ବିଜେପି ସରକାର ଆଗାମୀ ଦିନରେ ଓଡ଼ିଶା ବାସୀଙ୍କ ଉନ୍ନତି ପାଇଁ ବଦ୍ଧ ପରିକର ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯିବ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ଗସ୍ତରେ ଆସି ଶରଧାବାଲି ଠାରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ, ଏସପି ଉପସ୍ଥିତ ରହି ସମସ୍ତ ପ୍ରସ୍ତୁତି ବିଷୟରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ବିଜେପି ସରକାର ଗଠନ ହେବାର ଶହେ ଦିନ ପୂର୍ତ୍ତି ଉତ୍ସବ ଶରଧାବାଲିରୁ ଆରମ୍ଭ ହେଉଥିବା ବେଳେ ଏହା ଜିଲ୍ଲା ସ୍ତରରେ ମଧ୍ୟ ଆୟୋଜନ କରାଯିବ । ବିଜେପି ସରକାର ଆଗାମୀ ଦିନରେ ଓଡ଼ିଶା ବାସୀଙ୍କ ଉନ୍ନତି ପାଇଁ କିଭଳି କାର୍ଯ୍ୟ କରିବ ସେନେଇ ମଧ୍ୟ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅବଗତ କରାଯିବ।

ପୁରୀରେ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଏସପିଙ୍କ ସୂଚନା ଅନୁସାରେ ପ୍ରାୟ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ । ଶ୍ରୀମନ୍ଦିରରେ ମଧ୍ୟ ମନ୍ତ୍ରୀ ପରିଷଦ ଏବଂ ସାଂସଦ ମାନେ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ସେଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ । ସେହିପରି ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି ।

Share this story