ଆଜି ବଙ୍ଗୋପସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ; ୮ ତାରିଖ ସୁଦ୍ଧା ନେଇପାରେ ଅବପାତର ରୂପ

low depression will form in Bay of Bengal today

ଓଡ଼ିଆ ଗସିପ ବ୍ୟୁରୋ: ବଙ୍ଗୋପସାଗରରେ ଶନିବାର ଘୂର୍ଣ୍ଣିବଳୟ ସୃଷ୍ଟିହେବ । ଏହାର ପ୍ରଭାବରେ ରବିବାର ଲଘୁଚାପ ଓ ଏହା ଅଧିକ ଘନୀଭୂତ ହୋଇ ୮ ତାରିଖ ବେଳକୁ ଅବପାତରେ ପରିଣତ ହେବ । ପରେ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇ ଉତ୍ତର ଦିଗରେ ଗତି କରିବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରିବ ।

ଏହି ଘୂର୍ଣ୍ଣିବଳୟ ଯୋଗୁଁ ଶନିବାରଠାରୁ ଗଭୀର ସମୁଦ୍ରରେ ସ୍ଥିତି ବିଗିଡ଼ିବା ସହ ସମୁଦ୍ର ଆଶାନ୍ତ ରହିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଏବେଠାରୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।

ଅନ୍ୟପଟେ ଆଇଏମଡି ପକ୍ଷରୁ ଏବେ ବି ବାତ୍ୟାର ଗତିପଥକୁ ନେଇ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଶୁକ୍ରବାର ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ବାତ୍ୟାର ଗତିପଥ ଓ ଏହାର ତୀବ୍ରତା ସମ୍ପର୍କରେ ଜଣାପଡ଼ିବା ସହ ଓଡ଼ିଶା ଉପରେ ଏହାର ପ୍ରଭାବ କ’ଣ ରହିବ, ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ : ଶନିଦେବ କରିବେ ବକ୍ରୀ ଚଳନ; ୧୨୪ ଦିନ ପର୍ଯ୍ଯନ୍ତ ଦୁର୍ଦ୍ଦିନରେ କଟିବ ୫ ରାଶି ଥିବା ବ୍ୟକ୍ତି ବିଶେଷଙ୍କ ଦିନ

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହୋଇଛି । ଖୋର୍ଦ୍ଧା, ଯାଜପୁର, ନୂଆପଡ଼ା, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ୱଲପୁରରେ ଆଦିରେ କାଳବୈଶାଖୀର ଅଧିକ ପ୍ରଭାବ ପଡ଼ିଥିବା ଜଣାପଡ଼ିଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୩୮ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୧୮.୫ ମିମି ବର୍ଷା ରେକର୍ଡ ହୋଇଛି । ନବରଙ୍ଗପୁରରେ ୨୪ ମିମି ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ୧୮ ମିମି ବର୍ଷା ରେକର୍ଡ ହୋଇଛି । ତେବେ ଆସନ୍ତାକାଲିଠାରୁ କାଳବୈଶାଖୀ ପ୍ରଭାବ ପୂର୍ବାପେକ୍ଷା ହ୍ରାସ ପାଇବ । ଏଥିପାଇଁ ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ : ବିବାହ ବନ୍ଧନରେ ବାନ୍ଧିହେବେ ଓଡିଶାର ଆଉ ଦୁଇ ଜିଲ୍ଲାପାଳ; ପୁଣି ଦ୍ୱିତୀୟ ବିବାହ କରିବେ ପୁରୀ ଜିଲ୍ଲାପାଳ ଏବଂ ରାୟଗଡ଼ା ଜିଲ୍ଲାପାଳ

ଶନିବାରଠାରୁ ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଏଥିସହ ରାଜ୍ୟକୁ ଜଳୀୟବାଷ୍ପର ପ୍ରବାହ ଅଧିକ ରହୁଥିବାରୁ ରାଜ୍ୟରେ ଗୁଳୁଗୁଳି ମଧ୍ୟ ଅଧିକ ଅନୁଭୂତ ହେବ ବୋଲି ଜଣାପଡ଼ିଛି ।

Share this story

World Odia Language Conferene