ରଜରେ ଆସୁଛି ଲଘୁଚାପ, ପ୍ରବଳ ବର୍ଷିବ ! ଅଧିକ ରହିପାରେ ପବନର ବେଗ

Low depression forecast in Odisha during Raja

ଓଡ଼ିଆ ଗସିପ ବ୍ୟୁରୋ: ପାଣିପାଗକୁ ନେଇ ଆସୁଛି ବଡ଼ ଅପଡେଟ । କାହିଁକି ନା ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା ରହିଛି । ଆସନ୍ତା ଜୁନ ୧୭ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ମୌସୁମୀ ଓଡ଼ିଶାରେ ପ୍ରବେଶ କରିବା ପୂର୍ବରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିବ । ପାଣିପାଗ ବିଜ୍ଞାନ କେନ୍ଦ୍ର ୧୫ ତାରିଖ ପର୍ଯ୍ୟନ୍ତ ପ୍ରାକ୍-ମୌସୁମୀ ବର୍ଷା, ଘଡ଼ଘଡ଼ି ଓ ଝଡ଼ପବନ ନେଇ ସତର୍କ କରିଛି। ଏହାର ପ୍ରଭାବରେ ଆଗାମୀ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ଅସ୍ଥିର ରହିବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ତିନି ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାରେ ପ୍ରବେଶ କରିପାରେ । ମୌସୁମୀର ଆଗମନ ସହ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ଏହା ଚାଷୀମାନଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର ହୋଇପାରେ ।

ଏହା ସହ ଜୁନ୍ ୧୭ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ନେଇ ପାଣିପାଗ ବିଶେଷଜ୍ଞମାନେ ସଙ୍କେତ ଦେଇଛନ୍ତି । ଯଦି ଏହି ଲଘୁଚାପ ସୃଷ୍ଟି ହୁଏ, ତେବେ ଏହା ମୌସୁମୀ ବାୟୁକୁ ଅଧିକ ସକ୍ରିୟ କରିପାରେ । ଲଘୁଚାପର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଭଲ ବର୍ଷା ହେବା ସହ ତାପମାତ୍ରା ମଧ୍ୟ ହ୍ରାସ ପାଇପାରେ ।

୧୨ ତାରିଖରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ବିସ୍ତୃତି ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି । ପ୍ରାକ୍-ମୌସୁମୀ ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ସତର୍କ କରାଯାଇଛି ।

ଶୁକ୍ରବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଅବଶିଷ୍ଟ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ସାଧାରଣ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ମୟୂରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମାଲକାନଗିରି ଓ କୋରାପୁଟ ଭଳି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିପାରେ। ଏହି ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ଭାବେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Share this story