ରୂପାନ୍ତରଣ ସ୍ପର୍ଶରେ ଝଲସୁଛି ମାଆ ସମଲେଇଙ୍କ ପୀଠ: ‘ସମଲେଇ ପ୍ରକଳ୍ପ’ର ଶୁଭ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Maa Samalei Project kick started from Sambalpur

ଓଡ଼ିଆ ଗସିପ ବ୍ୟୁରୋ: ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ । ରୂପାନ୍ତରଣ ସ୍ପର୍ଶରେ ଝଲସୁଛି ମାଆ ସମଲେଇଙ୍କ ପୀଠ। ୪୦ ଏକର ଜମିରେ ହୋଇଛି ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁରରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ‘ସମଲେଇ ପ୍ରକଳ୍ପ’ର ଶୁଭ ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସମଲେଇ ମନ୍ଦିରରେ ଶ୍ରଦ୍ଧାଳୁ ପାଇବେ ଭିନ୍ନ ଅନୁଭୂତି । କେବଳ ଆମ ରାଜ୍ୟ ନୁହେଁ ସମଗ୍ର ଦେଶରୁ ବର୍ଷର ବିଭିନ୍ନ ସମୟରେ ମା’ସମଲେଇଙ୍କ ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ଭିନ୍ନ ଅନୁଭୂତି ପାଇବେ । ମା’ସମଲେଇଙ୍କ ରୂପାନ୍ତରିତ ପୀଠ ଆଗାମୀ ଶହଶହ ବର୍ଷ ଧରି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବ ।

ପ୍ରକୃତିର ଏହି ଅପରୂପ ଉପତ୍ୟାକାରେ କାହିଁ କେଉଁକାଳରୁ ପୂଜିତା ମାଆ ସମଲେଇ। ଯେଡେବଡ ବିପଦ କି ଆପଦ ଆସିଲେ ମାଆ ସମଲେଇ ସାହା। ଏହି ଲୋକବିଶ୍ୱାସରେ ଗଢା ଓଡିଶାର ପ୍ରମୁଖ ଶକ୍ତିପୀଠ ତଥା ପଶ୍ଚିମ ଓଡିଶାର ପରମ ଆରାଧ୍ୟା ମାଆ ସମଲେଶ୍ୱରୀଙ୍କ ମନ୍ଦିର । ସେହି ଲୋକବିଶ୍ୱାସକୁ ସମ୍ମାନ ଜଣାଇ ରାଜ୍ୟ ସରକାର ୫-ଟି ଉପକ୍ରମରେ ଆରମ୍ଭ କରିଥିଲେ ଏହି ପୀଠର ରୂପାନ୍ତରଣ ।

ଅଧିକ ପଢ଼ନ୍ତୁ: ବସ୍-ଭ୍ୟାନ୍ ମୁହାଁମୁହିଁ ଧକ୍କା, ଚାପି ହୋଇ ଚାଲିଗଲା ୨ ପୁରୁଷ ଓ ଜଣେ ମହିଳାଙ୍କ ଜୀବନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନଙ୍କ ଅବିରାମ ଉଦ୍ୟମ ପାଇଁ ସବୁପ୍ରକାର ବିରୋଧ, ଘାତପ୍ରତିଘାତ, ଆଇନଅଦାଲତି ମାମଲା ଏବଂ ସର୍ବୋପରି ମହାମାରୀ କୋଭିଡ୍‌ ସତ୍ୱେ ରେକର୍ଡ ସମୟ ମଧ୍ୟରେ ଶେଷ ହୋଇପାରିଛି ସମଲେଇ ପ୍ରକଳ୍ପର ରୂପାନ୍ତରଣ । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପରେ ରାଜ୍ୟରେ ଏହା ସବୁଠାରୁ ବଡ ରୂପାନ୍ତରଣ ।

ମା’ ସମଲେଶ୍ୱରୀ ମନ୍ଦିରର ରୂପାନ୍ତରଣ ପାଇଁ ୧୭ଫେବ୍ରୁଆରୀ, ୨୦୨୧ମସିହାରେ ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ଅର୍ଥରାଶି ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ଦ୍ୱିତୀୟ ପର୍ଯ୍ୟୟରେ ଆଉ ୨୦୦ କୋଟି ଅନୁଦାନ ମଞ୍ଜୁର କରାଯାଇଥିଲା । ଜମି ଅଧିଗ୍ରହଣ ପରେ ୨୦୨୨ ଏପ୍ରିଲ ୧୫ ତାରିଖରେ ସମଲେଇ ପ୍ରକଳ୍ପ ପାଇଁ ଭୂମି ପୂଜନ ହୋଇଥିଲା । ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଠାରୁ ଆରମ୍ଭ କରି ବିସ୍ଥାପିତଙ୍କୁ ଥଇଥାନ, କଲୋନି ନିର୍ମାଣ, ପ୍ରକଳ୍ପ ନିର୍ମାଣ କାମ ନେଇ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି ରାଜ୍ୟ ସରକାର । ୧୨ ଏକର ଜମିରେ ପ୍ରତିଷ୍ଠିତ ମା’ଙ୍କ ମନ୍ଦିର ।

ଅଧିକ ପଢ଼ନ୍ତୁ: ବଦଳିଲା ପାଣିପାଗ, ଏତିକି ଦିନ ପର୍ଯ୍ୟନ୍ତ ଶୀତ ସହ ଘନ କୁହୁଡ଼ି କରିବ ଅସ୍ତବ୍ୟସ୍ତ

ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଓ ଭକ୍ତମାନେ ଯେଭଳି ସୁବିଧାରେ ମା’ଙ୍କର ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ଭୋଗମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯାଇଛି । ପ୍ରାୟ ୩୦ ଏକର ଜମିରେ ମନ୍ଦିର ପାରିପାର୍ଶ୍ବିକ ବିକାଶ କରାଯାଇଛି । ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯାଇଛି ।

ସବୁଠାରୁ ବଡକଥା ହେଲା ପ୍ରଥମ କରି ଓଡିଶାରେ ମହାନଦୀ ଆଳତୀ ବ୍ୟବସ୍ଥା କରାଯାଇଛି । ମହାନଦୀ ମା’ଙ୍କ ମନ୍ଦିରରୁ ଯେଭଳି ସ୍ପଷ୍ଟ ଦୃଶ୍ୟମାନ ହୋଇପାରିବ ଓ ଶ୍ରଦ୍ଧାଳୁମାନେ ଯେପରି ସୁବିଧାରେ ସେମାନଙ୍କର ପରମ୍ପରା ରୀତିନୀତି ପାଳନ କରିପାରିବେ ସେନେଇ ୩୫୦ ମିଟର ନଦୀକୂଳର ବିକାଶ କରାଯାଇଛି। ତାସହିତ ପର୍ଯ୍ୟଟକମାନଙ୍କୁ ମହାନଦୀର ମନୋହର ଦୃଶ୍ୟ ଅବଲୋକନ ପାଇଁ ପ୍ୟାଭିଲିୟନ, ପ୍ଲାଜା ଓ ଡେକ୍‌ ଆଦି ନିର୍ମାଣ କରାଯାଇଛି। ପ୍ରୋଜେକ୍ସନ ମ୍ୟାପିଂ ବ୍ୟବହାର କରି ପ୍ରତି ସଂଧ୍ୟାରେ ମା’ଙ୍କର ମହିମାମୟ କାହାଣୀ ପ୍ରଚାର ବ୍ୟବସ୍ଥା ହୋଇଛି ।

Share this story