ଦେଶବାସୀଙ୍କ ସେବାରେ ଜୀବନ ଉତ୍ସର୍ଗ କରିଥିଲେ ସ୍ୱର୍ଗତଃ ମୁଖାର୍ଜୀ: ମନମୋହନ ସାମଲ

Late Mukherjee dedicated his life to serving the people of the country says Manmohan Samal

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର, ତା.୨୩/୦୬):  ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ, ମାର୍ଗଦର୍ଶକ ତଥା ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି ତିରୋଧାନ ଦିବସ। ସାରା ଦେଶରେ ଏହାକୁ ବଳିଦାନ ଦିବସ ଭାବେ ପାଳନ କରାଯାଏ।

ସ୍ୱର୍ଗତଃ ମୁଖାର୍ଜୀ ବହୁତ କମ୍ ସମୟ ମଧ୍ୟରେ ନିଜ କାର୍ଯ୍ୟକୁ ଦକ୍ଷତାର ସହ ସମ୍ପାଦନ କରି ଶୀର୍ଷରେ ପହଂଚି ପାରିଥିଲେ। କଂଗ୍ରେସର ମନମୁଖୀ ଶାସନକୁ ସେ ବରଦାସ୍ତ କରି ନଥିଲେ। ଦେଶର ସ୍ୱାଧୀନତା ପରେ ମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କର କେବେ କ୍ଷମତା ଲୋଭ ନ ଥିଲା। ଯେତେବେଳେ ପଣ୍ଡିତ ଜବାହାରଲାଲ୍ ନେହେରୁ ଦେଶରେ ମନମୁଖୀ ଭାବେ ଶାସନ କରୁଥିଲେ ସେତେବେଳେ ସଂସଦରେ ତାଙ୍କ ସହ ଯୁକ୍ତି କରି ସ୍ୱର୍ଗତଃ ମୁଖାର୍ଜୀ ନେହେରୁଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ କ୍ଷମତାରୁ ବଳିଦାନ ଦେଇଥିଲେ।

ଦେଶବାସୀଙ୍କ ସେବାରେ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ। ସ୍ୱର୍ଗତଃ ମୁଖାର୍ଜୀଙ୍କ ପାଇଁ ଦେଶ ଥିଲା ସର୍ବୋପରି। ତାଙ୍କ ଦୃଢ଼ତା ଓ ଆତ୍ମବିଶ୍ୱାସ ପାଇଁ ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ହୋଇପାରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୪ତମ ବଳିଦାନ ଦିବସ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି।

ଶ୍ରୀ ସାମଲ କହିଛନ୍ତି ଯେ, ସ୍ୱର୍ଗତଃ ମୁଖାର୍ଜୀ ଜଣେ ବିଶିଷ୍ଟ ରାଜନେତା ହେବା ସହ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ। ସେ ପଶ୍ଚିମବଙ୍ଗ ଓ ଜାମ୍ମୁକାଶ୍ମୀର ବିଭାଜନକାରୀ ଶକ୍ତିଗୁଡ଼ିକ ସହ ସାଲିସ କରି ନ ଥିଲେ। ସମ୍ବିଧାନରେ ୩୭୦ ଧାରାକୁ ବିରୋଧ କରି “ଏକ୍ ଦେଶ୍ ମେଁ ଦୋ ବିଧାନ୍‌, ଦୋ ପ୍ରଧାନ୍ ଔର ଦୋ ନିଶାନ୍ ନହିଁ ଚଲେଙ୍ଗେ” ବୋଲି କହି ବିନା ପର୍‌ମିଟରେ “କାଶ୍ମୀର ଚଲୋ” ଆହ୍ୱାନ ଦେଇଥିଲେ। ତାଙ୍କ ବଳିଦାନ ଦିବସ ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ ଓ ପ୍ରତିବଦ୍ଧତାର ଦିନ। ସେ ଦେଶର ରାଜନୀତିରେ ମୋଡ଼ ପରିବର୍ତନ କରିଥିଲେ। ତାଙ୍କ ବଳିଦାନରୁ ଏହି ସଂଗଠନ ଆରମ୍ଭ ହୋଇଥିଲା।

୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ଭାରତୀୟ ଜନସଂଘ ପରବର୍ତୀ ସମୟରେ ବିଜେପି ଭଳି ବିଶାଳ ରାଜନୈତିକ ଦଳରେ ପରିଣତ ହୋଇଛି। ଆଜି ଦେଶର ୨୨ଟି ରାଜ୍ୟରେ ବିଜେପି ନେତୃତ୍ୱାଧୀନ ମେଂଟ କ୍ଷମତାରେ ରହିଛି। ବିଶ୍ୱର ସର୍ବବୃହତ ରାଜନୈତିକ ଦଳଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରା ଆଗରେ ରଖି ନିଷ୍ଠା, ତପସ୍ୟା ଓ ଆତ୍ମବିଶ୍ୱାସ ବଳରେ ଦଳ ଆଜି ଏହି ସ୍ଥାନରେ ପହଂଚି ପାରିଛି।

ଦଳର ବିଚାରଧାରା ଆଜି ସବୁଠି ଆଦୃତ ଓ ଗ୍ରହଣଯୋଗ୍ୟ ହୋଇଛି। ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ କାଶ୍ମୀର ରାଜ୍ୟ ଭାରତ ବର୍ଷର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି। ଫଳରେ ସ୍ୱର୍ଗତଃ ମୁଖାର୍ଜୀଙ୍କ ସ୍ୱପ୍ନ ପୂରଣ ହୋଇଛି। ଏଭଳି ଜଣେ ମହାପୁରୁଷଙ୍କ ୧୨୫ତମ ଜନ୍ମବର୍ଷ ପୂର୍ତି ୬ ଜୁଲାଇରେ ପଡୁଛି।

ଏହାକୁ ଦୃଷ୍ଟିରେ ରଖି ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବିନଙ୍କ ନିର୍ଦ୍ଦେଶାନୁସାରେ ୨୩ ଜୁ୍‌ନ୍ (ବଳିଦାନ ଦିବସ)ରୁ ୬ ଜୁଲାଇ (ଜନ୍ମଦିବସ) ପର୍ଯ୍ୟନ୍ତ ସ୍ୱର୍ଗତଃ ମୁଖାର୍ଜୀଙ୍କ ସ୍ମୃତି ପକ୍ଷ ପାଳନ କରାଯିବ। ଏହି ଅବସରରେ ସମସ୍ତ ବୁଥ୍‌ରେ ବୁଥ୍ କମିଟି ସଦସ୍ୟ, ପ୍ରାଥମିକ ସଦସ୍ୟ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ୨୮ ଜୁନ୍ (ମନ୍ କି ବାତ୍‌) ଅଥବା ୬ ଜୁଲାଇରେ ସ୍ୱର୍ଗତଃ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯିବ। ସ୍ୱର୍ଗତଃ ମୁର୍ଖାଜୀଙ୍କ ବିଷୟରେ ଯୁବ ସମାଜ ଅଧିକ ଜାଣିବା ପାଇଁ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି। ସ୍ୱର୍ଗତଃ ମୁର୍ଖାଜୀଙ୍କ ବିଚାରଧାରା ଓ ଆଦର୍ଶକୁ ଅନୁସରରଣ କରି ତାଙ୍କ ବାର୍ତାକୁ ରାଜ୍ୟର କୋଣ ଅନୁକୋଣରେ ପହଂଚାଇବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ମଂଚ ପରିଚାଳନା କରିଥିବାବେଳେ ସାଂସଦ ତଥା ଡ. ଶ୍ୟାାମାପ୍ରସାଦ ମୁଖାର୍ଜୀ ସ୍ମୃତିପକ୍ଷ କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓ  ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଶାରଦା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ବଳିଦାନ ଦିବସ ଉପଲକ୍ଷେ ଆଜି ସକାଳେ ଭୁବନେଶ୍ୱରସ୍ଥିତ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତିରେ ବିଜେପି ନେତୃବୃନ୍ଦ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଚାରାରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ସାଂସଦ ଶ୍ରୀ ଷଡ଼ଙ୍ଗୀ, ବିଧାୟକ ଶ୍ରୀ ବାବୁ ସିଂ, ଶ୍ରୀ ଲକ୍ଷ୍ମଣ ବାଗ, ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share this story